ବାଲେଶ୍ଵର: ବାଲେଶ୍ବରର ବହୁଚର୍ଚ୍ଚିତ ଶିଳ୍ପାଞ୍ଚଳ ଥାନାରୁ ବାଇକ୍ ବିକ୍ରି ହେବା ଘଟଣାରେ ଏବେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ। ବାଇକ୍ କିଣିଥିବା କବାଡ଼ିଆ ସବୁ କଥା ମାନିବା ପରେ ଆଇଆଇସିଙ୍କ ମୁହଁ ତଳକୁ ହୋଇଯାଇଛି। News7ରେ ଏହି ଖବର ପ୍ରସାରିତ ହେବା ସହ ସଜାଗ ହୋଇଛି ପୋଲିସ ପ୍ରଶାସନ। ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ବାଲେଶ୍ବର ଏସପି ସୂଚନା ଦେଇଛନ୍ତି।

ଲୁଚେଇଲେ ଲୁଚିଲାନି। ଚାପିଦେବାକୁ ଚାହିଁଲରେ ହେଲେ ଚପିଲାନି। ଥାନାରୁ ଜବତ୍ ବାଇକ କୁଆଡ଼େ କେମିତି ଚାଲାଣ ହୋଇଥିଲା ସବୁ ଧରା ପଡ଼ିଗଲା। ଗତ ଫେବ୍ରୁଆରୀ ମାସ ୨୦ ତାରିଖରେ ବାଲେଶ୍ବର ଶିଳ୍ପାଞ୍ଚଳ ଥାନା ହତାରୁ ବାଇକ ଚାଲାଣ ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସିସିଟିଭିରେ ସବୁ ପ୍ରମାଣ ମିଳିଥିବା ପରେ ମଧ୍ୟ ଶିଳ୍ପାଞ୍ଚଳ ଥାନା ଆଇଆଇସି ଏହାକୁ ଏଡ଼ାଇ ଯିବାପାଇଁ ଚେଷ୍ଟା କରିଥିଲେ ଖବରକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ।

Also Read: ଜବତ ବାଇକ ଥାନାରୁ ବିକ୍ରି ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି

ହେଲେ ସତ ବେଶୀ ଦିନ ଲୁଚି ରହିଲାନି। ବାଇକ୍ କିଣିଥିବା କବାଡ଼ିଆ ଦୋକାନୀ ସମସ୍ତ ସତ News 7ର କ୍ୟାମେରାରେ ଧରା ପଡ଼ିବା ପରେ ପୋଲିସର ପୋଲ୍ ଖୋଲିଯାଇଛି। ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ବାଲେଶ୍ବର ଏସପି। ଏହି ପୁରା ମାମଲାର ନିରପେକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବିଳମ୍ୱ ରେ ହେଉ ପଛକେ ଏସପି ଙ୍କ ତଦନ୍ତ ନିର୍ଦ୍ଦେଶ ପରେ ସଂପୂର୍ଣ୍ଣ ସତ ସାମ୍ନା କୁ ଆସିବ ବୋଲି ସମସ୍ତେ ଆଶା ରଖିଛନ୍ତି।ଏସପି ଙ୍କ ତଦନ୍ତ ନିର୍ଦ୍ଦେଶ କୁ ସ୍ୱାଗତ କରିଛନ୍ତି ବାଲେଶ୍ବରବାସୀ।