‘ଡମି ସ୍କୁଲ’ରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ CBSEର ଝଟକା, ଦେଇପାରିବେନି ଦ୍ୱାଦଶ ପରୀକ୍ଷା

Published By : Prameya-News7 Bureau | March 27, 2025 IST

ନୂଆଦିଲ୍ଲୀ ୨୭।୩: ଡମି ସ୍କୁଲମାନଙ୍କରେ ପଢୁଥିବା ଦ୍ୱାଦଶ ଛାତ୍ରଛାତ୍ରୀଙ୍କୁ ସିବିଏସଇ  ବୋର୍ଡର ଝଟକା । ଏବେ ଏପରି ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବସିବାକୁ ଅନୁମତି ମିଳିବ ନାହିଁ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ସିବିଏସଇର ଜନୈକ ଅଧିକାରୀ କହିଛନ୍ତି ଯେ ଡମି ସ୍କୁଲମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବସିବାକୁ ଅନୁମତି ଦିଆଯାଇ ନପାରେ। ଗତବର୍ଷ ଡିସେମ୍ବର ମାସରେ ସିବିଇଏସଇ ଡମି ଛାତ୍ରଙ୍କ ଯାଞ୍ଚ ନିମନ୍ତେ ବିଭିନ୍ନ ରାଜ୍ୟର ୨୯ ସ୍କୁଲ ଗସ୍ତ କରିଥିଲେ।  

ଡମି ସ୍କୁଲ କ’ଣ?
 ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶ ପରୀକ୍ଷା ପ୍ରସ୍ତୁତି କରୁଥିବା ଅନେକ ଛାତ୍ରଛାତ୍ରୀ ଡମି ସ୍କୁଲରେ ଆଡମିସନକୁ ପସନ୍ଦ କରିଥାନ୍ତି। ଏହା ଦ୍ୱାରା ସେମାନେ କେବଳ ପ୍ରତିଯୋଗୀତା ପରୀକ୍ଷା ପ୍ରସ୍ତୁତିରେ ଧ୍ୟାନ କେନ୍ଦ୍ରିତ କରିପାରିବେ। ସେମାନେ ଶ୍ରେଣୀକୁ ଯାଆନ୍ତିନି ଓ ସିଧା ବୋର୍ଡ ପରୀକ୍ଷା ଦେଇଥାନ୍ତି। ଏପରି ଛାତ୍ରଛାତ୍ରୀଙ୍କ ନିମନ୍ତେ ଶ୍ରେଣୀରେ ଉପସ୍ଥିତି ଜରୁରି ନୁହେଁ। 

ସର୍ବନିମ୍ନ ଆଟେଣ୍ଡାନ୍ସ ପୁରା କରିବା ଜରୁରୀ 
 ଗତମାସରେ ଶିକ୍ଷାମନ୍ତ୍ରାଳୟ ସ୍ପଷ୍ଟ କରିଦେଇଥିଲେ ଯେ ଡମି ଆଡମିସନ ଦେଉଥିବା ସ୍କୁଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ଯାହା ଆଗକୁ ବି ଜାରି ରହିବ। ସିବିଏସଇର କହିବା କଥା ହେଉଛି ବୋର୍ଡ ପରୀକ୍ଷା ପାଇଁ ନିୟମିତ ସ୍କୁଲ ଯିବା ଓ ସର୍ବନିମ୍ନ ଆଟେଣ୍ଡାନ୍ସର ସର୍ତ୍ତ ପୂରଣ କରିବାକୁ ହେବ। ଶିକ୍ଷାମନ୍ତ୍ରାଳୟ ଅନୁସାରେ ସମୟ ସମୟରେ ସ୍କୁଲମାନଙ୍କୁ ଆଟେଣ୍ଡାନ୍ସ ସମ୍ପର୍କିତ ନିୟମ ପାଳନ କରିବା ପାଇଁ ଜରୁରି ଗାଇଡଲାଇନ ଜାରି  ହେଉଛି, ଏହା ସହିତ ସ୍କୁଲ ତଥ୍ୟକୁ ମଧ୍ୟ ବିଶ୍ଲେଷଣ କରାଯାଉଛି। ଏଥିରେ ଯଦି କୌଣସି ସ୍କୁଲର ଡାଟାରେ କିଛି ବି ଅସାଧାରଣ ଦେଖାଯାଉଛି ତୁରନ୍ତ କାରଣ ଦର୍ଶାଅ ନୋଟିସ୍ ଜାରି ହେଉଛି। 

ଭାରତରେ ଡମି ଆଡମିସନ ଏକ ବଡ଼ ସମସ୍ୟା। ଏହା ଦେଖାଯାଉଛି ଛାତ୍ରଛାତ୍ରୀ ନବମ ଶ୍ରେଣୀରୁ ସ୍କୁଲ ନ ଯାଇ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶ ପ୍ରସ୍ତୁତି ନିମନ୍ତେ କୋଚିଂ ସେଣ୍ଟରମାନଙ୍କୁ ଦଉଡୁଛନ୍ତି। ଏହି ସମସ୍ୟା ଦୂର କରିବା ପାଇଁ ସିବିଏସଇ ଏବେ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହିକ୍ରମରେ ଆଗାମୀ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବସିବା ପାଇଁ ଡମି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନୁମତି ମିଳିବ ନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.