ନୂଆଦିଲ୍ଲୀ: କାନାଡା ସରକାର ସୋମବାର ବିଷ୍ନୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛନ୍ତି । ଏକ ସରକାରୀ ବିବୃତ୍ତି ଅନୁସାରେ, "କାନାଡାରେ ହିଂସା ଏବଂ ଆତଙ୍କବାଦର କୌଣସି ସ୍ଥାନ ନାହିଁ । ବିଶେଷକରି ଯେଉଁଥିରେ ଏକ ସମ୍ପ୍ରଦାୟକୁ ଟାର୍ଗେଟ କରି ଭୟ ଏବଂ ଆତଙ୍କର ପରିବେଶ ସୃଷ୍ଟି କରେ।" କାନାଡାର ପବ୍ଲିକ୍ ସେଫ୍ଟି ମନ୍ତ୍ରୀ ଗ୍ୟାରି ଆନନ୍ଦସଙ୍ଗରୀ ଘୋଷଣା କରିଛନ୍ତି ଯେ କାନାଡା ସରକାର ଅପରାଧ ସଂହିତା ଅନୁଯାୟୀ ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ସଂଗଠନ ଭାବରେ ତାଲିକାଭୁକ୍ତ କରିଛନ୍ତି 

ମନ୍ତ୍ରୀ ଗ୍ୟାରି ଆନନ୍ଦସାଙ୍ଗରୀ କହିଛନ୍ତି, "କାନାଡାର ପ୍ରତ୍ୟେକ ବ୍ୟକ୍ତିର ନିଜ ଘରେ ଏବଂ ସମ୍ପ୍ରଦାୟରେ ସୁରକ୍ଷିତ ଅନୁଭବ କରିବାର ଅଧିକାର ଅଛି । ବିଷ୍ନୋଇ ଗ୍ୟାଙ୍ଗ ଭୟ ଏବଂ ହିଂସା ମାଧ୍ୟମରେ କିଛି ସମ୍ପ୍ରଦାୟକୁ ଟାର୍ଗେଟ କରିଛି । ଏହି ଗ୍ୟାଙ୍ଗକୁ ଆତଙ୍କବାଦୀ ତାଲିକାରେ ରଖିବା ଦ୍ୱାରା ଆମେ ସେମାନଙ୍କ ଅପରାଧକୁ ରୋକିବା ଏବଂ ସମାଜରେ ସୁରକ୍ଷା ସୁନିଶ୍ଚିତ କରି ପାରିବା ।"

କାନାଡା ସରକାରଙ୍କ ଅନୁଯାୟୀ, ବର୍ତ୍ତମାନ କାନାଡାରେ ମୋଟ ୮୮ଟି ଆତଙ୍କବାଦୀ ସଂଗଠନ ତାଲିକାଭୁକ୍ତ ଅଛି । କ୍ରିମିନାଲ୍ କୋଡ୍ ଅଧିନରେ କୌଣସି ଆତଙ୍କବାଦୀ ସଂଗଠନର ସମ୍ପତ୍ତି କିମ୍ବା ଆର୍ଥିକ ସେବା ସହିତ କାରବାର କରିବା ଏକ ଅପରାଧ । କାନାଡାର ରୟାଲ କାନାଡିଆନ ମାଉଣ୍ଟେଡ୍ ପୋଲିସ (RCMP) ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା, ଚିହ୍ନଟ କରିବା ଏବଂ ତଦନ୍ତ କରିବ ।

ଏହି ଘୋଷଣା ପରେ କାନାଡାରେ ବିଷ୍ନୋଇ ଗ୍ୟାଙ୍ଗର ସମ୍ପତ୍ତି ଜବତ କିମ୍ବା ଫ୍ରିଜ୍ କରାଯାଇପାରିବ । ଏହି ଗ୍ୟାଙ୍ଗ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂସ୍ଥାଗୁଡ଼ିକୁ ଅଧିକ କ୍ଷମତା ମିଳିବ । ଏହା ଦ୍ୱାରା ଆତଙ୍କବାଦୀ କାର୍ଯ୍ୟକଳାପ ଉପରୋ ରୋକ୍ ଲଗାଯାଇପାରିବ । କାନାଡା ସରକାରଙ୍କ ଅନୁଯାୟୀ, କାନାଡାରେ ବିଷ୍ନୋଇ ଗ୍ୟାଙ୍ଗଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ପ୍ରବାସୀ ସମ୍ପ୍ରଦାୟ ଥିବା ଅଞ୍ଚଳରେ ସକ୍ରିୟ ଅଛି । ବିଷ୍ନୋଇ ଗ୍ୟାଙ୍ଗ ହତ୍ୟା, ଗୁଳିମାଡ଼ ଏବଂ ପୋଡ଼ାଜଳାରେ ସାମିଲ ଅଛି ।