ଭୁବନେଶ୍ୱର: ଆଜି ଭାରତରେ ଇ-୨୦( ୨୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ)କୁ ନେଇ ପ୍ରବଳ ହୋହଲ୍ଲା ଚାଲିଛି। ଗାଡ଼ି ଖରାପ ହେଉଥିବା ଅଭିଯୋଗ କରି ଗାଡ଼ି ମାଲିକମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଥିବା ବେଳେ ସରକାର ଇ-୨୦ ପେଟ୍ରୋଲର ସଫଳତାରେ ବାରମ୍ବାର ବ୍ରାଜିଲ ମଡେଲର ଉଦାହରଣ ଦେଉଛନ୍ତି।

ବ୍ରାଜିଲରେ ଆଜି ଇ-୨୦ ପେଟ୍ରୋଲରେ ଗାଡ଼ିଗୁଡ଼ିକ ଚାଲୁଛି। ସେଠି କୌଣସି ସମସ୍ୟା ନାହିଁ। କାରଣ ବ୍ରାଜିଲ ଭାରତ ଭଳି ଏମିତ ହଠାତ୍ ଲୋକଙ୍କ ଉପରେ ଇଥାନଲ ଥୋପି ଦେଇ ନାହିଁ। ବରଂ ଦୀର୍ଘ ୫୦ ବର୍ଷର ଅନେକ ପରୀକ୍ଷଣ, ଅନେକ ଉତ୍ଥାପନ ପତନ ପରେ ଯାଇ ବ୍ରାଜିଲ ଆଜି ସଫଳତା ହାସଲ କରିଛି। ତଥାପି ବ୍ରାଜିଲରେ ଗ୍ରାହକଙ୍କ ପାଇଁ ଅନ୍ୟ ବିକଳ୍ପ ରହିଛି। ସେମାନେ ଚାହିଁଲେ ପେଟ୍ରୋଲ ନେଇପାରିବେ ନହେଲେ ଇଥାନଲ। ହେଲେ ଭାରତରେ ତାହା ନାହିଁ। ଦେଶର ତୈଳ ସଂକଟ ଦୂର କରିବା ପାଇଁ ବ୍ରାଜିଲ୍ ଯେଉଁ ଲମ୍ବାଯାତ୍ରା ଅତିକ୍ରମ କରି ଆଜି ସଫଳତା ପାଇଛି, ଆସନ୍ତୁ ସେ ବିଷୟରେ ଜାଣିବା।

ତୈଳ ସଂକଟରୁ ଇଥାନଲ କ୍ରାନ୍ତି

ବ୍ରାଜିଲ୍ କୌଣସି ପରିବେଶ ଅନୁକୂଳ କିମ୍ବା ସ୍ୱଚ୍ଛ ଇନ୍ଧନର ସନ୍ଧାନରେ ଇଥାନଲ ମିଶ୍ରଣର ନିଷ୍ପତ୍ତି ନେଇ ନଥିଲା ବରଂ ଏକ ବଡ଼ ଆର୍ଥିକ ଓ ତୈଳ ସଂକଟର ମୁକାବିଲା କରିବା ଉଦ୍ଦେଶ୍ୟରେ ବ୍ରାଜିଲ ଏହି ନିଷ୍ପତ୍ତି ନେଇଥିଲା। ବାସ୍ତବରେ, ବ୍ରାଜିଲରେ ୧୯୩୧ ମସିହାରୁ ହିଁ ପେଟ୍ରୋଲରେ ୫ ପ୍ରତିଶତ ଇଥାନଲ ମିଶାଇବା ବାଧ୍ୟତାମୂଳକ କରାଯାଇଛି। ହେଲେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତୈଳର ଘୋର ଅଭାବ ଦେଖାଦେବାରୁ ପେଟ୍ରୋଲରେ ୫୦ ପ୍ରତିଶତ ଇଥାନଲ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଥିଲା ବ୍ରାଜିଲ୍।

ତେବେ ୧୯୭୩ ମସିହାରେ ଆରବର ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ଆମେରିକା ଓ ତାହାର ସହଯୋଗୀ ଦେଶଗୁଡ଼ିକୁ ଅଶୋଧିତ ତୈଳ ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ। ସେତେବେଳେ ବିଶ୍ୱରେ ଘୋର ତୈଳ ସଙ୍କଟ ଦେଖା ଦେଇଥିଲା। ଏହାର ପ୍ରଭାବରେ ସମଗ୍ର ବିଶ୍ୱରେ ଅଶୋଧିତ ତୈଳର ଦାମ ହଠାତ୍ ଅନେକ ବଢ଼ିଗଲା। ସେତେବେଳେ ଅନ୍ୟ ଉପାୟ ନ ପାଇ ଇଥାନଲକୁ ଦେଶର ପ୍ରମୁଖ ଇନ୍ଧନ ନୀତିର ଅଂଶ କରିବାକୁ ନିଷ୍ପତ୍ତି ନେଇଥିଲା ବ୍ରାଜିଲ୍। ଏହି ଘଟଣାରୁ ବ୍ରାଜିଲ ଜାଣିପାରିଥିଲା ଯେ ପେଟ୍ରୋଲ ଓ ଡିଜେଲ ପାଇଁ ବିଦେଶ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିବା କେତେ ବଡ଼ ବିପଦ ସୃଷ୍ଟି କରିପାରେ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ରାଜିଲ ସରକାର ୧୯୭୫ ମସିହାରେ 'ନ୍ୟାସନାଲ ଆଲକୋହଲ ପ୍ରୋଗ୍ରାମ' (ପ୍ରୋ-ଆଲକୋହଲ) ଆରମ୍ଭ କରିଥିଲେ।

Also Read- ଭାରତର ଏହି ୫ ରାଜ୍ୟ କରୁଛନ୍ତି କମାଲ: ମୁଣ୍ଡପିଛା ଆୟରେ ଜାତୀୟ ହାରକୁ ଟପିଲେ

ସେହି ସମୟରେ ବ୍ରାଜିଲରେ ଆଖୁର ବ୍ୟାପକ ଉତ୍ପାଦନ ହେଉଥିଲା। ଦେଶରେ ଚିନିର ଉତ୍ପାଦନ ଚାହିଦାଠାରୁ ଅଧିକ ହେବାରୁ ଅନେକ ଚିନି କଳ ଅକାମି ହୋଇ ପଡ଼ିରହିଥିଲା। ହେଲେ ସରକାର ଏହାର ସୁଯୋଗ ନେଇ ଚିନି କଳଗୁଡ଼ିକୁ ଇଥାନଲ ଉତ୍ପାଦନରେ ନିୟୋଜିତ କରିଥିଲେ। ଏଥିପାଇଁ ସରକାର ଇଥାନଲ ଉତ୍ପାଦନକାରୀଙ୍କୁ ବ୍ୟାପକ ସବସିଡି, କମ୍ ସୁଧ ହାରରେ ଋଣ ଏବଂ ସରକାରୀ ତୈଳ କମ୍ପାନୀ ମାଧ୍ୟମରେ ଇଥାନଲ କ୍ରୟର ସମ୍ପୂର୍ଣ୍ଣ ନିଶ୍ଚିତ ଗ୍ୟାରେେଣ୍ଟି ବି ଦେଲେ। ଫଳରେ ଏଥିରେ ଦୁଇଟି ଲାଭ ହେଲା। ଗୋଟିଏ ହେଲା ବିଦେଶରୁ ଅଶୋଧିତ ତୈଳ ହ୍ରାସ ପାଇଲା, ଅନ୍ୟପଟେ ଆଖୁ ଚାଷୀମାନଙ୍କ ପାଇଁ ଏକ ସ୍ଥାୟୀ ଓ ନିଶ୍ଚିତ ବଜାର ସୃଷ୍ଟି ହୋଇପାରିଲା। ଚାଷୀମାନେ ବି ସ୍ୱାବଲମ୍ବି ହେଲେ।

୧୦୦% ଇଥାନଲରେ ଚାଲିଥିଲା ବିଶ୍ୱର ପ୍ରଥମ କାର୍

୧୯୭୫ରେ ଯୋଜନା ଆରମ୍ଭ କରିବାର ପରବର୍ତ୍ତୀ ବର୍ଷ, ଅର୍ଥାତ୍ ୧୯୭୬ରେ ବ୍ରାଜିଲ ସରକାର ପେଟ୍ରୋଲରେ ପ୍ରାୟ ୧୧ ପ୍ରତିଶତ ଇଥାନଲ (E11) ମିଶାଇବାକୁ ବାଧ୍ୟତାମୂଳକ କରିଦେଲେ। ତେବେ ପେଟ୍ରୋଲରେ ସାମାନ୍ୟ ଇଥାନଲ ମିଶାଇବା ସରକାରଙ୍କ ଲକ୍ଷ ନଥିଲା ବରଂ ଗାଡ଼ିକୁ ସମ୍ପୂର୍ଣ୍ଣ ଭାବେ ଇଥାନଲରେ ଚଲାଇବ ଥିଲା ପ୍ରମୁଖ ଲକ୍ଷ।

ଏହି ଲକ୍ଷ୍ୟ ପୂରଣ ପାଇଁ ସାରା ଦେଶରେ ଇଥାନଲ ଉତ୍ପାଦନ କାରଖାନାର ବ୍ୟାପକ ବିସ୍ତାର କରାଯାଇଥିଲା ଏବଂ ପେଟ୍ରୋଲ ପମ୍ପଗୁଡ଼ିକରେ ଇଥାନଲ ପହଞ୍ଚାଇବା ପାଇଁ ଆବଶ୍ୟକ ଯୋଗାଣ ବ୍ୟବସ୍ଥା ମଧ୍ୟ ବିକଶିତ କରାଗଲା। ଫଳସ୍ୱରୂପ, ୧୯୭୫-୭୬ରେ ଦେଶରେ ଯେଉଁଠାରେ ପ୍ରାୟ ୬୦୦ ମିଲିୟନ ଲିଟର ଇଥାନଲ ଉତ୍ପାଦନ ହେଉଥିଲା, ସେହି ମାତ୍ରା ୧୯୭୯-୮୦ ସୁଦ୍ଧା ବଢ଼ି ପ୍ରାୟ ୩.୪ ବିଲିୟନ (୩୪୦ କୋଟି) ଲିଟରରେ ପହଞ୍ଚିଗଲା।

ଇଥାନଲର ଉତ୍ପାଦନ ଓ ଯୋଗାଣ ବଢ଼ିବା ସହିତ ଅଟୋ କମ୍ପାନୀଗୁଡ଼ିକ ପାଇଁ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେଲା। ୧୯୭୯ରେ ବ୍ରାଜିଲରେ ଫିଆଟ୍ ୧୪୭ (Fiat 147) କାର୍ ଲଞ୍ଚ କରାଯାଇଥିଲା। ଏହା ବିଶ୍ୱର ପ୍ରଥମ ଯାତ୍ରୀବାହୀ କାର୍ ଥିଲା, ଯାହା ପେଟ୍ରୋଲ ନୁହେଁ, ବରଂ ୧୦୦ ପ୍ରତିଶତ ଇଥାନଲରେ ଚାଲୁଥିଲା। ବହୁ ପରିମାଣରେ ଏହାର ପ୍ରଡକ୍ସନ କରି ସାଧାରଣ ଲୋକଙ୍କ ପାଇଁ ବଜାରରେ ଉପଲବ୍ଧ କରାଯାଇଥିଲା।

Also Reporting- ମାତ୍ର ୩ ବର୍ଷରେ ଦେବାଳିଆରୁ ବିକଶିତ ଅର୍ଥନୀତି ଆଡ଼କୁ ଅଗ୍ରସର ଶ୍ରୀଲଙ୍କା: ଭାରତଠୁ ସାହାଯ୍ୟ ନେଇ ଭାରତକୁ ଟପିଗଲା

ସେହି ବର୍ଷ ଘଟିଥିବା ଦ୍ୱିତୀୟ ବିଶ୍ୱ ତୈଳ ସଙ୍କଟ ବ୍ରାଜିଲର ଇଥାନଲ କାର୍ଯ୍ୟକ୍ରମକୁ ଆହୁରି ଗତି ଦେଇଥିଲା। ୧୯୮୪ରୁ ୧୯୮୬ ମଧ୍ୟରେ ବ୍ରାଜିଲ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (E20)କୁ ସଫଳତାର ସହ ସ୍ଥାୟୀ ଭାବେ ଲାଗୁ କରିଥିଲା। ୧୯୮୦ ଦଶକର ମଝି ଭାଗରେ ଏପରି ସ୍ଥିତି ସୃଷ୍ଟି ହୋଇଥିଲା ଯେ, ବ୍ରାଜିଲରେ ପ୍ରତି ୪ ନୂଆ କାର୍ ମଧ୍ୟରୁ ୩ଟି, ଅର୍ଥାତ୍ ପ୍ରାୟ ୭୫ ପ୍ରତିଶତ କାର୍, କେବଳ ଇଥାନଲରେ ଚାଲୁଥିଲା।

ଇଥାନଲ କ୍ରାନ୍ତିରେ ବାଧକ ସାଜିଲା ଶସ୍ତା ପେଟ୍ରୋଲ

ପ୍ରତ୍ୟେକ କାହାଣୀରେ ଯେମିତି ଉତ୍ଥାନ-ପତନ ଥାଏ, ସେହିପରି ବ୍ରାଜିଲର ଇଥାନଲ ଯାତ୍ରାରେ ମଧ୍ୟ ଏକ ବଡ଼ ଉତ୍ଥାନ-ପତନ ଦେଖା ଦେଲା। ୧୯୮୦ ଦଶକର ଶେଷ ଭାଗରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦାମ ହଠାତ୍ ବହୁତ କମିଯାଇଥିଲା। ଫଳରେ ପେଟ୍ରୋଲର ମୂଲ୍ୟ ମଧ୍ୟ ଶସ୍ତା ହୋଇଯାଇଥିଲା।

ତେଣୁ ଇଥାନଲ ଉତ୍ପାଦନକାରୀ ଚିନି କଳଗୁଡ଼ିକ ଇଥାନଲ ବଦଳରେ ଚିନି ଉତ୍ପାଦନ କରି ବିକ୍ରି କରିବା ଅଧିକ ଲାଭଦାୟକ ବୋଲି ଭାବି ଏହାର ପ୍ରଡକ୍ସନ ଆରମ୍ଭ କରିଥିଲେ। ବିଶ୍ୱ ବଜାରରେ ଚିନିର ଦାମ ବୃଦ୍ଧି ପାଇଥିଲା। ଚିନିକଳଗୁଡ଼ିକ ଇଥାନଲ ଉତ୍ପାଦନ କମାଇ ଦେବାରୁ ବ୍ରାଜିଲରେ ଇଥାନଲର ଘୋର ଅଭାବ ସୃଷ୍ଟି ହୋଇଥିଲା।

୧୯୮୯ରୁ ୧୯୯୦ ମଧ୍ୟରେ ପରିସ୍ଥିତି ଏତେ ଗୁରୁତର ହୋଇଯାଇଥିଲା ଯେ, ଇଥାନଲରେ ଚାଲୁଥିବା ଗାଡ଼ିଗୁଡ଼ିକୁ ଇନ୍ଧନ ଭରିବା ପାଇଁ ପମ୍ପଗୁଡ଼ିକରେ ଲମ୍ବା ଲାଇନ ଲଗାଇବାକୁ ପଡ଼ିଥିଲା। ପର୍ଯ୍ୟାପ୍ତ ଇଥାନଲ ନ ମିଳିବାରୁ ସାଧାରଣ ଲୋକଙ୍କ ବିଶ୍ୱାସ ଇଥାନଲ ଚାଳିତ ଗାଡ଼ି ଉପରୁ ପ୍ରାୟ ସମ୍ପୂର୍ଣ୍ଣ ଉଠିଯାଇଥିଲା।

ଏହି ସମୟରେ ଶସ୍ତା ପେଟ୍ରୋଲ ଉପଲବ୍ଧ ଥିବାରୁ ସରକାରଙ୍କ ପାଇଁ ମଧ୍ୟ ଇଥାନଲ ଉପରେ ବ୍ୟାପକ ସବସିଡି ଜାରି ରଖିବା ଆର୍ଥିକ ଦୃଷ୍ଟିରୁ ଲାଭଜନକ ସାବ୍ୟସ୍ତ ହେଉଥିଲା। ଫଳସ୍ୱରୂପ, ଇଥାନଲ ଚାଳିତ କାରର ବିକ୍ରି ଦ୍ରୁତ ହ୍ରାସ ପାଇ ମାତ୍ର ୧୦ ପ୍ରତିଶତରେ ସୀମିତ ହୋଇଯାଇଥିଲା। ଶେଷରେ, ଜନସାଧାରଣଙ୍କ ଅସନ୍ତୋଷ ଏବଂ ସରକାରୀ ସହାୟତା ବନ୍ଦ ହେବା ପରେ ୧୯୯୦ ମସିହାରେ ଏହି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡ଼ିଥିଲା।

ଅନ୍ୟପଟେ, ବିଶ୍ୱ ବଜାରରେ ଚିନିର ଦାମ ବୃଦ୍ଧି ପାଇବାରୁ ଇଥାନଲ ଉତ୍ପାଦନକାରୀ ଚିନି କଳଗୁଡ଼ିକ ଭାବିଲେ ଯେ, ଇଥାନଲ ବଦଳରେ ଚିନି ଉତ୍ପାଦନ କରି ବିକ୍ରି କରିବା ଅଧିକ ଲାଭଦାୟକ। ଏହାର ପରିଣାମରେ ସେମାନେ ଇଥାନଲ ଉତ୍ପାଦନ କମାଇ ଦେଲେ, ଯାହାଫଳରେ ସମଗ୍ର ଦେଶରେ ଇଥାନଲର ଘୋର ଅଭାବ ଦେଖାଦେଲା।

୧୯୮୯ରୁ ୧୯୯୦ ମଧ୍ୟରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଥିଲା ଯେ, ଇଥାନଲରେ ଚାଲୁଥିବା ଗାଡ଼ିଗୁଡ଼ିକୁ ଇନ୍ଧନ ଭରିବା ପାଇଁ ପେଟ୍ରୋଲ ପମ୍ପରେ ଦୀର୍ଘ ଧାଡ଼ି ଲାଗୁଥିଲା। ପର୍ଯ୍ୟାପ୍ତ ଇଥାନଲ ନ ମିଳିବାରୁ ସାଧାରଣ ଲୋକଙ୍କର ଇଥାନଲ ଚାଳିତ ଗାଡ଼ି ଉପରେ ଥିବା ବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଥିଲା।

ଏହି ସମୟରେ ଶସ୍ତା ପେଟ୍ରୋଲ ଉପଲବ୍ଧ ଥିବାରୁ ସରକାରଙ୍କ ପାଇଁ ମଧ୍ୟ ଇଥାନଲ ଉପରେ ବ୍ୟାପକ ସବସିଡି ଜାରି ରଖିବା ଆର୍ଥିକ  କ୍ଷତି ସହିଲେ।ତେଣୁ ଏହିସବୁ ସମସ୍ୟା ପାଇଁ ଦେଖୁଦେଖୁ ଇଥାନଲ ଚାଳିତ କାରର ବିକ୍ରି ହ୍ରାସ ପାଇ ମାତ୍ର ୧୦ ପ୍ରତିଶତରେ ସୀମିତ ହୋଇଗଲା। ଶେଷରେ, ଜନସାଧାରଣଙ୍କ ଅସନ୍ତୋଷ ଏବଂ ସରକାରୀ ସହାୟତା ବନ୍ଦ ହେବା ପରେ ୧୯୯୦ ମସିହାରେ ବ୍ରାଜିଲ ଏହାର ଇଥାନଲ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲା। 

ଫ୍ଲେକ୍ସ-ଫ୍ୟୁଲ ଗାଡ଼ି ବଦଳାଇଲା ଦେଲା ବ୍ରାଜିଲର ଇଥାନଲ କ୍ରାନ୍ତିର ଭାଗ୍ୟ

୨୦୦୩ ମସିହାରେ ବ୍ରାଜିଲର ଇଥାନଲ ଯାତ୍ରାରେ ଆଉ ଏକ ଐତିହାସିକ ପରିବର୍ତ୍ତନ ଆସିଲା। ପରିବେଶ ସୁରକ୍ଷା ଓ ତୈଳ ସୁରକ୍ଷାକୁ ଦୃଷ୍ଟିରେ ଗାଡି ନିର୍ମାତା କମ୍ପାନୀମାନେ 'ଫ୍ଲେକ୍ସ-ଫ୍ୟୁଏଲ୍ ଭେହିକଲ୍ସ' (Flex-Fuel Vehicles - FFVs) ବା ଫ୍ଲେକ୍ସ ଇଞ୍ଜିନଯୁକ୍ତ ଗାଡ଼ି ବଜାରକୁ ଆଣିବା ଆରମ୍ଭ କରିଥିଲେ। ଏହି ଟେକ୍ନୋଲୋଜୀ ସମଗ୍ର ଇଥାନଲ କାର୍ଯ୍ୟକ୍ରମ ପାଇଁ ଏକ ବଡ଼ ସଫଳତା ସାବ୍ୟସ୍ତ ହୋଇଥିଲା। ଏଥିରେ ଗ୍ରାହକଙ୍କୁ କେବଳ ପେଟ୍ରୋଲ କିମ୍ବା କେବଳ ଇଥାନଲ ଗାଡ଼ି ବାଛିବାର ଦ୍ୱନ୍ଦ୍ୱ ରହିଲା ନାହିଁ। ଏହି ଗାଡ଼ିଗୁଡ଼ିକର ଇଞ୍ଜିନ ଏତେ ଉନ୍ନତ ଥିଲା ଯେ, ସେଥିରେ ପେଟ୍ରୋଲ କିମ୍ବା ଶୁଦ୍ଧ ଇଥାନଲ (E100) ବା ଉଭୟର ଯେକୌଣସି ଅନୁପାତର ମିଶ୍ରଣ ବ୍ୟବହାର କଲେ ମଧ୍ୟ ସେଗୁଡ଼ିକ ସହଜରେ ଚାଲିପାରୁଥିଲା।

ଫଳରେ ଗାଡ଼ି ମାଲିକଙ୍କୁ ନିଜର ଇନ୍ଧନ ବାଛିବାର ସ୍ୱାଧୀନତା ମିଳିଥିଲା। ଏଥିରେ ଦୃଶ୍ୟପଟ ପୂରା ବଦଳିଗଲା। ବଜାରରେ ଯେତେବେଳେ ପେଟ୍ରୋଲ ଶସ୍ତା ହେଲା, ଗାଡ଼ି ମାଲିକମାନେ ପେଟ୍ରୋଲ ବ୍ୟବହାର କଲେ। ଆଉ ଯେତେବେଳେ ଇଥାନଲର ଶସ୍ତା ହେଲା ସେତେବେଳେ ଇଥାନଲ ବ୍ୟବହାର କଲେ। ଯେହେତୁଲ ବ୍ରାଜିଲରେ ପୂର୍ବରୁ ହିଁ ଇଥାନଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପର ବ୍ୟାପକ ନେଟୱର୍କ ଥିଲା ତେଣୁ ବ୍ୟବସ୍ଥାକୁ ଗ୍ରହଣ କରିବାକୁ ଲୋକଙ୍କୁ କୌଣସି ଅସୁବିଧା ହେଲା ନାହିଁ।

ଏତେ ଉତ୍ଥାନପତନ, ସଫଳତା-ବିଫଳତାରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ବ୍ରାଜିଲରେ ବିକ୍ରି ହେଉଥିବା ନୂଆ କାରଗୁଡ଼ିକ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଫ୍ଲେକ୍ସ-ଫ୍ୟୁଏଲ୍ ଭେହିକଲ୍ସ (FFVs) ଗାଡ଼ି । ଏହି ଗାଡ଼ିଗୁଡ଼ିକ ୧୦୦ ପ୍ରତିଶତ ଇଥାନଲ (E100), ୧୦୦ ପ୍ରତିଶତ ପେଟ୍ରୋଲ କିମ୍ବା ଉଭୟର ଯେକୌଣସି ମିଶ୍ରଣରେ ଚାଲିପାରେ।

ଏଥିସହିତ ବ୍ରାଜିଲ ସରକାର ପେଟ୍ରୋଲରେ ଇଥାନଲ ମିଶ୍ରଣ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଥିଲେ। ୨୦୦୭ ମସିହାରେ ପେଟ୍ରୋଲରେ ୨୫ ପ୍ରତିଶତ ଇଥାନଲ ମିଶାଇବା ବାଧ୍ୟତାମୂଳକ କରାଯାଇଥିଲା। ପରେ ୨୦୧୫ ମସିହାରୁ ବ୍ରାଜିଲର ସାଧାରଣ ପେଟ୍ରୋଲରେ ୨୭ ପ୍ରତିଶତ ଇଥାନଲ (E27) ମିଶ୍ରଣକୁ ମାନକ (Standard) ଭାବେ ଲାଗୁ କରାଯାଇଛି। ଅନ୍ୟପକ୍ଷରେ, ପ୍ରିମିୟମ ପେଟ୍ରୋଲରେ ୨୫ ପ୍ରତିଶତ ଇଥାନଲ ମିଶ୍ରଣ କରାଯାଏ।

ବ୍ରାଜିଲ ମଡେଲର ଭାରତକୁ କଣ ଶିଖିବା ଦରକାର?

ଯଦି ବ୍ରାଜିଲର ଇ-୧୦୦ ଓ ଇ-୨୭ ମଡେଲକୁ ଗଭୀର ଭାବେ ବିଶ୍ଳେଷଣ କରାଯାଏ, ତେବେ ଏହାର ସଫଳତା ପଛରେ କିଛି ପ୍ରମୁଖ କାରଣ ରହିଛି। ପ୍ରଥମତଃ, ବ୍ରାଜିଲରେ ଆଖୁର ପ୍ରଚୁର ଉତ୍ପାଦନ ହେଉଥିବାରୁ ବହୁ ପରିମାଣରେ ସହଜରେ ଇଥାନଲ ଉତ୍ପାଦନ କରାଯାଇପାରେ। ଦ୍ୱିତୀୟତଃ, ସେଠାରେ ସରକାର ବଦଳିଥିଲେ ମଧ୍ୟ ଇଥାନଲ ସମ୍ପର୍କିତ ଜାତୀୟ ନୀତିରେ କୌଣସି ବଡ଼ ପରିବର୍ତ୍ତନ ଆସିନଥିଲା। ତୃତୀୟତଃ, ସରକାର କେବଳ ନିୟମ ପ୍ରଣୟନରେ ସୀମିତ ରହିନଥିଲେ; ବରଂ ଇଥାନଲ ଉତ୍ପାଦନଠାରୁ ଆରମ୍ଭ କରି ଦେଶର ପ୍ରତ୍ୟେକ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଏହାର ଯୋଗାଣ ବ୍ୟବସ୍ଥା ଓ ଭିତ୍ତିଭୂମି (ଇନ୍ଫ୍ରାଷ୍ଟ୍ରକ୍ଚର) ବିକାଶ ପାଇଁ ବ୍ୟାପକ ନିବେଶ କରିଥିଲେ। ସେହିପରି, ଗାଡ଼ି ନିର୍ମାତା କମ୍ପାନୀମାନଙ୍କ ସହ ମିଶି ଏପରି ଇଞ୍ଜିନ ମଧ୍ୟ ବିକଶିତ କରାଯାଇଥିଲା, ଯାହା ଇଥାନଲ ଇନ୍ଧନକୁ ସୁରକ୍ଷିତ ଭାବେ ବ୍ୟବହାର କରିପାରିବ।

ବିଶ୍ୱର ଅନ୍ୟ ଦେଶଗୁଡ଼ିକୁ ଦେଖିଲେ, ଆମେରିକା ଇଥାନଲର ସର୍ବବୃହତ୍ ଉତ୍ପାଦକ ହୋଇଥିଲେ ମଧ୍ୟ, ସେଠାରେ ଅଧିକାଂଶ ଯାନବାହନରେ ଏବେ ମଧ୍ୟ ୧୦ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ (E10) ବ୍ୟବହୃତ ହେଉଛି ଏବଂ ଧୀରେ ଧୀରେ ୧୫ ପ୍ରତିଶତ ମିଶ୍ରଣ (E15) ଦିଗକୁ ଅଗ୍ରସର ହେଉଛି। ସେହିପରି ୟୁରୋପ ଓ ବ୍ରିଟେନରେ ପୁରୁଣା ଗାଡ଼ିଗୁଡ଼ିକୁ ଦୃଷ୍ଟିରେ ରଖି E10 ସହିତ ୫ ପ୍ରତିଶତ ଇଥାନଲ ମିଶ୍ରିତ ପେଟ୍ରୋଲ (E5)ର ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି।

ଭାରତର କଥା କହିଲେ, ଦେଶରେ ୨୦୦୩ ମସିହାରେ ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା। ତେବେ ୨୦୧୪ ପରେ ଏହି କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଆଗକୁ ବଢ଼ିଥିଲା। ଭାରତ ୨୦୨୫ ମସିହାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (E20)ର ଲକ୍ଷ୍ୟ ହାସଲ କରିଥିଲା। ହେଲେ ଭାରତ ସରକାର ଏଥିପାଇଁ ମାର୍କେଟ୍‌କୁ ଦେଖିଲେ ନାହିଁ। ପୁରୁଣା ଗଡି ଥିଲେ ବି ହଠାତ୍ ଲାଗୁ କରିଦେବା ଦ୍ୱାରା ଗାଡିମାଲିକମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତା' ଛଡା ପେଟ୍ରୋଲରେ ଇଥାନଲ ଦେଉଥିଲେ ବି ପୂରା ପଇସା କିନ୍ତୁ ପେଟ୍ରୋଲର ନିଆଯାଉଛି। ଫଳରେ ଜନତାଙ୍କ ଗାଡି ଖରାପ ହେବାର ଅଭିଯୋଗ ସହିତ ଅର୍ଥବି ଅଧିକ ଦେବାକୁ ପଡୁଛି।  

ବ୍ରାଜିଲର ପ୍ରାୟ ପାଞ୍ଚ ଦଶନ୍ଧିର ଅନୁଭବରୁ ଏହା ସ୍ପଷ୍ଟ ଯେ, ଇନ୍ଧନ ବ୍ୟବସ୍ଥାର ଏଭଳି ପରିବର୍ତ୍ତନ କେବଳ ସରକାରୀ ନିର୍ଦ୍ଦେଶ ଜାରି କରି ସଫଳ କରାଯାଇପାରିବ ନାହିଁ। ଏହା ଏକ ଦୀର୍ଘମିଆଦି ପ୍ରକ୍ରିୟା, ଯାହା ଉନ୍ନତ ଇଞ୍ଜିନ ଟେକ୍ନୋଲୋଜୀ, ଗାଡ଼ିର ମାଇଲେଜ୍, ଇନ୍ଧନ ଯୋଗାଣ ବ୍ୟବସ୍ଥା ଏବଂ ସବୁଠାରୁ ବଡ଼ କଥା ହେଉଛି ସାଧାରଣ ଲୋକଙ୍କ ବିଶ୍ୱାସ ଉପରେ ନିର୍ଭର କରିଥାଏ।