କୋଲକାତା: ଜାଲ୍ ଦସ୍ତଖତ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡ଼ୁଆ ବଢିବାରେ ଲାଗିଛି । ସିଆଇଡିର ସ୍ୱତନ୍ତ୍ର ଟିମ୍ ମଙ୍ଗଳବାର କାଳୀଘାଟସ୍ଥିତ ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ବାସଭବନ ତଥା କେନ୍ଦ୍ରୀୟ ଦଳୀୟ କାର୍ଯ୍ୟାଳୟରେ ଯାଞ୍ଚ କରିଛି ।

 

ବିଧାନସଭା ବାଚସ୍ପତିଙ୍କ ନିକଟରେ ବିରୋଧୀ ଦଳ ନେତା ମାନ୍ୟତା ପାଇଁ ଦିଆଯାଇଥିବା ଏକ ପ୍ରସ୍ତାବରେ ଟିଏମସି ବିଧାୟକମାନଙ୍କର ଜାଲ୍ ଦସ୍ତଖତ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ସିଆଇଡି ଅଧିକାରୀଙ୍କ କହିବା ଅନୁଯାୟୀ, ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ ପକ୍ଷରୁ ମିଳିଥିବା ଜବାବ ଆଧାରରେ ହିଁ ଏହି ସର୍ଚ୍ଚ ଅପରେସନ କରାଯାଇଛି । ଅଭିଷେକ ତାଙ୍କ ଉତ୍ତରରେ ଉଲ୍ଲେଖ କରିଥିଲେ ଯେ, ୩୦-ବି ହରିଶ ଚାଟାର୍ଜୀ ଷ୍ଟ୍ରିଟସ୍ଥିତ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ବିଧାୟକମାନଙ୍କ ଦସ୍ତଖତ ସଂଗ୍ରହ କରାଯାଇଥିଲା ।

ସିଆଇଡି ଟିମ୍ ଯାଞ୍ଚ ପାଇଁ ପହଞ୍ଚିବା ସମୟରେ ମୁତୟନ ଥିବା ସୁରକ୍ଷାକର୍ମୀ ଏବଂ ଦଳୀୟ ନେତାଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଅଭିଷେକ ବାନାର୍ଜୀଙ୍କ ଅନୁପସ୍ଥିତିରେ ଯାଞ୍ଚ କରିବାକୁ ଦଳୀୟ ନେତାମାନେ ବିରୋଧ କରିଥିଲେ । ପରେ ସମୟରେ ଅଧିକ ପୋଲିସ ଫୋର୍ସ ମଗାଯାଇ ସିଆଇଡି ଭିତରକୁ ପ୍ରବେଶ କରିଥିଲା । ଏହି ଘଟଣାକୁ ନେଇ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ କଡ଼ା ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହାକୁ 'ରାଜନୈତିକ ପ୍ରତିଶୋଧ' ବୋଲି କହିଛନ୍ତି । ମମତା ବାନାର୍ଜୀ ସହର ବାହାରେ ଥିବା ଦିନ ଉଦ୍ଦେଶ୍ୟମୂଳକ ଭାବେ ଏବଂ ବିଜେପି ଇଚ୍ଛାରେ ଏହି ଚଢ଼ାଉ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଏହା ସହିତ ସିଆଇଡିର ଅନ୍ୟ ଏକ ଟିମ୍ କାମାକ ଷ୍ଟ୍ରିଟ୍ସ୍ଥିତ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟରେ ମଧ୍ୟ ଯାଞ୍ଚ କରିଛି ।