ନୂଆଦିଲ୍ଲୀ: ବାଂଲାଦେଶରେ ପାସପୋର୍ଟ ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ନେତୃତ୍ୱାଧୀନ ବର୍ତ୍ତମାନର ନୂତନ ସରକାର ପାସପୋର୍ଟରେ ପୁଣିଥରେ ‘ଇସ୍ରାଏଲ୍ ବ୍ୟତୀତ’ (Except Israel) ବାକ୍ୟାଂଶକୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାସହିତ ପୂର୍ବତନ ଶେଖ୍ ହସିନା ସରକାରଙ୍କ ସମୟର କିଛି ପ୍ରମୁଖ ସଙ୍କେତକୁ ପାସପୋର୍ଟରୁ ହଟାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି।

କଣ ଏହି 'Except Israel' ବିବାଦ ?

ବାଂଲାଦେଶ ଗଠନ ହେବା ଦିନଠାରୁ ଇସ୍ରାଏଲ୍ ସହିତ ତାର କୌଣସି ଆନୁଷ୍ଠାନିକ କୂଟନୈତିକ ସମ୍ପର୍କ ନାହିଁ। ବାଂଲାଦେଶୀ ପାସପୋର୍ଟରେ ପୂର୍ବରୁ ସ୍ପଷ୍ଟ ଭାବେ ଲେଖାଯାଉଥିଲା ଯେ, ‘ଏହି ପାସପୋର୍ଟ ଇସ୍ରାଏଲ୍ ବ୍ୟତୀତ ବିଶ୍ୱର ସମସ୍ତ ଦେଶ ପାଇଁ ବୈଧ ଅଟେ।’ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ କାର୍ଯ୍ୟକାଳ ମଧ୍ୟରେ ପାସପୋର୍ଟକୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଏହି ବାକ୍ୟାଂଶକୁ ହଟାଇ ଦିଆଯାଇଥିଲା। ତେବେ ସେତେବେଳେ ମଧ୍ୟ ବାଂଲାଦେଶ ସରକାର ସ୍ପଷ୍ଟ କରିଥିଲେ ଯେ, ବାକ୍ୟାଂଶ ହଟିଥିଲେ ବି ବାଂଲାଦେଶୀ ନାଗରିକଙ୍କ ଇସ୍ରାଏଲ୍ ଗସ୍ତ ଉପରେ ପ୍ରତିବନ୍ଧକ ଜାରି ରହିବ।

BNP ସରକାରଙ୍କ ନୀତି

ବର୍ତ୍ତମାନ ଶେଖ୍ ହସିନାଙ୍କ ଶାସନର ଅନ୍ତ ପରେ ଆସିଥିବା BNP ନେତୃତ୍ୱାଧୀନ ସରକାର ନିଜର ପୁରୁଣା ଆଭିମୁଖ୍ୟକୁ ଦୋହରାଇଛନ୍ତି। ଫଳସ୍ୱରୂପ, ପାସପୋର୍ଟରେ ପୁଣିଥରେ ଇସ୍ରାଏଲ୍ ଉପରେ ଥିବା ଏହି ସର୍ତ୍ତକୁ ସ୍ପଷ୍ଟ ଅକ୍ଷରରେ ଛାପିବା ପାଇଁ ପ୍ରସ୍ତୁତି ଚାଲିଛି।

ପାସପୋର୍ଟରୁ ହଟିବ ‘ବଙ୍ଗବନ୍ଧୁ’ଙ୍କ ସମାଧି ସ୍ଥଳର ଚିତ୍ର

ଇସ୍ରାଏଲ୍ ବ୍ୟତୀତ ବାଂଲାଦେଶର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ମଧ୍ୟ ପାସପୋର୍ଟରେ ଏକ ବଡ଼ ଧରଣର ସଂଶୋଧନ କରାଯାଉଛି। ବାଂଲାଦେଶର ଜାତିର ପିତା କୁହାଯାଉଥିବା ଶେଖ୍ ମୁଜିବୁର ରହମାନ (ବଙ୍ଗବନ୍ଧୁ) ଙ୍କ ବାସଭବନ ‘ଧାନମଣ୍ଡି ୩୨’ ଏବଂ ତାଙ୍କ ମକବରା ବା ସମାଧି ସ୍ଥଳର ଚିତ୍ର ପୂର୍ବରୁ ପାସପୋର୍ଟ ପୃଷ୍ଠାରେ ରହୁଥିଲା।ବର୍ତ୍ତମାନର ସରକାର ଶେଖ୍ ମୁଜିବୁର ରହମାନଙ୍କ ସହ ଜଡ଼ିତ ଏହି ଚିତ୍ର ଓ ପ୍ରତୀକଗୁଡ଼ିକୁ ପାସପୋର୍ଟରୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାକୁ ବାଂଲାଦେଶ ରାଜନୀତିରେ ପୁରୁଣା ଆୱାମୀ ଲିଗର ପ୍ରଭାବକୁ ଶେଷ କରିବାର ଏକ ପ୍ରୟାସ ବୋଲି କୁହାଯାଉଛି।

ପାକିସ୍ତାନ ଭଳି ନିଷ୍ପତ୍ତି

ବିଶ୍ୱରେ ବାଂଲାଦେଶ ବ୍ୟତୀତ ପାକିସ୍ତାନ ହେଉଛି ଅନ୍ୟତମ ପ୍ରମୁଖ ମୁସଲିମ୍ ବହୁଳ ଦେଶ, ଯାହାର ପାସପୋର୍ଟରେ ଆଜି ମଧ୍ୟ ସ୍ପଷ୍ଟ ଭାବେ ଲେଖାଯାଇଥାଏ ଯେ, This passport is valid for all countries of the world except Israel । ବାଂଲାଦେଶ ପୁଣିଥରେ ଏହି ନିୟମକୁ ଆପଣାଇଇ ପାକିସ୍ତାନ ରାସ୍ତାରେ ପାଦ ରଖିଛି ।ବାଂଲାଦେଶ ସରକାରଙ୍କ ଏହି ପଦକ୍ଷେପ ଦର୍ଶାଉଛି ଯେ, ଶେଖ୍ ହସିନାଙ୍କ ବିଦାୟ ପରେ ଦେଶର ବୈଦେଶିକ ଏବଂ ଆଭ୍ୟନ୍ତରୀଣ ନୀତିରେ କେତେ ଦ୍ରୁତ ପରିବର୍ତ୍ତନ ଆସୁଛି। ପାସପୋର୍ଟରେ 'Except Israel'ଫେରିବା ମଧ୍ୟପ୍ରାଚ୍ୟ ପ୍ରସଙ୍ଗରେ ବାଂଲାଦେଶର ପାରମ୍ପରିକ ଏବଂ ରକ୍ଷଣଶୀଳ ଆଭିମୁଖ୍ୟକୁ ପୁଣିଥରେ ପ୍ରମାଣିତ କରିଛି।