ନୂଆଦିଲ୍ଲୀ: ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଓ ଐତିହାସିକ ପରିବର୍ତ୍ତନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଚଳିତ ବର୍ଷର ଦ୍ୱିତୀୟ ଦଶମ ବୋର୍ଡ ପରୀକ୍ଷା (CBSE Class 10 Second Board Exam 2026)ର ଫଳାଫଳ ପ୍ରକାଶ ପାଇଛି। ଜାତୀୟ ଶିକ୍ଷା ନୀତି (NEP 2020) ଅଧୀନରେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀଙ୍କୁ ଗୋଟିଏ ବର୍ଷରେ ହିଁ ନିଜର ନମ୍ବର ସୁଧାରିବା ପାଇଁ ଏହି ସୁବର୍ଣ୍ଣ ସୁଯୋଗ ମିଳିଥିଲା। ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ ସିଧାସଳଖ ଡିଜିଲକର (DigiLocker) ପୋର୍ଟାଲକୁ ଯାଇ ବିନା କୌଣସି ଅସୁବିଧାରେ ନିଜର ଡିଜିଟାଲ୍ ମାର୍କସିଟ୍ ଦେଖିପାରିବେ ଏବଂ ଡାଉନଲୋଡ୍ କରିପାରିବେ।

ପାସ୍ ହାରରେ ବଡ଼ ରେକର୍ଡ:

ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ବର୍ଷ ରେଜଲ୍ଟ ବେଶ୍ ଭଲ ହୋଇଛି। ପ୍ରଥମ ମୁଖ୍ୟ ବୋର୍ଡ ପରୀକ୍ଷା ଏବଂ ଏହି ଦ୍ୱିତୀୟ ବୋର୍ଡ ପରୀକ୍ଷାର ମାର୍କକୁ ମିଶାଇ ଚଳିତ ବର୍ଷ ମୋଟ ପାସ୍ ହାର ୯୬.୭୮% ରେ ପହଞ୍ଚିଛି। ପ୍ରାୟ ୯୭ ପ୍ରତିଶତ ପିଲା ପାସ୍ କରିବା ଶିକ୍ଷା ବିଭାଗ, ଶିକ୍ଷକ ଏବଂ ଅଭିଭାବକଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେଇଛି। ଆଉ ଏହି ସୁବିଧା ଦ୍ବାରା ଛାତ୍ରଛାତ୍ରୀ ବେଶ୍ ଉପକୃତ ହୋଇଥିବା କୁହାଯାଇଛି।

କେମିତି ଚେକ୍ କରିବେ ମାର୍କସିଟ୍?

ୱେବସାଇଟ୍: ନିଜ ଫୋନ୍ ବା କମ୍ପ୍ୟୁଟରରେ www.digilocker.gov.in ଓପନ୍ କରନ୍ତୁ କିମ୍ବା ଆପ୍ ଡାଉନଲୋଡ୍ କରନ୍ତୁ।

ଲଗ୍-ଇନ୍: ମୋବାଇଲ୍ ନମ୍ବର କିମ୍ବା ଆଧାର କାର୍ଡ ନମ୍ବର ଦେଇ ଲଗ୍-ଇନ୍ କରନ୍ତୁ।

ସେକ୍ସନ ଚୟନ: ହୋମପେଜ୍ରେ ‘Issued Documents’ ସେକ୍ସନକୁ ଯାଇ CBSE ବୋର୍ଡକୁ ବାଛନ୍ତୁ।

ଲିଙ୍କ୍: ଏହାପରେ 'Class 10 Marksheet/Passing Certificate 2026' ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

ବିବରଣୀ: ନିଜର ରୋଲ୍ ନମ୍ବର, ସ୍କୁଲ୍ ନମ୍ବର ଏବଂ ଆଡମିଟ୍ କାର୍ଡ ଆଇଡି (Admit Card ID) ସଠିକ୍ ଭାବେ ଭରନ୍ତୁ।

ଡାଉନଲୋଡ୍: ସବମିଟ୍ (Submit) କ୍ଲିକ୍ କରିବା ମାତ୍ରେ ମାର୍କସିଟ୍ ଆସିଯିବ, ଏହାକୁ PDF ଫର୍ମାଟରେ ସେଭ୍ କରି ରଖନ୍ତୁ।

Also Read: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ, ପିଲାଙ୍କୁ ନବମ ଶ୍ରେଣୀରେ ତୃତୀୟ ଭାଷା ପଢାଇବା ଠିକ୍ ନୁହେଁ

କେମିତି କାମ କରିବ ‘ବେଷ୍ଟ ଅଫ୍ ଟୁ’ (Best of Two) ଫର୍ମୁଲା ?

ସୂଚନାଥାଉକି, ବୋର୍ଡ ଚଳିତ ବର୍ଷ ‘ବେଷ୍ଟ ଅଫ୍ ଟୁ’ ଫର୍ମୁଲା ଆପଣାଇଛି। ଏହାର ଅର୍ଥ ହେଉଛି, ଦୁଇଟି ଯାକ ବୋର୍ଡ ପରୀକ୍ଷା (ପ୍ରଥମ ଏବଂ ଦ୍ୱିତୀୟ) ମଧ୍ୟରୁ ଯେଉଁ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ମାର୍କ ଅଧିକ ଥିବ, ତାହାକୁ ହିଁ ଅନ୍ତିମ ବା ଫାଇନାଲ୍ ମାର୍କସିଟ୍ରେ ଯୋଡ଼ାଯିବ। ଯଦି ଦ୍ୱିତୀୟ ପରୀକ୍ଷାରେ ମାର୍କ କମ୍ ମଧ୍ୟ ଆସିଥାଏ, ତେବେ ପ୍ରଥମ ପରୀକ୍ଷାର ଅଧିକ ମାର୍କ ହିଁ ବଳବତ୍ତର ରହିବ। ଏହି ନିୟମ ଯୋଗୁ ଛାତ୍ରଛାତ୍ରୀମାନେ କୌଣସି ମାନସିକ ଚାପ ନରଖି ପରୀକ୍ଷା ଦେଇଥିଲେ ଏବଂ ନିଜର ସ୍କୋର ବଢ଼ାଇବାରେ ସଫଳ ହୋଇଛନ୍ତି। ଦ୍ୱିତୀୟ ବୋର୍ଡ ପରୀକ୍ଷା ୨୦୨୬ ମେ ୧୫ରୁ ୨୧ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ମୋଟ ୬,୬୩,୭୭୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।