ନୂଆଦିଲ୍ଲୀ: ପୂର୍ବ ଏସିଆ, ଦକ୍ଷିଣ-ପୂର୍ବ ଏସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ସାଇବର ଠକେଇ ସବୁ ସୀମା ଟପିଛି । ୨୦୨୫ରେ  ୧୧୪.୧ ବିଲିୟନ୍ ଆମେରିକୀୟ ଡଲାର ହରାଇଛନ୍ତି ଲୋକେ। ଜାତିସଂଘର 'ଡ୍ରଗ୍ସ ଏବଂ ଅପରାଧ ନିୟନ୍ତ୍ରଣ କାର୍ଯ୍ୟାଳୟ' (UNODC) ଦ୍ୱାରା ପ୍ରକାଶିତ ଏକ ନୂତନ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଏହି ଠକେଇ ୨୦୨୩ ମସିହା ତୁଳନାରେ ପ୍ରାୟ ତିନି ଗୁଣ ଅଧିକ।

କମ୍ବୋଡିଆ ଏବଂ ମ୍ୟାଁମାର ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକ ଏହି ଅନ୍ତର୍ଜାତୀୟ ସାଇବର ଅପରାଧୀ ଗୋଷ୍ଠୀଙ୍କର ମୁଖ୍ୟ କେନ୍ଦ୍ର ପାଲଟିଛି।  ପ୍ରେମ ଜାଲ ରେ ଫସାଇ ଏବଂ କ୍ରିପ୍ଟୋକରନ୍ସି ବିନିଯୋଗ ନାଁରେ ବିଶ୍ୱବ୍ୟାପୀ ଲୋକଙ୍କୁ ଠକୁଛନ୍ତି । ସାଇବର ଠକେଇ ଏବଂ ନିବେଶ ଜାଲିଆତି ଯୋଗୁଁ ଗତବର୍ଷ ଆନୁମାନିକ ୮୮.୩ ବିଲିୟନରୁ ୧୧୪.୧ ବିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ହୋଇଛି। ୨୦୨୩ରେ ଏହି କ୍ଷତି ୧୮ ରୁ ୩୭ ବିଲିୟନ ଡଲାର ଥିଲା।

ଚୀନ୍, ଦକ୍ଷିଣ କୋରିଆ ଏବଂ ତାଇୱାନର ନାଗରିକମାନେ ଏହି ଠକେଇରେ ସବୁଠାରୁ ଅଧିକ କ୍ଷତି ସହିଛନ୍ତି। ଏହି ସାଇବର ଅପରାଧ ଆଡ୍ଡାଗୁଡ଼ିକରେ କେବଳ ସ୍ୱେଚ୍ଛାକୃତ ଭାବେ ନୁହେଁ, ବରଂ ପ୍ରାୟ ୮୦ଟି ଦେଶରୁ ମାନବ ଚାଲାଣର ଶିକାର ହୋଇଥିବା ଯୁବକ-ଯୁବତୀଙ୍କୁ ବାଧ୍ୟତାମୂଳକ ଭାବେ ଅପରାଧିକ କାର୍ଯ୍ୟରେ ନିୟୋଜିତ କରାଯାଉଛି।  

AI ଆଧାରିତ ଅନୁବାଦ ଟୁଲ୍ସ ବ୍ୟବହାର କରି ବିଶ୍ୱର ବିଭିନ୍ନ ପ୍ରାନ୍ତର ଲୋକଙ୍କୁ ସହଜରେ ଟାର୍ଗେଟ କରାଯାଉଛି। ଏହା ସହିତ ଇଂରାଜୀ, ଜର୍ମାନ, ଫ୍ରେଞ୍ଚ୍, ସ୍ପାନିଶ୍, ଇଟାଲୀ ଆଦି ଭାଷା ଜାଣିଥିବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଛି। ଯେତେବେଳେ ପ୍ରଶାସନ ଏହି ଠକେଇ କେନ୍ଦ୍ରଗୁଡ଼ିକ ଉପରେ ଚଢ଼ାଉ କରୁଛି, ସେଠାରୁ ମୁକ୍ତ ହେଉଥିବା କେତେକ ବ୍ୟକ୍ତି ସେମାନଙ୍କ ଦେଶକୁ ଫେରି ଅନ୍ୟାନ୍ୟ ଅପରାଧିକ ନେଟୱାର୍କ ସହ ମିଶି ନୂତନ ଅପରାଧ ଶାଖା ଖୋଲୁଛନ୍ତି। ୟୁରୋପ, ଏବଂ ଆଫ୍ରିକୀୟ ଦେଶଗୁଡ଼ିକରେ ଏଭଳି ଘଟଣା ଦେଖିବାକୁ ମିଳୁଛି।

UNODC ଆଞ୍ଚଳିକ ପ୍ରତିନିଧି ଡେଲଫିନ୍ ଶାଞ୍ଜଙ୍କ କହିବା ଅନୁଯାୟୀ, ଏହି ଅପରାଧୀ ଗୋଷ୍ଠୀଗୁଡ଼ିକ କର୍ପୋରେଟ୍ ଶୈଳୀରେ କାର୍ଯ୍ୟ କରୁଛନ୍ତି। ଟଙ୍କା ହେରଫେର (Money Laundering), ମାନବ ଚାଲାଣ, ଡାଟା ଚୋରି ଏବଂ ନିଶାଦ୍ରବ୍ୟ (ମୁଖ୍ୟତଃ ମେଥାମ୍ଫେଟାମାଇନ୍) କାରବାର ପାଇଁ ସେମାନଙ୍କର ସ୍ୱତନ୍ତ୍ର ବିଭାଗ ରହିଛି। ଏହି ବର୍ଦ୍ଧିତ ସାଇବର ସଂକଟ ପ୍ରଶାସନିକ ଏବଂ ଆଞ୍ଚଳିକ ସୁରକ୍ଷା ବ୍ୟବସ୍ଥା ପ୍ରତି ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛି।