ନୂଆଦିଲ୍ଲୀ: କେନ୍ଦ୍ର ସରକାର କ୍ୟାନ୍ସର ଔଷଧ ଉପରେ ଟ୍ରେଡ୍ ମାର୍ଜିନ୍ ନିୟନ୍ତ୍ରଣ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଅଧିକ ମାର୍କଅପ୍‌କୁ ରୋକା ଯାଇପାରିବ ଏବଂ ଉଚିତ୍ ମାର୍ଜିନ୍ ସୁନିଶ୍ଚିତ ହୋଇପାରିବ । କେନ୍ଦ୍ର ସରକାର ସୋମବାର ସୁପ୍ରିମକୋର୍ଟରେ ଏହି କଥା କହିଛନ୍ତି । ସଲିସିଟର ଜେନେରାଲ୍ ତୁଷାର ମେହଟ୍ଟା କହିଛନ୍ତି ଯେ କେନ୍ଦ୍ର ସରକାର ସେହି ସବୁ ଔଷଧଙ୍କ ଏକ ଲିଷ୍ଟ ଜାରି କରିବେ, ଯାହା ଉପରେ ୩୦ ପ୍ରତିଶତ ଟ୍ରେଡ୍ ମାର୍ଜିନ୍ ସୀମା ଲାଗୁ ହେବ ।

ତୁଷାର ମେହେଟ୍ଟା କୋର୍ଟଙ୍କୁ ଅବଗତ କରାଇଛନ୍ତି ଯେ ବଜାର ସ୍ଥିତି ଏବଂ ସାର୍ବଜାନୀନ ସ୍ୱାସ୍ଥ୍ୟର ଆବଶ୍ୟକତାକୁ ଦୃଷ୍ଟିରେ ରେଖି ଲିଷ୍ଟକୁ ଅପଡେଟ୍ କରାଯିବ । ଏଥିରେ ନୂଆ ଔଷଧକୁ ସାମିଲ କରାଯିବ ଏଂ ଶସ୍ତା ଔଷଧଗୁଡ଼ିକୁ ଏଥିରୁ ବାହାର ରଖାଯିବ ।

ସୁପ୍ରମକୋର୍ଟ ଔଷଧଗୁଡ଼ିକର ମୂଲ୍ୟର ବ୍ୟାପକ ଯାଞ୍ଚର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି, ଏହି ପ୍ରକ୍ରିୟା କେବଳ କ୍ୟାନ୍ସର ନିରୋଧ ଔଷଧ ଯାଏଁ ସୀମିତ ନ ରହିବା ଦରକାର ବରଂ ପୂରା ଫାର୍ମାସ୍ୟୁଟିକଲ୍ ବଜାରରେ ଲାଗୁ ହେବା ଦରକାର । ସୁପ୍ରିମକୋର୍ଟ ଅଣ-ତାଲିକା ଔଷଧଗୁଡ଼ିକର ପ୍ରାରମ୍ଭିକ ମୂଲ୍ୟକୁ ନିୟନ୍ତ୍ରିତ କରିବା ଏବଂ ମେଡିକାଲ୍ ଡିଭାଇସ୍ ମୂଲ୍ୟ ଉପରେ ସୀମା ନିର୍ଦ୍ଧାରଣ ଉପରେ ଆବେଦନର ଶୁଣାଣି ଅକ୍ଟୋବର ୨୭ରେ କରିବାକୁ ସ୍ଥିର କରିଛନ୍ତି ।

ଏମ୍‌ଆର୍‌ପି ଉପରେ ୨୦-୭୦ ପ୍ରତିଶତ ମୂଲ୍ୟ ହ୍ରାସ, ବାର୍ଷିକ ୨୫୦୦ କୋଟି ସଞ୍ଚୟ, ଗ୍ରାହକଙ୍କ ଖର୍ଚ୍ଚ ହ୍ରାସ, ଔଷଧର ସୁଲଭତା ଓ ଉପଲବ୍ଧତା ବୃଦ୍ଧି ହେବ ବୋଲି ଆଶା କରାଯାଉଛି । କେନ୍ଦ୍ର ସରକାର ଏହା ମଧ୍ୟ କହିଛନ୍ତି ଯେ ଏହି ଔଷଧ ପାଇଁ ୩୦% ଏକ ଯୁକ୍ତିଯୁକ୍ତ ମାର୍ଜିନ୍ କ୍ୟାପ୍ ହେବ ।

ପୂର୍ବ ଶୁଣାଣିରେ, ସୁପ୍ରିମକୋର୍ଟ ଷ୍ଟାଣ୍ଡାର୍ଡ ୧୬% ଖୁଚୁରା ମାର୍ଜିନକୁ ସମସ୍ତ ଅଣ-ସୂଚୀବଦ୍ଧ ଏବଂ ହସ୍ପିଟାଲରେ ମିଳୁଥିବା ଔଷଧ ପାଇଁ ସମାନ ଭାବରେ ଲାଗୁ କରିବାକୁ ପରାମର୍ଶ ଦେଇଥିଲେ । ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଏହି ପ୍ରସ୍ତାବ ଉପରେ ଧ୍ୟାନ ଦେଇଥିଲେ ଏବଂ କ୍ୟାନ୍ସର ଔଷଧ ଉପରେ ମୂଲ୍ୟ ନିୟନ୍ତ୍ରଣକୁ ଛୋଟ ବୋଲି କହିଥିଲେ । ଖଣ୍ଡପୀଠ କହିଥିଲେ, "ଆମେ କେବଳ କ୍ୟାନ୍ସର ଔଷଧ ନୁହେଁ, ସମଗ୍ର ଔଷଧ ବଜାରର ମୂଲ୍ୟ ଦେଖିବାକୁ ଚାହୁଁଛୁ ।"