ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ କୃଷକ ଏବଂ ଦେଶର ବିକାଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କ୍ୟାବିନେଟ୍ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏହା ସହିତ ତିନି ବଡ଼ ଯୋଜନା ପାଇଁ ମୋଟ ୨,୭୯,୧୫୭ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ରବି ବିପଣନ ଋତୁ ୨୦୨୭-୨୮ ପାଇଁ ଗହମର ସର୍ବନିମ୍ନ ସହାୟକ ମଲ୍ୟରେ ୨୫ ଟଙ୍କା ବୃଦ୍ଧି କରାଯାଇଛି । ଏବେ ଗହମର ପ୍ରତି କ୍ୱିଣ୍ଟାଲ ଏମ୍‌ଏସ୍‌ପି ୨୬୧୦ ଟଙ୍କା ହେବ । ଏହି ବୃଦ୍ଧି ଚାଷୀଙ୍କୁ ସେମାନଙ୍କ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ସୁନିଶ୍ଚିତ କରିବାରେ ସହାୟକ ହେବ । କ୍ୟାବିନେଟ୍ ରବି ଫସଲଗୁଡ଼ିକର ମୂଲ୍ୟ ଲାଗି ୯୦,୯୬୨ କୋଟି ଟଙ୍କା ମଞ୍ଜୁର କରିଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ (ସିଏସିପି) ଦ୍ୱାରା ଛଅ ପ୍ରମୁଖ ରବି ଫସଲ ପାଇଁ ଏମ୍‌ଏସ୍‌ପି ବୃଦ୍ଧି ସୁପାରିଶ କରାଯାଇଥିଲା ।

ଗହମ: ଗହମର ଆନୁମାନିକ ଉତ୍ପାଦନ ଖର୍ଚ୍ଚ ୧୨୬୪ ଟଙ୍କା ପ୍ରତି କ୍ୱିଣ୍ଟାଲ ଆକଳନ କରାଯାଇଛି । ଏବେ ଗହମର ଏମ୍‌ଏସ୍‌ପି ୨୬୧୦ ଟଙ୍କା ପ୍ରତି କ୍ୱିଣ୍ଟାଲ ହେବ । ଏହି ମୂଲ୍ୟରେ ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚ ଉପରେ ସର୍ବାଧିକ ୧୦୬ ପ୍ରତିଶତର ନେଟ୍ ପ୍ରଫିଟ୍ ମାର୍ଜିନ୍ ମିଳିବ ।

ସୋରିଷ: ସୋରିଷର ଆନୁମାନିକ ଉତ୍ପାଦନ ଖର୍ଚ୍ଚ କ୍ୱିଣ୍ଟାଲ ପିଛା ୩୩୬୭ ଟଙ୍କା ତୁଳନାରେ ଏମ୍‌ଏସ୍‌ପି ୭୩୯୦ ଟଙ୍କା ପ୍ରତି କ୍ୱିଣ୍ଟାଲ ରଖାଯାଇଛି । ଏହି ଆଧାରରେ ଚାଷୀଙ୍କୁ ୫୯ ପ୍ରତିଶତର ପ୍ରଫିଟ୍ ମାର୍ଜିନ ସୁନିଶ୍ଚିତ କରାଯାଇଛି ।

ମସୁର ଡାଲି: ମସୁର ଡାଲିର ସୁପାରିଶ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୭,୩୯୦ ଟଙ୍କା, ଯାହାର ଉତ୍ପାଦନ ମୂଲ୍ୟ କ୍ୱିଣ୍ଟାଲ ପ୍ରତି ୩,୮୫୪ ଟଙ୍କା । ଚାଷୀମାନଙ୍କୁ ୯୨ ପ୍ରତିଶତ ଲାଭ ହେବ ।

ଚଣା: ଚଣାର ଆନୁମାନିକ ଉତ୍ପାଦନ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୩୭୫୧ ହୋଇଥିବା ବେଳେ ସୁପାରିଶ କରାଯାଇଥିବା ଏମ୍‌ଏସ୍‌ପି ୫,୯୫୮ ପ୍ରତି କ୍ୱିଣ୍ଟାଲ । ଏହା ମୂଲ୍ୟଠାରୁ ୫୯ ପ୍ରତିଶତ ଅଧିକ ମାର୍ଜିନ୍ ସୁନିଶ୍ଚିତ କରୁଛି ।

ଯବ: ଯବ ଉତ୍ପାଦନ ଖର୍ଚ୍ଚ ପ୍ରତି କ୍ୱିଣ୍ଟାଲ ୧,୪୪୭ ଟଙ୍କା ଏବଂ ଏହାର ସୁପାରିଶ କରାଯାଇଥିବା ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରତି କ୍ୱିଣ୍ଟାଲ ୨,୨୮୬ ଟଙ୍କା ସ୍ଥିର କରାଯାଇଛି । ଚାଷୀମାନଙ୍କୁ ୫୮ ପ୍ରତିଶତ ଲାଭ ସୁନିଶ୍ଚିତ କରିବ ।

କୁସୁମ: କୁସୁମର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା ୭୨୧୫ ଟଙ୍କା ସୁପାରିଶ କରାଯାଇଛି, ଯାହା ଆନୁମାନିକ ଉତ୍ପାଦନ ମୂଲ୍ୟ କ୍ୱିଣ୍ଟାଲ ପିଛା ୪୮୧୦ ଟଙ୍କା ଠାରୁ ୫୦ ପ୍ରତିଶତ ଅଧିକ ।

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ କ’ଣ?

ପ୍ରଧାନମନ୍ତ୍ରୀ ଧାରା ଯୋଜନା ପାଇଁ କ୍ୟାବିନେଟ୍ ୧,୮୬,୪୦୫ କୋଟି ଟଙ୍କାକୁ ଅନୁମୋଦନ କରିଛି । ଏହି ଯୋଜନା ନବୀକରଣ ଶକ୍ତିର ପହଞ୍ଚକୁ ସହଜ ଏବଂ ତ୍ୱରାନ୍ୱିତ କରିବା ଉପରେ କେନ୍ଦ୍ରୀତ । ବ୍ୟାଟେରୀ ଶକ୍ତି ସଂରକ୍ଷଣ ପ୍ରଣାଳୀ ସହିତ ଆନ୍ତଃରାଜ୍ୟ ପରିବହନ ପ୍ରଣାଳୀର ବିକାଶ ପାଇଁ କ୍ୟାବିନେଟ୍ ସବୁଜ ଶକ୍ତି କରିଡର ଫେଜ୍-୩ ଯୋଜନାକୁ ମଧ୍ୟ ଅନୁମୋଦନ କରିଛି । ଏହି ଯୋଜନା ୨୦୨୫ ସୁଦ୍ଧା ୯୦୦ ଗିଗାୱାଟ୍ ଅଣ-ଜୀବାଶ୍ମ ଇନ୍ଧନ କ୍ଷମତା ସ୍ଥାପନ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ।