ନୂଆଦିଲ୍ଲୀ: ଚୀନ ପୁଣି ଥରେ ଭାରତ ଆଡ଼କୁ ବନ୍ଧୁତାର ହାତ ବଢାଇଛି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍ ମଙ୍ଗଳବାର କହିଛନ୍ତି ଯେ ଚୀନ ଓ ଭାରତ ଅଧିକ ଘନିଷ୍ଠ ହୋଇ କାମ କରିବା ଦରକାର । ଜିନପିଙ୍ଗ କହିଛନ୍ତି ଯେ ଚୀନ ଓ ଭାରତର ସମ୍ପର୍କ ‘ଡ୍ରାଗନ୍-ହାତୀ ଟାଙ୍ଗୋ’ ରୂପେ ନେବା ଦରକାର । ଟାଙ୍ଗୋ ଏହି ଦୁଇ ପ୍ରତୀକାତ୍ମକ ଜୀବଙ୍କ ମଧ୍ୟରେ ଏକ ଚୀନୀ ନୃତ୍ୟ । ଭାରତ ଓ ଚୀନ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୭୫ ବର୍ଷ ପୂରଣ ଅବସରରେ ଚୀନ ରାଷ୍ଟ୍ରପତି ଓ ଭାରତ ରାଷ୍ଟ୍ରପତି ପରସ୍ପରକୁ ଶୁଭେଚ୍ଛା ସନ୍ଦେଶ ପଠାଇଛନ୍ତି । ଏହି ଅବସରରେ ଚୀନ ରାଷ୍ଟ୍ରପତି ନୂଆଦିଲ୍ଲୀ ଓ ବେଜିଂ ସମ୍ପର୍କକୁ ମଜଭୁତ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି ।
ରାଷ୍ଟ୍ରପତି ଜିନପିଙ୍ଗ ଭାରତ ଓ ଚୀନ ମଧ୍ୟରେ ସହଭାଗିତା ଉପରେ ଜୋର ଦେଇଛନ୍ତି । ଜିନପିଙ୍ଗ କହିଛନ୍ତି ଯେ ଦୁଇ ଦେଶ ପ୍ରମୁଖ ଅନ୍ତରାଷ୍ଟ୍ରୀୟ ମାମଲାରେ ବୁଝାମଣାକୁ ଆହୁରି ଆଗକୁ ନେବା ଓ ସୀମାବର୍ତ୍ତୀ କ୍ଷେତ୍ରରେ ଶାନ୍ତି ବଜାୟ ରଖିବା ପାଇଁ କାମ କରିବାର ଆବଶ୍ୟକତା ରହିଛି । ସେପଟେ ଚୀନ ପ୍ରଧାନମନ୍ତ୍ରୀ ଲି କିୟାଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ବାର୍ତ୍ତା ଆଦାନ-ପ୍ରଦାନ କରିଛନ୍ତି ।
ଚୀନ ବିଦେଶ ମନ୍ତ୍ରଣାଳୟ ଜାରି କଲା ବୟାନ
ଦୁଇ ଦେଶ ନିଜ ନେତାଙ୍କ ପାରସ୍ପରିକ ସହମତିକୁ ସକ୍ରିୟ ରୂପେ ଲାଗୁ କରୁଛନ୍ତି ଓ ସକାରାତ୍ମକ ପରିଣାମ ସହ କାମ କରୁଛନ୍ତି । ସୀମା କ୍ଷେତ୍ରରେ ଶାନ୍ତି ବଜାୟ ରଖିବା, ଅନ୍ତରାଷ୍ଟ୍ରୀୟ ମାମଲାରେ ଆଲୋଚନା ବଢାଇବା ଓ ଦୁଇ ଦେଶର ସମ୍ପର୍କର ସ୍ଥିର ବିକାଶକୁ ସୁନିଶ୍ଚିତ କରିବା ମହତ୍ୱ ଉପରେ ଜୋର ଦେଇଛନ୍ତି । ଚୀନ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ଗୁଓ ଏହି ଅବସରରେ ଉପଯୋଗୀ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ନେଇ ଦୁଇ ଦେଶର ଇଚ୍ଛାକୁ ସେ ସ୍ପଷ୍ଟ କରିଛନ୍ତି ।
ଭାରତ ଓ ଚୀନ ଗତ ବର୍ଷ ଆଲୋଚନା କରିବା ପରେ ଏକ ବୁଝାମଣା ଅନୁସାରେ ପୂର୍ବ ଲଦାଖର ଶେଷ ଦୁଇ ବିବାଦୀୟ ସ୍ଥାନ, ଦେପସାଙ୍ଗ ଓ ଡେମଚୋକରୁ ସୈନ୍ୟ ଅପସାରଣ ସୁନିଶ୍ଚିତ କରିଥିଲେ । ଯାହାପରେ ୪ ବର୍ଷ ଧରି ଚାଲିଥିବା ଉତ୍ତେଜନା ହ୍ରାସ ପାଇଥିଲା । ବୁଝାମଣାକୁ ଚୂଡାନ୍ତ ରୂପ ଦେବା ପରେ ପ୍ରଧାନନ୍ତ୍ରୀ ମୋଦୀ ଓ ସି ଅକ୍ଟୋବର ୨୩ରେ କଜାନରେ କଥାବର୍ତ୍ତା ହୋଇଥିଲେ ।