ଜମ୍ମୁ: ବାର୍ଷିକ ଅମରନାଥ ଯାତ୍ରା ଅଧିକାରୀକ ରୂପେ ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ହେଲେ ତା ପୂର୍ବରୁ ଗୁ୍ମ୍ଫାରେ ବିରାଜମାନ ହିମ ଶିବଲିଙ୍ଗ ‘ବାବା ବର୍ଫାନୀ’ଙ୍କ ଦର୍ଶନର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରକୃତିକ ଭାବେ ନିର୍ମିତ ବିଶାଳ ବରଫ ଶିବଲିଙ୍ଗର ଅଦଭୂତ ଓ ଦିବ୍ୟ ସ୍ୱରୂପକୁ ଦେଖା ଯାଇପାରେ। ଯାତ୍ରାର ସୁରକ୍ଷା ପାଇଁ ମୁତୟନ ସୁରକ୍ଷା ବଳ ଏହି ହିମ ଶିବ ଲିଙ୍ଗଙ୍କୁ ଦର୍ଶନ କରୁଥିବାର ଦେଖା ଯାଉଛନ୍ତି।

ବରଫରେ ପ୍ରାକୃତିକ ରୂପେ ଗଢି ହୋଇଥିବା ଶିବଲିଙ୍ଗର ପୂର୍ଣ୍ଣ ଓ ଭବ୍ୟ ସ୍ୱରୂପ ଦେଖା ଯାଉଛି, ଯାହା ଶ୍ରଦ୍ଧାଳୁଙ୍କ ମନରେ ଅପୂର୍ବ ଶିହରଣ ସୃଷ୍ଟି କରୁଛି। ସବୁ ବର୍ଷ ଭଳି ଚଳିତବର୍ଷ ମଧ୍ୟ ବାବା ବର୍ଫାନୀ ଓ ଶିବ ପରିବାର ପୂର୍ଣ୍ଣ ଆକାରରେ ପ୍ରକଟ ହେବା ଏବେ ଶୁଭ ସଂକେତ ମନେ କରାଯାଉଛି, ଯାହା ଭକ୍ତଙ୍କ ମଧ୍ୟରେ ଖାସ ଉତ୍ସାହ ସୃଷ୍ଟି କରିଛି। ଭିଡିଓରେ ଗୁମ୍ଫା ଭିତରେ ପ୍ରାୟ ୧୨ ଫୁଟ ଉଚ୍ଚ ପୂର୍ଣ୍ଣ ଆକାରର ହୀମ ଶିବଲିଙ୍ଗ ଦେଖା ଯାଉଛି। ଶିବ ଲିଙ୍ଗ ସହିତ ମା ପାର୍ବତୀ ଓ ଗଣେଶଙ୍କ ହୀମ ଆକୃତି ମଧ୍ୟ ସୃଷ୍ଟି ହୋଇଛି।

ଗୁମ୍ଫାର କାନ୍ଥରେ ଜମିଥିବା ବରଫ ଓ ଝରୁଥିବା ଜଳଧାର ଭକ୍ତଙ୍କୁ ଭାବବିହ୍ୱଳ କରୁଛି। କୁହାଯାଉଛି ଯାତ୍ରା ପ୍ରସ୍ତୁତିରେ ଲାଗିଥିବା ସୁରକ୍ଷା ବଳ ଅଥବା ଅଧିକାରୀଙ୍କ ଦ୍ୱାରା ଏହି ଭିଡିଓ ରେକର୍ଡ କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ଶୈବ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖା ଯାଉଛି। ସୋସିଆଲ ମିଡିଆରେ ‘ହର ହର ମହାଦେବ’ ଓ ଜୟ ବାବା ବର୍ଫାନୀ ସ୍ଲୋଗାନ ଲୋକେ ଲେଖୁଛନ୍ତି। ଶ୍ରଦ୍ଧାଳୁ କମେଣ୍ଟ କରୁଛନ୍ତି ଯେ ବାବା ଯାତ୍ରା ଆରମ୍ଭ ହେବା ପୂର୍ବରୁ ହିଁ ଦର୍ଶନ ଦେଲେଣି।

ଶ୍ରୀ ଅମରନାଥ ଶ୍ରାଇନ ବୋର୍ଡ ଅନୁସାରେ ଚଳିତବର୍ଷ ୫୭ ଦିବସୀୟ ଯାତ୍ରା ୩ ଜୁଲାଇରୁ ଆରମ୍ଭ ହୋଇ ୨୮ ଅଗଷ୍ଟ ରକ୍ଷା ବନ୍ଧନ ପର୍ଯ୍ୟନ୍ତ ଚାଲିବ। ଏଥି ପାଇଁ ଉଭୟ ମାର୍ଗ ପହଲଗାମ ଓ ବାଲଟାଲ ରୁ ତୀର୍ଥ ଯାତ୍ରୀଙ୍କ ପଞ୍ଜିକରଣ ଆରମ୍ଭ ହୋଇସାରିଲାଣି। ଅଧିକାରୀକ ସୂତ୍ର ଅନୁସାରେ ଏ ପର୍ଯ୍ୟନ୍ତ ସାଢେ ୩ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଯାତ୍ରା ନିମନ୍ତେ ଅନ-ଲାଇନ ପଞ୍ଜିକରଣ କରିଛନ୍ତି। ସେହିପରି ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ସୁବିଧାକୁ ନେଇ ପ୍ରଶାସନର ପ୍ରସ୍ତୁତି ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ତେବେ ଶ୍ରାଇନ ବୋର୍ଡ ତୀର୍ଥ ଯାତ୍ରୀଙ୍କୁ କେବଳ ଅଧିକାରୀକ ରୂପେ ଜାରି ସୂଚନା ଉପରେ ନିର୍ଭର କରିବାକୁ ନିବେଦନ କରିଛି। ସେହିପରି ବିନା ପଞ୍ଜିକରଣରେ ଯାତ୍ରା ନ କରିବାକୁ ତଥା ପାଣିପାଗ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିୟ ଗାଇଡଲାଇନ ପାଳନ କରିବାକୁ ମଧ୍ୟ କହିଛି।