ନୂଆଦିଲ୍ଲୀ: ଦେଶର ସବୁ ପ୍ରମୁଖ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କ ନିଜ ଅଫିସିଆଲ୍ ୱେବସାଇଟକୁ ପୁରୁଣା '.com' କିମ୍ୱା '.co.in' ଡୋମେନରୁ ବଦଳାଇ ଏବେ '.bank.in'କୁ ସ୍ଥାନାନ୍ତରିତ କରାଯାଇଛି । ଏହି ପଦକ୍ଷେପ ଭାରତୀୟ ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶ ପରେ ନିଆଯାଇଛି । ଏହାj ଉଦ୍ଦେଶ୍ୟ ଅନଲାଇନ୍ ବ୍ୟାଙ୍କିଂ ସୁରକ୍ଷାକୁ ମଜଭୁତ କରିବା ଓ ଗ୍ରାହକଙ୍କ ପ୍ରକୃତ ବ୍ୟାଙ୍କିଂ ୱେବସାଇଟ୍ ଯାଏ ସୁରକ୍ଷିତ ପହଞ୍ଚକୁ ସୁନିଶ୍ଚିତ କରିବା ଅଟେ ।

ଆରବିଆଇ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇ ଅକ୍ଟୋବର ୩୧ ସୁଦ୍ଧା ନିଜ ଇଣ୍ଟରନେଟ୍ ବ୍ୟାଙ୍କିଂ ପୋର୍ଟାଲ୍ସକୁ ବିଶେଷ '.bank.in' ଡୋମେନକୁ ସ୍ଥାନାନ୍ତରିତ କରିବା ପାଇଁ କହିଥିଲା । ଏହି ପରିବର୍ତ୍ତନର ମୁଖ୍ୟ ଉଦ୍ଦେଶ୍ୟ ଫିସିଂ ଓ ଫେକ୍ ୱେବସାଇଟ୍ ଜାଲିଆତିକୁ ରୋକିବା । ସ୍କାମରମାନେ ପ୍ରକୃତ ବ୍ୟାଙ୍କର ୱେବସାଇଟ୍ ସହ ମେଳ ଖାଉଥିବା ଲିଙ୍କ୍ କରି ଗ୍ରାହକଙ୍କଠାରୁ ସେମାନଙ୍କ ବ୍ୟାଙ୍କିଂ ବିବରଣୀ ହାସଲ କରନ୍ତି । ମାଇଗ୍ରେସନର ସମୟସୀମା ପୂର ହେବା ପରେ ଏବେ ଗ୍ରାହକଙ୍କୁ କେବଳ ଅଫିସିଆଲ୍ '.bank.in' ଡୋମେନ ସାଇଟ୍ ଉପରେ ଲଗିନ୍ କରିବାକୁ ପରାମର୍ଶ ଦିଆଯାଇଛି ।

ନୂଆ '.bank.in' ଡୋମେନ୍ କେବଳ ସେହି ସଂସ୍ଥାକୁ ଦିଆଯାଇଛି, ଯେଉଁମାନେ ଆରବିଆଇ ଦ୍ୱାରା ଅନୁମୋଦିତ ଓ ରେଗୁଲେଟ୍ ହେଉଛନ୍ତି । ଏହାର ଅର୍ଥ ହେଉଛି କୌଣସି ବି ଫେକ୍ କିମ୍ୱା ଅନଧିକୃତ ସଂସ୍ଥା ଏହି ଡୋମେନକୁ ପଞ୍ଜୀକୃତ କରିପାରିବେ ନାହିଁ । ଏହି ପଦକ୍ଷେପ କେବଳ ଅନଲାଇନ୍ ବ୍ୟାଙ୍କିଂ ଜଲିଆତି କମ କରିବ ନାହିଁ, ବରଂ ସାଇବର ସୁରକ୍ଷା ଓ ଗ୍ରାହକଙ୍କ ବିଶ୍ୱାସ ମଧ୍ୟ ବଢାଇବ ।

ଆରବିଆଇର ମେ ୨୦୨୫ରେ ଜାରି ବାର୍ଷିକ ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୦୨୪-୨୫ରେ ବ୍ୟାଙ୍କିଂ ଜାଲିଆତି ମାମଲା ହ୍ରାସ ପାଇଛି । କିନ୍ତୁ ଠକେଇର ମୋଟ ଅର୍ଥ ରାଶି ତିନିଗୁଣ ବଢି ଯାଇଛି । ଅଧିକାଂଶ ମାମଲାରେ ଡିଜିଟାଲ୍ ପେମେଣ୍ଟ ଟ୍ରାଞ୍ଜାକ୍ସନ ସହ ଜଡ଼ିତ ଥିଲା । ରିପୋର୍ଟ ଅନୁସାରେ ଆର୍ଥିକ ବର୍ଷ ୨୫ରେ ମୋଟ ୨୩,୯୫୩ ବ୍ୟାଙ୍କ ଜାଲିଆତି ମାମଲା ରୁଜୁ ହୋଇଛି, ଯାହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୩୪ ପ୍ରତିଶତ କମ୍ । କିନ୍ତୁ ଠକେଇ ରାଶି ବଢି ୩୬,୦୧୪ କୋଟି ଟଙ୍କା ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ତିନି ଗୁଣ ଅଧିକ ।