ପଞ୍ଜାବ ବୋଲରଙ୍କ ଶାଣିତ ବୋଲିଂ, ୧୬୨ ରନରେ ଅଟକିଲା ଚେନ୍ନାଇ, ଋତୁରାଜ ଖେଳିଳେ ଅଧିନାୟକତ୍ଵ ଇନିଂସ

Published By : Prameya-News7 Bureau | May 01, 2024 IST

espncricinfo

ଚେନ୍ନାଇ: ଆଜି ଆଇପିଏଲ୍‌ର ୪୯ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୭ ଓ୍ଵିକେଟ୍‌ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ଋତୁରାଜ ଗାଏକ୍ଵାଡ଼ ୬୨ ରନର ଅଧିନାୟକତ୍ଵ ଇନିଂସ ଖେଳିଛନ୍ତି। ଦ୍ଵିତୀୟ ସର୍ବାଧିକ ସ୍କୋରର ଭାବେ ଆଜିଙ୍କ୍ୟ ରାହାଣେ ୨୯ ରନ କରିଛନ୍ତି। ତେବେ ପଞ୍ଜାବ କିଙ୍ଗ୍ସ ବୋଲର ମାପଚୁପ ବୋଲିଂ କରି ଚେନ୍ନାଇକୁ ବଡ଼ ସ୍କୋର କରିବାକୁ ଦେଇ ନାହାନ୍ତି। ଦଳ ପକ୍ଷରୁ ରାହୁଲ ଚହର ଓ ହରପ୍ରୀତ ବ୍ରାର ପ୍ରତ୍ୟେକ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଆଜିର ମ୍ୟାଚ୍ ପଞ୍ଜାବ କିଙ୍ଗ୍ସ ପାଇଁ ଜିତିବା ଜରୁରୀ। ହାରିଲେ ଦଳର ପ୍ଲେ ଅଫ୍ ଆଶା ମଉଳିବ। 

Also read: ପୁଅ ବିଶ୍ୱକପ୍‌ ଟିମ୍‌ରେ ସାମିଲ୍ ହେବ ଭାବି ଖୁସିରେ ବାଣ ଓ ମିଠା ରଖିଥିଲି: ଦୁଃଖ ପ୍ରକାଶ କଲେ ରିଙ୍କୁ ସିଂହଙ୍କ ବାପା

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇର ଦୁଇ ଓପନର ଋତୁରାଜ ଗାଏକ୍ଵାଡ଼ ଓ ଆଜିଙ୍କ୍ୟ ରାହାଣେ ଓପନିଂରେ ୬୪ ରନ ଯୋଡ଼ିଥିଲେ। ରାହାଣେ ୨୯ ରନ କରି ଆଉଟ୍ ହୋଇଥିଲେ। ତେବେ ଶିବମ ଦୁବେ ଗୋଲ୍ଡେନ ଡକ୍‌ର ଶିକାର  ହୋଇଥିଲେ। ଫଳରେ ଚେନ୍ନାଇ ରନ ଗତି ମନ୍ଥର ପଡ଼ିଥିଲା। ରବୀନ୍ଦ୍ର ଜାଡ଼େଜା(୨) ପାଭିଲିୟନ ଫେରିଥିଲେ। ସମୀର ରିଜଭି କ୍ରିଜକୁ ଜମିବାକୁ ଚେଷ୍ଟା କରି ୨୧ ରନ କରି ଆଉଟ୍ ହୋଇଥିଲେ। 

ଅନ୍ୟପଟେ ଗାଏକ୍ଵାଡ଼ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୮ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୬୨ ରନର ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ମୋଇନ ଅଲ୍ଲୀ(୧୫) ରନ କରିଥିଲେ। ଏହା ପରେ କ୍ରିଜକୁ ଆସିଥିବା ମହେନ୍ଦ୍ର ସିଂ ଧୋନୀ ଦ୍ରୁତ ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ରହିଥିଲେ। ପ୍ରଥମ ଥର ଚଳିତ ଆଇପିଏଲ୍‌ରେ ଧୋନୀ(୧୪) ରନ ଆଉଟ୍ ସହ ପ୍ରଥମ ଥର ଆଉଟ୍ ହୋଇଛନ୍ତି।   ଶେଷରେ ଚେନ୍ନାଇ ୭ ଓ୍ଵିକେଟ୍ ହରାଇ ୧୬୨ ରନ କରିଛି। 

ଆଜିର ମ୍ୟାଚ୍‌ରେ ପଞ୍ଜାବ ବୋଲର ମାପଚୁପ ବୋଲିଂ କରି ଚେନ୍ନାଇ ବ୍ୟାଟରଙ୍କୁ ବାନ୍ଧି ରଖିଥିଲେ। ରାହୁଲ ଚହର ୪ ଓଭରରେ ୧୬ ରନ ଦେଇ ୨ଟି, ହରପ୍ରୀତ ବ୍ରାର ୧୬ ରନ ଦେଇ ୨ଟି ଓ କାଗିସୋ ରାବଡା ୪ ଓଭରରେ ୨୩ ରନ ଦେଇ ଗୋଟିଏ ଓ୍ଵିକେଟ୍ ଅକ୍ତିକାର କରିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.