କାମାକ୍ଷାନଗର ୧୧।୭: ଘର ସମ୍ମୁଖରୁ ନିଖୋଜ ଛାତ୍ରଙ୍କ ମୃତଦେହ ରେଙ୍ଗାଳି ବାମ କେନାଲରୁ ଉଦ୍ଧାର କରାଯାଇଛି । ମୃତ ଛାତ୍ର ଜଣକ ହେଲେ କାମାକ୍ଷାନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସପ୍ତମ ଶ୍ରେଣୀର ଛାତ୍ର ବିଷ୍ଣୁ ପ୍ରସାଦ ବରାଳ । ତାଙ୍କ ଘର ହେଲା ଅନନ୍ତପୁର ରାମ ମନ୍ଦିର ପଛପାଖ ସାହିରେ ।

ବିଷ୍ଣୁ ଶୁକ୍ରବାର ସକାଳ ପ୍ରାୟ ୬ଟା ଠାରୁ ଘର ସମ୍ମୁଖରେ ଦାନ୍ତ ବ୍ରସ କରୁଥିବା ବେଳେ କେଉଁ ଆଡେ ଚାଲିଯାଇଥିଲେ । ପରିବାରର ଲୋକେ ବହୁ ଖୋଜାଖୋଜି କରି କୌଣସି ସନ୍ଧାନ ନପାଇ ଥାନାର ଦ୍ବାରସ୍ଥ ହୋଇଥିଲେ । ପରିବାର ଲୋକଙ୍କ କହିବା ମୁତାବକ କିଛି ଦିନ ପୂର୍ବେ ବିଦ୍ୟାଳୟର ପ୍ରାର୍ଥନା ସଭାରେ ବଷ୍ଣୁଙ୍କ ପାଟି ଶୁଭିବାରୁ, ବିଷ୍ଣୁଙ୍କୁ ଗୁରୁଜୀ ଠିଆ ହେବାକୁ କହିଥିଲେ, ମାତ୍ର ବିଷ୍ଣୁ ଠିଆ ହୋଇନଥିଲେ । ପରେ ଏହି ବିଷୟରେ ବିଦ୍ୟାଳୟ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଫୋନ ଯୋଗେ ଅବଗତ କରାଇଥିଲେ। ପରିବାର ଲୋକେ ବିଷ୍ଣୁଙ୍କୁ ଗୁରୁଜୀଙ୍କୁ ଭୁଲ ମାଗିବାକୁ କହିଥିଲେ ମାତ୍ର ସେ କୌଣସି ଭୁଲ କରିନଥିବାରୁ ଭୁଲ ମାଗିବେ ନାହିଁ ବୋଲି କହିଥିଲେ । ଯାହାକୁ ନେଇ ବିଷ୍ଣୁ ଶୁକ୍ରବାର ସକାଳ ୬ଟା ଠାରୁ ଘରୁ କେଉଁଆଡେ ଚାଲି ଯାଇଥିଲେ ।

Also Read:- ରଥଯାତ୍ରା ପାଇଁ ଓଡ଼ିଶା ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ, ୧୩ ହଜାର ପୋଲିସ ଶାନ୍ତିଶୃଙ୍ଖଳା ଦାୟିତ୍ବରେ ରହିବେ

ତେବେ ଶନିବାର ତାଙ୍କ ମୃତଦେହ କାନପୁରା ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ମାନେ କାମାକ୍ଷାନଗର ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।