ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି-୨୦ ବିଶ୍ଵକପ୍ ଦଳରେ ନେବାକୁ ଚାହୁଁ ନ ଥିଲେ ରୋହିତ ଓ ଅଗରକର, ରିପୋର୍ଟରୁ ଖୁଲାସା

Published By : Prameya-News7 Bureau | May 15, 2024 IST

abp live

ନୂଆଦିଲ୍ଲୀ: ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ  ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯିବା ମାତ୍ରେ ଖୁବ୍ ଖପ୍ପା ଥିଲେ ମୁମ୍ବାଇ ପ୍ରଶଂସକ। ଏହି ଅସନ୍ତୋଷ ସେହି ସମୟରେ ଅଧିକ ବଢିଲା ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ସଂସ୍କରଣରେ ପ୍ରଥମ ଦଳ ଭାବେ ଆଇପିଏଲ୍‌ରୁ ବାଦ୍ ପଡ଼ିଲା।  କେବଳ ଅଧିନାୟକ ଭାବେ ନୁହେଁ ବରଂ ଖେଳାଳି ଭାବେ ମଧ୍ୟ ନିରାଶଜନକ ପ୍ରଦର୍ଶନ କରିଛନ୍ତି ହାର୍ଦ୍ଦିକ। ଏହି କାରଣରୁ ଯେବେ ତାଙ୍କୁ ଟି-୨୦ ବିଶ୍ଵକପ୍ ଦଳରେ ସ୍ଥାନ ମିଳିଲା କ୍ରିକେଟ୍ ପ୍ରେମୀଙ୍କ ରାଗ ଅଧିକ ବଢିଗଲା। ଖରାପ ଫର୍ମ ସତ୍ତ୍ଵେ ହାର୍ଦ୍ଦିକଙ୍କୁ କେମିତି ଉପ ଅଧିନାୟକ କରାଗଲା ତାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି। ମାତ୍ର ଦୈନିକ ଜାଗରଣର ରିପୋର୍ଟ ଅନୁ୍‌ଯାୟୀ, ବୋର୍ଡର ଅନେକ ଲୋକ ହାର୍ଦ୍ଦିକଙ୍କ ଚୟନ ସପକ୍ଷରେ ନ ଥିଲେ।

Also read: କୋହଲିଙ୍କ ବଡ ଶତ୍ରୁ; ବିଜୟର ରାସ୍ତାରେ ସାଜିଥିଲେ କଣ୍ଟା, ବର୍ତ୍ତମାନ କ୍ରିକେଟରୁ ନେଲେ ସନ୍ୟାସ

ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସମେତ ମନୋନୟନ କମିଟିର ଅନେକ ବ୍ୟକ୍ତି ହାର୍ଦ୍ଦିକଙ୍କୁ ଦଳରେ ଚୟନ ପକ୍ଷରେ ନ ଥିଲେ। କାରଣ ଆଇପିଏଲ୍ ୨୦୨୪ରେ ହାର୍ଦ୍ଦିକ ୧୩ଟି ମ୍ୟାଚ୍‌ରେ ମାତ୍ର ୧୮.୨ ହାରରେ ୨୦୦ ରନ କରିଛନ୍ତି। ସେ ୧୧ ଓ୍ଵିକେଟ୍ ନେଇଥିଲେ  ହେଁ ଇକୋନୋମି ଆକାଶ ଛୁଆଁ ରହିଛି। ରିପୋର୍ଟରେ କୁହାଯାଇଛି ଯେ ବିଶ୍ଵକପ୍ ଦଳରେ ହାର୍ଦ୍ଦିକଙ୍କ ଚୟନ ଚାପରେ ପଡ଼ି କରାଯାଇଛି।

କିଛି ଦିନ ପୂର୍ବେ ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଓ ଅଜିତ ଅଗରକର ସାମ୍ବାଦିକଙ୍କ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହି ସମୟରେ ହାର୍ଦ୍ଦିକଙ୍କ ଚୟନ ନେଇ ହୋଇଥିବା ପ୍ରଶ୍ନର ଉତ୍ତରରେ ଅଗରକର କହିଥିଲେ, ଏବେ ଦଳରେ ଏମିତି କୌଣସି ଖେଳାଳି ନାହାନ୍ତି ଯିଏ ହାର୍ଦ୍ଦିକଙ୍କ ସ୍ଥାନ ନେଇ ପାରିବ। ଏହି ବୟାନ ସ୍ପଷ୍ଟ କରିଛି ଯେ, ବିକଳ୍ପ ଖେଳାଳି ନ ଥିବା ଯୋଗୁଁ ବିଶ୍ଵକପ୍ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୟନ କରାଯାଇଛି।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ବିସିସିଆଇର କିଛି ଉଚ୍ଚପଦସ୍ଥ ଅଧିକାରୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟକ ରୂପେ ଦେଖିବାକୁ ଚାହାନ୍ତି। ଉପରୁ ଚାପ ପଡ଼ିବା କାରଣରୁ ରୋହିତ ଶର୍ମା ଓ ଅଜିତ ଅଗରକରଙ୍କୁ ହାର୍ଦ୍ଦିକଙ୍କ ଚୟନ ଉପରେ ସହମତି ଦେବାକୁ ପଡ଼ିଛି। ଏହା ମଧ୍ୟ କୁହାଯାଉଛି ଟି-୨୦ ବିଶ୍ଵକପ୍ ୨୦୨୪ ପରେ ରୋହିତ ଶର୍ମା ଟି-୨୦ ଫର୍ମାଟ୍‌ରୁ ଅବସର ନେଇ ପାରନ୍ତି। 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.