ୱାସିଂଟନ ୧୯।୯: ଯୁକ୍ତରାଷ୍ଟ୍ର ଆମେରିକା ରାଜନୀତିରେ ଅସ୍ଥିରତା ଦେଖା ଦେଇଛି। ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବେର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଖୋଲାଖୋଲି ସାମ୍ନାକୁ ଆସିଛନ୍ତି। ଗତ ୩ ଦିନରେ ଟ୍ରମ୍ପଙ୍କ ବିରୋଧରେ ଓବାମା ଅନେକ କଡ଼ା ବୟାନ ଦେଲେଣି। ଏଥିରେ ଆମେରିକା ଗୁରୁତର ରାଜନୈତିକ ସଂକଟ ଦେଇ ଗତି କରୁଥିବା ସେ କହିଛନ୍ତି।  କୁହାଯାଉଛି ପାଖାପାଖି ୧୦ ବର୍ଷ ପରେ  ଟ୍ରମ୍ପଙ୍କ ବିରୋଧରେ ଓବାମା ପୁଣି ଥରେ ସକ୍ରିୟ ହୋଇଛନ୍ତି।

କଞ୍ଜରଭେଟିଭ ନେତା ଚାର୍ଲି କିର୍କଙ୍କ ଯେପରି ହତ୍ୟା ହେଲା ଏଥିରେ ଓବାମା କହିଥିଲେ ଦେଶରେ ଯେଉଁ ପ୍ରକାର ରାଜନୀତି ଚାଲିଛି ତାହା ବାସ୍ତବିକ ବିପଦଜନକ। ଓବାମା ଟ୍ରମ୍ପଙ୍କ ଉପରେ ଆରୋପ ଲଗାଇଛନ୍ତି ଯେ ତାଙ୍କର ଭାଷା ଓ ରାଜନୀତି ଦେଶକୁ ବାଣ୍ଟିବାର କାମ କରୁଛି। ସେ କହିଛନ୍ତି ଯେ ଗଣତନ୍ତ୍ରରେ ଅସହମତି ରହିପାରେ ଓ ଏହା ଜରୁରି, ହେଲେ ହିଂସାର ସ୍ଥାନ ନାହିଁ। ଓବାମା ଏହା ବି ଆରୋପ ଲଗାଇଛନ୍ତି ଯେ ଟ୍ରମ୍ପ ଓ ତାଙ୍କ ସମର୍ଥକ ବିନା କୌଣସି ପ୍ରମାଣରେ ଚାର୍ଲି କିର୍କଙ୍କ ହତ୍ୟାର ଦୋଷ ତୁରନ୍ତ ଉଗ୍ର ବାମପନ୍ଥୀଙ୍କ ଉପରେ ପକାଉଛନ୍ତି, ଏଣୁ ଅସଲ ପ୍ରସଙ୍ଗ ଉପରକୁ କଥା ଯାଉ ନାହିଁ।

ଓବାମା ଏପରି ରାଜନୀତିକୁ ଗଣତନ୍ତ୍ର ଲାଗି ବିପଦଜନକ ବୋଲି କହିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ଓବାମା ଟ୍ରମ୍ପ ପ୍ରଶାସନକୁ ସମାଲୋଚନା କରି   ଲେଖିଛନ୍ତି ଯେ ସରକାର ଗଣମାଧ୍ୟମକୁ ଡରାଇ ଚାପରେ ଆଣିବାକୁ ଚେଷ୍ଟା କରୁଛନ୍ତି, ଏହା ଅଭିବ୍ୟକ୍ତି ସ୍ୱାଧୀନତାର ଉଲ୍ଲଂଘନ। ଏହି ରାଜନୈତିକ ବିତର୍କର କଞ୍ଜରଭେଟିଭ ନେତା ଚାର୍ଲି କିର୍କଙ୍କ ହତ୍ୟାରୁ ପ୍ରାରମ୍ଭ ହୋଇଛି। ସେପ୍ଟେମ୍ବର ୧୦ ତାରିଖ ଦିନ ୟୁଟା ଭେଲି ୟୁନିଭର୍ସିଟିରେ କାର୍ଯ୍ୟକ୍ରମ କାଳରେ କେହି ରାଇଫଲରୁ ଗୁଳି କରି ତାଙ୍କୁ ହତ୍ୟା କରିଥିଲା।

ପୋଲିସ ଏବେବି ହତ୍ୟା ପଛର ଅସଲ କାରଣ ଖୋଜୁଛି। ଏହି ଘଟଣା ପରେ ଟ୍ରମ୍ପ ଓ କିଛି ରିପବ୍ଲିକାନ ନେତା ବିନା କୌଣସି ପ୍ରମାଣରେ ଲିବରାଲଙ୍କୁ ଦାୟି କରୁଛନ୍ତି, ଯେତେବେଳେ ଡେମୋକ୍ରାଟିକ ନେତାମାନେ ବାମପନ୍ଥୀ ନେତମାନେ ମଧ୍ୟ ରାଜନୈତିକ ହିଂସାର ଶିକର ହେଉଥିବା ଅଭିଯୋଗ କରୁଛନ୍ତି।