ନୂଆଦିଲ୍ଲୀ ୨୮।୦୨; ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ବାଲୋତ୍ରା ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରେ ଗୋଟିଏ ସ୍ଲିପର ବସ୍ ସହ ଗୋଟିଏ ଟ୍ରଲର ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ବସର ଗୋଟିଏ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ଦୁର୍ଘଟଣାରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ବାଲୋତ୍ରା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।

ବାଲୋତ୍ରା ଏସପି କହିଛନ୍ତି, ‘ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ଆହତମାନଙ୍କୁ ବାଲୋତ୍ରାର ନାହାଟା ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣା ପରେ ରାଜପଥରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା, ଉଭୟ ପାର୍ଶ୍ୱରେ ଅନେକ ଯାନବାହାନ ଅଟକି ରହିଥିଲା । ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ହସ୍ପିଟାଲରେ ପହଞ୍ଚି ଆହାତଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି । ଏହି ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ଜଣେ ମହିଳାଙ୍କ ସମେତ ଛଅ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହ ଗୁଡ଼ିକୁ ବାଲୋତ୍ରାର ନାହାଟା ହସ୍ପିଟାଲରେ ରଖାଯାଇଛି । ବାଲୋତ୍ରା ହସ୍ପିଟାଲର ପିଏମଓ ସନ୍ଦୀପ ଦେୱାତଙ୍କ ସୂଚନା ଅନୁଯାୟୀ," ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି । ଚାରି ଜଣଙ୍କୁ ଗୁରୁତର ଅବସ୍ଥାରେ ଯୋଧପୁରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପାଞ୍ଚ ଜଣଙ୍କର କଲ୍ୟାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଜାରି ରହିଛି । "

ଏହି ଘଟଣାକୁ ନେଇ ନାଗୌର ସାଂସଦ ହନୁମାନ ବେନିୱାଲ ଶୋକ ପ୍ରକାଶ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି,"ବାଲୋତ୍ରା ଜିଲ୍ଲାର କଲ୍ୟାଣପୁର ନିକଟରେ ଏକ ଘରୋଇ ବସ୍ ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଦୁଃଖଦ ଖବର ମିଳିଛି, ଯାହା ଫଳରେ କିଛି ଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।" ମୁଁ ଈଶ୍ୱରଙ୍କ ନିକଟରେ ମୃତକଙ୍କ ଆତ୍ମାକୁ ଶାନ୍ତି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛି ।"

ଅଧିକ ପଢନ୍ତୁ- ଇରାନ ଉପରେ ଇସ୍ରାଏଲର ପ୍ରଚଣ୍ଡ ପ୍ରହାର, ତେହରାନରେ ବିସ୍ଫୋରଣ ଓ ଧୂଆଁରେ ଲୁଚିଗଲା ଆକାଶ