ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (CBSE) ନିଜର ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ପରିବର୍ତ୍ତନ ଘୋଷଣା କରିଛି। ଜାତୀୟ ଶିକ୍ଷା ନୀତି (NEP 2020) ଏବଂ ନ୍ୟାସନାଲ୍ କରିକୁଲମ୍ ଫ୍ରେମୱାର୍କ (NCF-SE 2023) ଆଧାରରେ ବୋର୍ଡ ଏହି ନୂଆ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଭାବେ 'ତ୍ରିଭାଷୀ ସୂତ୍ର' ଏବଂ ନବମ ଶ୍ରେଣୀର ଗଣିତ ତଥା ବିଜ୍ଞାନ ପାଇଁ ଏକ ନୂଆ 'ଟୁ-ଲେଭଲ୍' ସିଷ୍ଟମ୍ ଲାଗୁ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଫଳରେ ବର୍ତ୍ତମାନ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ୨୦୨୮ରେ ଏକ ସମ୍ପୂର୍ଣ୍ଣ ନୂଆ ବୋର୍ଡ ପରୀକ୍ଷା ପ୍ୟାଟର୍ଣ୍ଣର ସାମ୍ନା କରିବେ।

Also Read: Digital Census 2027: ୧୫ ବର୍ଷ ପରେ ପ୍ରଥମ ଥର ଡିଜିଟାଲ୍ ସର୍ଭେ, ଜାଣନ୍ତୁ କେଉଁ ୩୩ଟି ପ୍ରଶ୍ନର ଦେବାକୁ ହେବ ଉତ୍ତର
ନୂଆ ତ୍ରିଭାଷୀ ସୂତ୍ର(3-Language Formula):
କେବେଠୁ ଲାଗୁ ହେବ
: ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ ଷଷ୍ଠ ଶ୍ରେଣୀ ପାଇଁ ୩ଟି ଭାଷା ପଢ଼ିବା ବାଧ୍ୟତାମୂଳକ ହେବ ଏବଂ ପର୍ଯ୍ୟାୟକ୍ରମେ ୨୦୩୦-୩୧ ସୁଦ୍ଧା ଏହା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ।
୩ଟି ସ୍ତର: ଭାଷା ବିଷୟଗୁଡ଼ିକୁ R1, R2 ଏବଂ R3 ଭାବେ ତିନୋଟି ସ୍ତରରେ ବିଭକ୍ତ କରାଯାଇଛି। R1 ଛାତ୍ରଛାତ୍ରୀଙ୍କ ମୁଖ୍ୟ ବା ସବୁଠାରୁ ଶକ୍ତିଶାଳୀ ଭାଷା ହେବ ଏବଂ R2 ଏକ ଭିନ୍ନ ଭାଷା ହେବ। R1 ଏବଂ R2 ସମାନ ହୋଇପାରିବ ନାହିଁ। ଏହି ଦୁଇଟି ସ୍ତର ପାଇଁ ସିଲାବସ୍ ଓ ପରୀକ୍ଷା ପ୍ରଣାଳୀ ମଧ୍ୟ ଅଲଗା ହେବ।
ଭାରତୀୟ ଭାଷାକୁ ଗୁରୁତ୍ୱ: ନିୟମ ଅନୁଯାୟୀ, ଏହି ୩ଟି ଭାଷା ମଧ୍ୟରୁ ଅତିକମରେ ଦୁଇଟି ଭାରତୀୟ ଭାଷା ହୋଇଥିବା ବାଧ୍ୟତାମୂଳକ (ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଥିବା ୪୪ଟି ଭାଷା ମଧ୍ୟରୁ)।
 ବୋର୍ଡ ପରୀକ୍ଷାରେ ପରିବର୍ତ୍ତନ: ସିବିଏସଇ ଅଧ୍ୟକ୍ଷ ରାହୁଲ ସିଂହ କହିଛନ୍ତି ଯେ, ୨୦୨୭ ହେଉଛି ପୁରୁଣା ବ୍ୟବସ୍ଥାରେ ଶେଷ ବୋର୍ଡ ପରୀକ୍ଷା। ୨୦୨୮ ବୋର୍ଡ ପରୀକ୍ଷାରେ ଭାଷା ବିଷୟ ପାଇଁ ଦୁଇ ଦିନ (R1 ଓ R2) ପରୀକ୍ଷା ହେବ। କିନ୍ତୁ ୨୦୩୧ ରୁ ତିନୋଟି ଯାକ ଭାଷା ପାଇଁ ତିନି ଦିନ (R1, R2, R3) ପରୀକ୍ଷା ଅନୁଷ୍ଠିତ ହେବ।
ଗଣିତ ଓ ବିଜ୍ଞାନ ପାଇଁ ନୂଆ 'ଟୁ-ଲେଭଲ୍ ସିଷ୍ଟମ୍'.

Also Read: ରାଜ୍ୟରେ ଆରମ୍ଭ ହେଲା ଡିଜିଟାଲ୍ ଜନଗଣନା, ପ୍ରଥମେ ରାଜ୍ୟପାଳ କଲେ ସ୍ବଗଣନା
ବର୍ତ୍ତମାନ ଥିବା 'ବେସିକ୍ ଓ ଷ୍ଟାଣ୍ଡାର୍ଡ' ଗଣିତ ବ୍ୟବସ୍ଥାକୁ ଉଚ୍ଛେଦ କରି ୨୦୨୬-୨୭ ରୁ ନବମ ଶ୍ରେଣୀରେ ଏକ ନୂଆ 'ଟୁ-ଲେଭଲ୍' ସିଷ୍ଟମ୍ ଲାଗୁ କରାଯିବ। ୨୦୨୮ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀ ଏହି ନୂଆ ଫର୍ମାଟ୍‌ରେ ପରୀକ୍ଷା ଦେବେ।
 ମୁଖ୍ୟ ପରୀକ୍ଷା: ସମସ୍ତ ଛାତ୍ରଛାତ୍ରୀଙ୍କୁ ୮୦ ମାର୍କର ଏକ ସାଧାରଣ ଷ୍ଟାଣ୍ଡାର୍ଡ ପରୀକ୍ଷା (୩ ଘଣ୍ଟା) ଦେବାକୁ ପଡ଼ିବ। ଏହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ।
 ଆଡଭାନ୍ସଡ୍ ପରୀକ୍ଷା: ଯେଉଁମାନେ ଏହି ବିଷୟଗୁଡ଼ିକରେ ଅଧିକ ଦକ୍ଷତା (HOTS) ହାସଲ କରିବାକୁ ଚାହୁଁଛନ୍ତି, ସେମାନେ ନିଜ ଇଚ୍ଛାରେ ଏକ ଅତିରିକ୍ତ 'ଆଡଭାନ୍ସଡ୍' ପରୀକ୍ଷା ଦେଇପାରିବେ, ଯାହାକି ୨୫ ମାର୍କ ଏବଂ ୧ ଘଣ୍ଟା ବିଶିଷ୍ଟ ହେବ।

  •   ଏହି ଆଡଭାନ୍ସଡ୍ ପରୀକ୍ଷାର ମାର୍କ ମୁଖ୍ୟ ରେଜଲ୍ଟର ସମୁଦାୟ ମାର୍କରେ ମିଶିବ ନାହିଁ। କିନ୍ତୁ ଯଦି ଜଣେ ବିଦ୍ୟାର୍ଥୀ ଏଥିରେ ୫୦% ରୁ ଅଧିକ ମାର୍କ ରଖନ୍ତି, ତେବେ ଏହା ତାଙ୍କ ମାର୍କସିଟ୍‌ରେ ସ୍ୱତନ୍ତ୍ର ଭାବେ ଉଲ୍ଲେଖ ହୋଇ ରହିବ। ଇଣ୍ଟରନାଲ ଆସେସମେଣ୍ଟ୍ (୨୦ ମାର୍କ) ପୂର୍ବଭଳି ଅପରିବର୍ତ୍ତିତ ରହିବ।
  • ସାମାଜିକ ବିଜ୍ଞାନ, AI ଏବଂ ଅନ୍ୟାନ୍ୟ ପ୍ରସଙ୍ଗ
  •   ସାମାଜିକ ବିଜ୍ଞାନ (Social Science): ଏହି ବିଷୟ ପାଇଁ ନୂଆ ପୁସ୍ତକ ପ୍ରସ୍ତୁତ କରାଯିବ ଯେଉଁଥିରେ ଘୋଷିବା ବଦଳରେ କେସ୍ ଷ୍ଟଡି (Case study) ଏବଂ ବିଶ୍ଳେଷଣାତ୍ମକ ଜ୍ଞାନ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ତେବେ ପରୀକ୍ଷା ପ୍ୟାଟର୍ଣ୍ଣ ପୂର୍ବଭଳି ୮୦ (ଲିଖିତ) + ୨୦ (ପ୍ରାକ୍ଟିକାଲ୍) ରହିବ।
  •   କମ୍ପ୍ୟୁଟର୍ ଏବଂ AI: କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ (CT) ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କୁ ୨୦୨୭-୨୮ ଶିକ୍ଷାବର୍ଷରୁ ପର୍ଯ୍ୟାୟକ୍ରମେ ସାମିଲ କରାଯିବ। ୨୦୨୯ ମସିହାରୁ ବୋର୍ଡ ପରୀକ୍ଷାରେ ବାହ୍ୟ ପରୀକ୍ଷକଙ୍କ ଦ୍ୱାରା ଏହାର ମୂଲ୍ୟାୟନ ବାଧ୍ୟତାମୂଳକ ହେବ।
  •   ଧନ୍ଦାମୂଳକ ଓ କଳା ଶିକ୍ଷା: ଭୋକେସନାଲ୍ ଏଜୁକେସନ୍ (ଧନ୍ଦାମୂଳକ ଶିକ୍ଷା), ଶାରୀରିକ ଶିକ୍ଷା (Physical Education) ଏବଂ କଳା ଶିକ୍ଷା ଭଳି ବିଷୟଗୁଡ଼ିକର ଆସେସମେଣ୍ଟ ସିଧାସଳଖ ସ୍କୁଲ୍ ସ୍ତରରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଇଣ୍ଟରନାଲ୍ ମୂଲ୍ୟାୟନ ମାଧ୍ୟମରେ କରାଯିବ ବୋଲି ସିବିଏସଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।