ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗୁରୁବାର (ସେପ୍ଟେମ୍ବର ୩) ଦାବି କରିଛନ୍ତି ଯେ, ଇରାନର ଇସଲାମିକ୍ ଶାସନ ବର୍ତ୍ତମାନ ପୂର୍ବପେକ୍ଷା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି ଏବଂ ଏହାର ପତନ ଖୁବଶୀଘ୍ର ହୋଇପାରେ। ଆମେରିକା ପକ୍ଷରୁ ତେହେରାନ୍ ଉପରେ ପୁନର୍ବାର ସାମରିକ ଆକ୍ରମଣ ଆରମ୍ଭ ହୋଇଥିବା ବେଳେ ନେତାନ୍ୟାହୁ ଏହି ମନ୍ତବ୍ୟ ଚର୍ଚ୍ଚା ବଢ଼ାଇଛି । 

ଇସ୍ରାଏଲ୍ ସେନାଧ୍ୟକ୍ଷ ଓ ବରିଷ୍ଠ କର୍ତ୍ତୃପକ୍ଷଙ୍କ ସହ ଏକ କାର୍ଯ୍ୟକ୍ରମରେ ଆଲୋଚନା କରି ନେତାନ୍ୟାହୁ କହିଛନ୍ତି, ‘ଇରାନ ଶାସନ ବର୍ତ୍ତମାନ ଟଳମଳ ଅବସ୍ଥାରେ ଅଛି। ଏହା ନିଜର ଅସ୍ତିତ୍ୱ ବଞ୍ଚାଇବା ପାଇଁ ସଂଘର୍ଷ କରୁଛି।’ ଇରାନର ସରକାରକୁ ହଟାଇବା ଇସ୍ରାଏଲର ମୁଖ୍ୟ ଲକ୍ଷ୍ୟ ବୋଲି ଦୋହରାଇ ନେତାନ୍ୟାହୁ କହିଛନ୍ତି, ‘ମୁଁ ଦୃଢ଼ ନିଶ୍ଚିତ ଯେ ଆମେ ଏହି ବିପଦକୁ ସଦାସର୍ବଦା ପାଇଁ ଏଡ଼ାଇ ପାରିବା, ଅର୍ଥାତ୍ ଏହି ଶାସନର ପତନ ଘଟାଇ ପାରିବା। ଏହା ଆମ ସମ୍ମୁଖରେ ଥିବା ସବୁଠାରୁ ବଡ଼ କାର୍ଯ୍ୟ, କିନ୍ତୁ ଏହା ଏବେ ଆମ ହାତପାହାନ୍ତାରେ ଅଛି। ଏହା ଅସମ୍ଭବ ନୁହେଁ।’

ଉଲ୍ଲେଖଯୋଗ୍ୟ ଯେ, ଫେବ୍ରୁଆରୀ ଶେଷ ଭାଗରେ ଇସ୍ରାଏଲ୍ ଏବଂ ଆମେରିକା ମିଳିତ ଭାବରେ ଇରାନ ବିରୋଧରେ ସାମରିକ ଅଭିଯାନ ଆରମ୍ଭ କରିଥିଲେ। ଏହି ସପ୍ତାହରେ ଆମେରିକା ପୁନର୍ବାର ବିମାନ ଆକ୍ରମଣ ଆରମ୍ଭ କରିବା ସହ ଆର୍ଥିକ କଟକଣା କଡ଼ାକଡ଼ି କରିଛି। ଇରାନ ଏହାର ଜବାବରେ ଗଲ୍ଫ ଦେଶ, ଜୋର୍ଡାନ ଏବଂ ଇରାକର କୁର୍ଦ୍ଦିସ୍ତାନ ଅଞ୍ଚଳରେ ଥିବା ଆମେରିକାର ସହଯୋଗୀଙ୍କୁ ନିଶାନା କରିଥିଲେ ବି ଇସ୍ରାଏଲ୍ ଉପରେ ଆକ୍ରମଣ କରିନାହିଁ।

ଆସନ୍ତା ଅକ୍ଟୋବର ୨୭ରେ ଇସ୍ରାଏଲରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ନେତାନ୍ୟାହୁଙ୍କ ଏହି ଆକ୍ରାମକ ମନୋଭାବ ସାମ୍ନାକୁ ଆସିଛି। ବୁଧବାର ଗାଜା ଷ୍ଟ୍ରିପ୍‌ରେ ମୁତୟନ ଥିବା ଇସ୍ରାଏଲ ସୈନ୍ୟଙ୍କୁ ଭେଟି ସେ ସେନା ପ୍ରତ୍ୟାହାର ସମ୍ଭାବନାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ‘ଗାଜାର ୬୦ ପ୍ରତିଶତ ଅଞ୍ଚଳ ଏବେ ଆମ ନିୟନ୍ତ୍ରଣରେ ଅଛି। ଆମେ ପଛକୁ ହଟିବୁ ନାହିଁ କି ଆମର ଅଭିଯାନ ଅଟକିବ ନାହିଁ। ଆମ ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦୀଙ୍କୁ ଆମେ ପ୍ରତିଦିନ ନିଷ୍କ୍ରିୟ କରୁଛୁ।’