ନୂଆଦିଲ୍ଲୀ: ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵାଧୀନ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି ନେଇଛି। ଦୁଇଟି ମ୍ୟାଚ ବର୍ଷାରେ ଧୋଇ ହୋଇଯାଇଛି। ଭାରତ ଏହି ସିରିଜରେ ବ୍ୟାଟିଂ ଓ ବୋଲିଂକୁ ନେଇ ଅନେକ ପ୍ରୟୋଗ କରିଛି। ଦ୍ଵିତୀୟ ଟି-୨୦ରେ ସଞ୍ଜୁ ତ ଚତୁର୍ଥ ଟି-୨୦ରେ ଶିବମ ଦୁବେଙ୍କୁ ନମ୍ବର ୩ରେ ବ୍ୟାଟିଂ କରାଗଲା। ତିଳକ ବର୍ମାଙ୍କୁ ନେଇ ମଧ୍ୟ ପ୍ରୟୋଗ ହେଲା। ପ୍ରଥମ ଦୁଇଟି ମ୍ୟାଚରେ ଅର୍ଶଦୀପ ସିଂଙ୍କୁ ବାହାରେ ବସାଗଲା ଏବଂ  ହର୍ଷିତ ରାଣାଙ୍କୁ ସୁଯୋଗ ଦିଆଗଲା। ଓ୍ଵାଶିଂଟନ ସୁନ୍ଦରଙ୍କୁ କେବେ କେବେ ଫିନିସର ଭୂମିକା ଦାୟିତ୍ଵ ଦିଆଗଲା। ଏହାକୁ ନେଇ ପୂର୍ବତନ ଭାରତୀୟ ବ୍ୟାଟର ତଥା ପ୍ରସିଦ୍ଧ ଭାଷ୍ୟକାର ଆକାଶ ଚୋପ୍ରାଙ୍କ କହିବା କଥା ଏବେ ଦଳକୁ ଏକ୍ସପେରିମେଣ୍ଟ କରିବା ବନ୍ଦ କରି ଦେବା ଉଚିତ୍।

ନିଜର ୟୁଟ୍ୟୁବ ଚ୍ୟାନେଲରେ ଆକାଶ ଚୋପ୍ରା କହିଛନ୍ତି, ଦଳ ଖୋଦ୍ ସ୍ଵୀକାର କରିଛି ଯେ ପ୍ରୟୋଗ ଚାଲିଥିଲା। ମାତ୍ର ଏବେ ଏକ୍ସପେରିମେଣ୍ଟ ବନ୍ଦ କରି ଦେବା ଉଚିତ୍। ଟି-୨୦ ବିଶ୍ଵକପ ୨୦୨୬ ନିକଟତର। ଭାରତକୁ ବିଶ୍ଵକପ୍ ପୂର୍ବରୁ ଘରୋଇ ମାଟିରେ କେବଳ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ଖେଳିବାର ଅଛି। ତେଣୁ ଏବେ ପ୍ରୟୋଗ ବନ୍ଦ କରି ଦେବା ଉଚିତ୍।

ସେ କହିଛନ୍ତି, ଏହା ପ୍ରୟୋଗର ସମୟ ଥିଲା। ଆଶା କରୁଛି ତାହା ଏବେ ଶେଷ ହୋଇଥିବ। ଦଳ କାହାକୁ ବି ଉପର କିମ୍ବା ନିମ୍ନ କ୍ରମରେ ବ୍ୟାଟିଂ କରାଇପାରେ। କାହାରିକୁ ବି ବସାଇପାରେ। ଏବେ ତ ସବୁ ପ୍ରୟୋଗ ହୋଇଗଲା। ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍  ଖେଳିବ। ତେଣୁ ଦଳରେ ଏବେ ପ୍ରୟୋଗର କୌଣସି ଅବକାଶ ରଖିବା ଉଚିତ୍ ନୁହେଁ। ବିଶ୍ଵକପ ଫେବୃଆରୀରୁ ଆରମ୍ଭ ହେବ। ଏହା ପୂର୍ବରୁ ଆଉ ପ୍ରୟୋଗ ହେବା ଉଚିତ୍ ନୁହେଁ। ଦଳକୁ ଏବେ ସେହି ଖେଳାଳିଙ୍କ ସହ ଖେଳିବା ଉଚିତ୍ ଯିଏ ବିଶ୍ଵକପରେ ଚୂଡ଼ାନ୍ତ ଏକାଦଶର ଅଂଶ ହେବେ।

ଚୋପ୍ରା କହିଛନ୍ତି, ଘରୋଇ ମାଟିରେ ଖେଳୁଥିବାରୁ ଭାରତ ଉପରେ ଚାପ ରହିବ। ତେଣୁ ଏବେ ସ୍ଥିର ସଂଯୋଜନା ଆପଣା ଯିବାର ସମୟ। ଚୂଡ଼ାନ୍ତ ଏକାଦଶକୁ ନେଇ ଖେଳିବାକୁ ପଡ଼ିବ। ଘରୋଇ ମାଟିରେ ବିଶ୍ଵକପ୍ ଖେଳିବା ଏକ ଫାଇଦା। ଏଥିପାଇଁ ପ୍ରୟୋଗ ବନ୍ଦ କରିଦେବା ଉଚିତ୍। ସେହି ଖେଳାଳିଙ୍କୁ ଏବେ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଉ ଯିଏ ଦଳ ସଂଯୋଜନା ପାଇଁ ଫିଟ୍।