ମୁମ୍ବାଇ: ବଲିଉଡର ଚକାଚକ ପଛରେ ଲୁଚି ରହିଥିଲା ଏକ ଭୟଙ୍କର ହତ୍ୟାକାଣ୍ଡ। ଯାହା ଆଜି ମଧ୍ୟ ଦେଶର ସବୁଠୁ ଭୟଙ୍କର ଏବଂ ରହସ୍ୟମୟ ହତ୍ୟାକାଣ୍ଡ ମଧ୍ୟରୁ ଗୋଟିଏ ବୋଲି ବିବେଚିତ ହେଉଛି । ରାଜେଶ ଖନ୍ନାଙ୍କ ସହ ଅଭିନୟ କରିଥିବା ଅଭିନେତ୍ରୀ ଲୈଲା ଖାନ ଓ ତାଙ୍କ ପରିବାରର ୫ ସଦସ୍ୟଙ୍କ ରହସ୍ୟଜନକ ମୃତ୍ୟୁ । ୨୦୧୧ ମସିହାରେ ହଠାତ୍ ନିଖୋଜ ହୋଇଯାଇଥିଲେ ଅଭିନେତ୍ରୀ ଲୈଲା ଖାନଙ୍କ ସମେତ ପରିବାରର ୫ ସଦସ୍ୟ। ପ୍ରାୟ ୧୭ ମାସ ପରେ ମହାରାଷ୍ଟ୍ରର ଇଗତପୁରୀ ଫାର୍ମହାଉସରୁ ମିଳିଥିଲା ୬ଟି କଙ୍କାଳ। ତଦନ୍ତରେ ସାମ୍ନାକୁ ଆସିଥିଲା ଏକ ସୁପରିକଳ୍ପିତ ଗଣହତ୍ୟାର ଲୋମଟାଙ୍କୁରା କାହାଣୀ। ଯାହା ଏବେ ପୁଣି ଠାରେ ଚର୍ଚ୍ଚାକୁ ଆସିଛି।

ବଲିଉଡର ଲୈଲାଖାନ, ଯିଏକି ୨୦୦୮ ମସିହାର 'ୱାଫା: ଏ ଡେଡ୍ଲି ଲଭ୍ ଷ୍ଟୋରୀ' ଚଳଚ୍ଚିତ୍ରରେ ସୁପରଷ୍ଟାର ରାଜେଶ ଖନ୍ନାଙ୍କ ବିପକ୍ଷରେ ଅଭିନୟ କରି ନୂଆ ପରିଚୟ ସୃଷ୍ଟି କରିଥିଲେ । କିନ୍ତୁ ମାତ୍ର ୨ ବର୍ଷ ପରେ ୨୦୧୧ରେ ଅଭିନେତ୍ରୀ ତାଙ୍କ ମା' ସେଲିନା ଏବଂ ପରିବାରର ଅନ୍ୟ ୪ ଜଣ ସଦସ୍ୟଙ୍କ ସହ ହଠାତ୍ ନିଖୋଜ ହୋଇଯାଇଥିଲେ। ଏହି ଘଟଣା ପରେ ଆରମ୍ଭ ହୋଇଥିଲା ତଦନ୍ତ । ପୋଲିସ ଶେଷରେ ଏକ ସୁପରିକଳ୍ପିତ ଗଣହତ୍ୟାର ଚାଞ୍ଚଲ୍ୟକର ଘଟଣା ଉପରୁ ପଦାଫାର୍ସ କରିଥିଲା ଯାହାକି ଖୁବ ଚର୍ଚ୍ଚାରେ ଥିଲା ।

କିଛି ବର୍ଷ ପରେ, ଏହି ମାମଲାର ତଦନ୍ତର ନେତୃତ୍ୱ ନେଇଥିବା ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପୂର୍ବତନ ଅଧିକାରୀ ଅମ୍ବାଦାସ ପୋଟେ, ସାମ୍ବାଦିକ ହୁସେନ ଜୈଦିଙ୍କ ସହ ଆଲୋଚନାବେଳେ ଏହି ମାମଲାର ଲୋମହର୍ଷକ ତଦନ୍ତ କାହାଣୀ ସେୟାର କରିଥିଲେ। ତଦନ୍ତକାରୀ ଅଧିକାରୀ ପୋଟେଙ୍କ କହିବା ଅନୁସାରେ, ଲୈଲା ଖାନଙ୍କ ମା' ସେଲିନାଙ୍କ ତୃତୀୟ ସ୍ୱାମୀ ଥିଲେ ପରବେଜ ତକ୍। ସେମାନେ ମୁମ୍ବାଇର ଓଶିୱାରା ଅଞ୍ଚଳରେ ଏକାଠି ରହୁଥିଲେ। ପରବେଜ ଲୈଲାଙ୍କ ଅଭିନୟ କ୍ୟାରିୟରକୁ ପସନ୍ଦ କରୁନଥିଲେ ଏବଂ ସେ ଚଳଚ୍ଚିତ୍ରରେ କାମ କରିବାକୁ ବିରୋଧ କରୁଥିଲେ। ଲୈଲାଙ୍କ ବ୍ୟବହାରକୁ ନେଇ ମଧ୍ୟ ସେ ଅସନ୍ତୁଷ୍ଟ ଥିଲେ। ଏକଥା ସେ ସେଲିନାଙ୍କ ନିକଟରେ ମଧ୍ୟ ଉଠାଇଥିଲେ କିନ୍ତୁ ସେ ତାହାକୁ ଗୁରୁତ୍ୱ ଦେଉନଥିଲେ । ପରିବାରର ସମ୍ପତ୍ତିକୁ ନେଇ ବିବାଦ ଏବଂ ଲୈଲାଙ୍କୁ କାମ ପାଇଁ ଦୁବାଇ ପଠାଇବାକୁ ପରବେଜ ଦେଇଥିବା ପ୍ରସ୍ତାବକୁ ଲୈଲା ପ୍ରତ୍ୟାଖ୍ୟାନ କରିବା ପରେ ପରିବାର ଭିତରେ ମତଭେଦ ଆହୁରି ବଢ଼ିଥିଲା। ପୋଟେଙ୍କ କହିବା ଅନୁସାରେ, ଏହା ପରେ ପରବେଜ ତକ୍ ପରିବାର ବିରୋଧରେ ଷଡଯନ୍ତ୍ର ରଚିବା ଆରମ୍ଭ କରିଥିଲେ।

​​​​​​​

ସୂଚନାନୁଯାୟୀ,ଏହା ଏକ ସୁପରିକଳ୍ପିତ ଗଣହତ୍ୟା ଥିଲା । ପରବେଜ ତକ୍ ପ୍ରଥମେ ତାଙ୍କର ଜଣେ ସହଯୋଗୀଙ୍କୁ ଇଗତପୁରୀସ୍ଥିତ ପରିବାରର ଫାର୍ମହାଉସରେ ଚୌକିଦାର ଭାବେ ନିଯୁକ୍ତ କରିଥିଲେ। ଏହାପରେ ସେ ପରିବାରକୁ କିଛି ଦିନ ସେହି ଫାର୍ମହାଉସରେ ବିତାଇବାକୁ କହିଥିଲେ। କିଛି ଦିନ ବିତିଯିବା ପରେ ପରିବାରର କୌଣସି ସଦସ୍ୟ ଫେରିନଥିବାରୁ, ସେଲିନାଙ୍କ ପ୍ରଥମ ସ୍ୱାମୀ ନାଦିର ଶାହ ପୋଲିସରେ ନିଖୋଜ ଅଭିଯୋଗ ଦାଖଲ କରିଥିଲେ। ପରବର୍ତ୍ତୀ ତଦନ୍ତରେ ପରିବାରର ମୁମ୍ବାଇ ବାସଭବନରୁ ପରବେଜ ତକଙ୍କ ଆଧାର କାର୍ଡ ଜବତ କରାଯାଇଥିଲା। ଏହାପରେ ପୋଲିସର ସନ୍ଦେହ ସିଧାସଳଖ ଭାବେ ତାଙ୍କ ଉପରେ କେନ୍ଦ୍ରିତ ହୋଇଥିଲା। ଶେଷରେ ମୁମ୍ବାଇ ପୋଲିସ ଏବଂ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଅଭିଯାନରେ କାଶ୍ମୀରରୁ ପରବେଜ ତକକୁ ଗିରଫ କରାଯାଇଥିଲା। ଏକ ସାଧାରଣ ନିଖୋଜ ଅଭିଯୋଗରୁ ଆରମ୍ଭ ହୋଇଥିବା ତଦନ୍ତ ଯାହା ଏହି ନିର୍ମମ ଗଣହତ୍ୟା ମାମଲାର ପର୍ଦ୍ଦାଫାସ କରିଥିଲା । ମୁମ୍ବାଇ କ୍ରାଇମ ବ୍ରାଞ୍ଚର ପୂର୍ବତନ ଅଧିକାରୀ ଅମ୍ବାଦାସ ପୋଟେଙ୍କ ନେତୃତ୍ୱରେ ହୋଇଥିବା ଏହି ତଦନ୍ତ ସେବେ ଚାରିଆଡେ ଆଲୋଡନ ସୃଷ୍ଟି କରିଥିଲା ।