ମୁମ୍ବାଇ : ମୀରା ରୋଡ ବାସିନ୍ଦା ୮୧ ବର୍ଷ ବୟଷ୍କ ଅସଗର ଅଲୀ ଭୋହରା ଏକ ପୁରୁଣା ଭୂମି ବିବାଦ ମାମଲାରେ ନ୍ୟାୟ ପାଇବାକୁ ତଥା ସିବିଆଇ ତଦନ୍ତ ଦାବି ନେଇ ନିଜ ବିଦ୍ୟାଳୟ ସହପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରକୁ ଯାଇଥିଲେ। ଗୁଜରାଟ ବଡନଗରସ୍ଥିତ ବି.ଏନ.ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ସହ ଏକଦା ସହପାଠୀ ଥିବା ଅସଗର ଅଲୀ ସେପ୍ଚେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ ଓ ତାଙ୍କ ଜମି ଡିସପୁଟ ବାବଦେ ଜଣାଇବା ସହ ହସ୍ତକ୍ଷେପ ଦାବି କରିଥିଲେ। ଭୋହରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କଠାରୁ ସକରାତ୍ମକ ପ୍ରତିକ୍ରିୟା ମିଳିବା ପରେ ସେ ନ୍ୟାୟ ମିଳିବ ବୋଲି ଏବେ ପୁରା ଆଶ୍ୱସ୍ତ।

ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସରନାଇକ ପ୍ରଧାନମନ୍ତ୍ରୀ ମୋଦି ଓ ଭୋହରାଙ୍କ ସାକ୍ଷାତ ସମୟର ଛବି ଓ ଏକ ପ୍ରେସନୋଟ୍ ଜାରି କରିଛନ୍ତି। ଏଥିରେ ସେ ଆଶା ବ୍ୟକ୍ତ କରିଛନ୍ତି ଯେ ପିଲାଦିନର ସାଙ୍ଗଙ୍କୁ ମୋଦି ନିଶ୍ଚିତ ନ୍ୟାୟ ଦିଆଇବେ। ୧୯୮୯ ମସିହାରେ ଭୋହରା ଏକ ରେଜିଷ୍ଟ୍ରି ଏଗ୍ରିମେଣ୍ଟରେ ଇଷ୍ଟ ଭୟନ୍ଦରର ନବଘରରେ ପାଖାପାଖି ୨,୮୧୦ବର୍ଗ ମିଟରର ଜମି କ୍ରୟ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ୨୦୧୧ ମସିହାରେ ସ୍ୱୟମ ବିଲ୍ଡର ଓ ସେଭେନ ଇଲେଭେନ କନଷ୍ଟ୍ରକ୍ସନ ତାଙ୍କର ଏହି ଜମି ମାଡିବସିଥିଲେ। ଉଲ୍ଲେଖଯୋଗ୍ୟ ଯେ ଏହି କମ୍ପାନୀ ବିଜେପି ବିଧାୟକ ନରେନ୍ଦ୍ର ମେହେଟ୍ଟାଙ୍କ ସମ୍ପର୍କିତ।

ଭୋହରା ଅଭିଯୋଗ କରିଛନ୍ତି ଯେ ସମ୍ପତ୍ତିର ନକଲୀ ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ମୂଳ ମାଲିକଙ୍କୁ ଏଥିରୁ ସମ୍ପୂର୍ଣ୍ଣ ଅନ୍ଧକାରରେ ରଖାଯାଇଥିଲା। ପରେ ସେମାନେ ଜମିକୁ ଦୁଇ ଭାଗ କରି ପରସ୍ପର ମଧ୍ୟରେ ବାଣ୍ଟି ନେବା ସହ ଏହା ଉପରେ ସ୍ୱୟମ ବିଲ୍ଡର ଓ ସେଭେନ ଇଲେଭେନ କନଷ୍ଟ୍ରକ୍ସନର ଦଖଲ ଦେଖାଯାଉଛି। ଏ ନେଇ ୨୦୧୫ ମସିହାରେ ଏକ ଏଫଆଇଆର ମଧ୍ୟ ରୁଜୁ ହୋଇଥିଲା ଓ ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ଅଛି। ଭୋହରା କହିଛନ୍ତି ଯେ ସେବେଠୁ ରାଜସ୍ୱ ବିଭାଗ, ନଗରନିଗମ ଅଧିକାରୀ ଓ ପୋଲିସ ନିକଟରେ ମାମଲାର ସମାଧାନ ପାଇଁ ଲଗାତାର ଗୁହାରି କରି ଆସୁଛନ୍ତି।

ତେବେ ଭୋହରା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଏବେ ନଗର ନିଗମ ପ୍ରଶାସନ ଏହି ମାମଲାର ସଂଜ୍ଞାନ ନେଇଛି। ମାମଲାରେ ସେପ୍ଟେମ୍ବର ୧୬ ତାରିଖ ଦିନ ଏକ ଶୁଣାଣି ଧାର୍ଯ୍ୟ ହୋଇଛି। ଏହି ଶୁଣାଣିରେ ସ୍ୱୟମ ବିଲ୍ଡର୍ସର ପ୍ରତିନିଧି ଓ ସେଭେନ ଇଲେଭେନ କନଷ୍ଟ୍ରକ୍ସର ଲୋକଙ୍କୁ ହାଜର ହେବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।