ଦିଲ୍ଲୀ : ପିଆଜର ଦର ବୃଦ୍ଧି ଭିତରେ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ପିଆଜ ଦର ବୃଦ୍ଧିରେ ଖାଉଟିଙ୍କ ଚିନ୍ତା ବଢ଼ାଇଥିବାବେଳେ, ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଆଜିଠୁ ପିଆଜର ହବ୍ କୁହାଯାଉଥିବା ମହାରାଷ୍ଟ୍ରର ନାସିକରୁ ଦେଶର ବିଭିନ୍ନ ସହରକୁ ଗଡ଼ିବ ସ୍ୱତନ୍ତ୍ର ପିଆଜ ପରିବହନ ଟ୍ରେନ୍ ‘କାନ୍ଦା ଏକ୍ସପ୍ରେସ୍’ । କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍ ବଜାରକୁ ଛାଡ଼ିବାକୁ ଯାଉଛନ୍ତି । ଅଧିକ ଦାମ ଥିବା ବଜାରଗୁଡିକରେ କମ୍ ଦରରେ ପିଆଜ ବିକ୍ରି କରିବାକୁ ନେଇ ଏହି ପଦକ୍ଷେପ ନିଆଯାଇଛି । ପିଆଜର ହାରାହାରି ଦାମ ପ୍ରତି କିଲୋ ୫୦ ଟଙ୍କା ପହଞ୍ଚିଛି, ଯାହା ଗତ ବର୍ଷ ତୁଳନାରେ ୫୦% ଏବଂ ଗତ ମାସ ତୁଳନାରେ ୨୦% ଅଧିକ ରହିଛି ।

ଆଜିଠୁ ନାସିକରୁ ଦିଲ୍ଲୀ, ଚେନ୍ନାଇ, କୋଚି ଓ ଗୁୱାହାଟି ଭଳି ସହରକୁ ଗଡିବ ପିଆଜ ପରିବହନ ଟ୍ରେନ-'କନ୍ଦା ଏକ୍ସପ୍ରେସ୍' । ପିଆଜ ଦାମ ଅଧିକ ଥିବା ସହର ଗୁଡିକୁ ଆଜିଠାରୁ ଏହି ଟ୍ରେନ ଚଳାଇବେ ସରକାର । କଞ୍ଜ୍ୟୁମର ଆଫେୟାର୍ସ ବିଭାଗ ତଥ୍ୟ ଅନୁସାରେ ଦିଲ୍ଲୀରେ ପିଆଜର ଖୁଚୁରା ଦାମ ପ୍ରତି କିଲୋ ୬୫ ଟଙ୍କା ରହିଛି । ଗତ ବର୍ଷ ୩୫ ଟଙ୍କା ଥିଲା । ଚେନ୍ନାଇରେ ୫୮ ଟଙ୍କା ରହିଛି ଯାହା ଗତ ବର୍ଷ ୩୩ ଟଙ୍କା ଥିଲା । ବ୍ୟବସାୟୀମାନେ କୃତ୍ରିମ ଭାବେ ଦାମ ବଢ଼ାଉଥିବାରୁ ସାବଧାନତାର ସହ କମ ଦାମରେ ପିଆଜ ବିକ୍ରି କରାଯିବ ବୋଲି ସରକାର କହିଛନ୍ତି । ସରକାର ଓ କୃଷକଙ୍କ ପାଖରେ ଆସନ୍ତା ମାସଗୁଡ଼ିକ ପାଇଁ ଯଥେଷ୍ଟ ଷ୍ଟକ୍ ଅଛି ।

ମହାରାଷ୍ଟ୍ରରେ ଖରିଫ ପିଆଜ ଉତ୍ପାଦନ ୫-୭% କମିବାର ରିପୋର୍ଟ ଦାମ ବୃଦ୍ଧିର ଏକ କାରଣ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି । ଏହି ଆର୍ଥିକ ବର୍ଷ ପାଇଁ ନାଫେଡ୍ ଓ ଏନସିସିଏଫ୍ ପ୍ରାୟ ୧.୨ ଲକ୍ଷ ଟନ୍ ପିଆଜ ଷ୍ଟକ୍ ଭାବେ କ୍ରୟ କରିଛନ୍ତି । ମେ ମାସରେ କ୍ରୟ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୧ ହଜାର ୨୭୦ ଟଙ୍କା ଥିଲା, ଯାହା ଏବେ ପ୍ରାୟ ୨ ହଜାର ୬୪୫ ଟଙ୍କା ହୋଇଯାଇଛି । ୨୦୨୫-୨୬ ଫସଲ ବର୍ଷରେ ପିଆଜ ଉତ୍ପାଦନ ୩୦୭ ଲକ୍ଷ ଟନ୍ ରହିବ ବୋଲି କୃଷି ମନ୍ତ୍ରାଳୟର କହିଛି ।