ଭୁବନେଶ୍ଵର: ଦ୍ଵିତୀୟ ପର୍ଯ୍ୟାୟ ମତଦାନର ଠିକ୍ ପୂର୍ବରୁ ରାଜ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଲାଗିଛି ବଡ଼ ଝଟକା। ବ୍ରଜରାଜନଗରର ପୂର୍ବତନ ବିଧାୟିକା ତଥା ବରିଷ୍ଠ ନେତ୍ରୀ ରାଧାରାଣୀ ପଣ୍ଡା ବୁଧବାର ବିଜେପି ଛାଡ଼ି ବିଜେଡିରେ ମିଶିଛନ୍ତି। ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ବିଗତ କିଛି ଦିନ ସେ ଦଳ ପ୍ରତି ଅସନ୍ତୁଷ୍ଟ ଥିଲେ।
ରାଧାରାଣୀ ପଣ୍ଡା ବିଜେପିର ଜଣେ ଟାଣୁଆ ଓ ଫାୟରବ୍ରାଣ୍ଡ ନେତ୍ରୀ ଥିଲେ। ସେ ୨୦୧୪ ନିର୍ବାଚନରେ ବ୍ରଜରାଜନଗର ସିଟରୁ ନିର୍ବାଚନ ଜିତିଥିଲେ। ସେ ଶାଣିତ ସ୍ଵରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରୁଥିଲେ। ୨୦୧୯ରେ ପୁଣି ଥରେ ବିଜେପି ଟିକେଟ୍ରେ ମଇଦାନକୁ ଓହ୍ଲାଇଥିଲେ ହେଁ ପରାଜିତ ହୋଇଥିଲେ ରାଧାରାଣୀ। ଆଶା କରିଥିଲେ ୨୦୨୪ରେ ଦଳ ତାଙ୍କୁ ଟିକେଟ୍ ଦେବ। କିନ୍ତୁ ବରଗଡ଼ ଲୋକସଭାରେ ପ୍ରାର୍ଥୀ ପରିବର୍ତ୍ତନ ଯୋଗୁଁ ରାଧାରାଣୀଙ୍କୁ ବ୍ରଜରାଜନଗର ସିଟ୍ରୁ ବିଜେପି ପ୍ରାର୍ଥୀ କରି ନ ଥିଲା। ବରଗଡ଼ର ସାଂସଦ ସୁରେଶ ପୂଜାରୀଙ୍କ ବଦଳରେ ପ୍ରଦୀପ ପୁରୋହିତଙ୍କୁ ବିଜେପି ସାଂସଦ ପ୍ରାର୍ଥୀ କରିଛି। ଆଉ ସୁରେଶଙ୍କୁ ଦଳ ବ୍ରଜରାଜନଗରରୁ ଟିକେଟ୍ ଦେଇଛି। ରାଜନୈତିକ ପରିଦୃଶ୍ୟ ଓ ସମୀକରଣ ଯୋଗୁଁ ପ୍ରାର୍ଥୀ ହେବାରୁ ବଞ୍ଚିତ ହୋଇଥିଲେ ରାଧାରାଣୀ।
Also read: ଏଥର ଆସିବେନି ନବୀନ, ତାଙ୍କୁ ବାଏ ବାଏ କରିଛନ୍ତି ଓଡ଼ିଆ ଜନତା: ସୋରଡ଼ାରେ ଗର୍ଜିଲେ ଶାହ
ଟିକେଟ୍ କଟିବା ପରେ ସେ ଅସନ୍ତୁଷ୍ଟ ଥିଲେ। ବ୍ରଜରାଜନଗରରେ ପ୍ରାର୍ଥୀ ବଦଳାଇବା ସମୟରେ ତାଙ୍କ ସହ କେହି ଆଲୋଚନା କରି ନ ଥିବା ଅଭିଯୋଗ କରିଥିଲେ। ଏପରିକି ଟିକେଟ୍ ପାଇବା ପରେ ବି ସୁରେଶ ପୂଜାରୀ ଥରୁଟିଏ ତାଙ୍କ ସହ କଥା ହେବାକୁ ଉଚିତ୍ ମନେ କରି ନ ଥିଲେ। ତାଙ୍କୁ ମନେଇବା ପାଇଁ ପ୍ରଦୀପ ପୁରୋହିତ ରାଧାରାଣୀଙ୍କ ବାସଭବନ ଯାଇ କଥା ହୋଇଥିଲେ। ରାଧାରାଣୀ କହିଥିଲେ ସେ ପ୍ରଦୀପଙ୍କ ପାଇଁ ପ୍ରଚାର କରିବେ ପଛେ ସୁରେଶ ପାଇଁ କିଛି କରିବେ ନାହିଁ। କୁହାଯାଉଥିଲା ପ୍ରଦୀପ ପୁରୋହିତଙ୍କ ସହ ଆଲୋଚନା ପରେ ବୁଝି ଯାଇଛନ୍ତି ରାଧାରାଣୀ।
ତେବେ ନିଜ ମନରେ ଥିବା ପୁଞ୍ଜିଭୁତ ଅସନ୍ତୋଷ ଶେଷରେ ଆଜି ତାଙ୍କୁ ବିଜେଡିରେ ମିଶିବାକୁ ବାଧ୍ୟ କରିଛି। ଆଜି ବିଜେପିରୁ ଇସ୍ତଫା ଦେବା ସହ ବିଜେଡିରେ ସାମିଲ ହୋଇଛନ୍ତି ରାଧାରାଣୀ।