ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଆଜାଦ ନଗରରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଏବେ ଆକ୍ସନ ମୋଡ୍‌ରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA)। ଏହି ସମ୍ବେଦନଶୀଳ ଘଟଣାର ଖୋଳତାଡ଼ କରି NIA ଟିମ୍ ଆଜି ଭୁବନେଶ୍ୱରର ତିନୋଟି ପ୍ରମୁଖ ଠିକଣାରେ ଏକକାଳୀନ ଚଢ଼ାଉ କରିଛି। ଏହି ଚଢ଼ାଉ ସମୟରେ ତଦନ୍ତକାରୀ ସଂସ୍ଥା ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ଦସ୍ତାବିଜ୍ ଲାଗିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୂର୍ବରୁ ଏହି ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଉତ୍ତରପ୍ରଦେଶରୁ ରୋହନ ରଞ୍ଜନ ରାଉତ ନାମକ ଜଣେ ଯୁବକକୁ ଗିରଫ କରାଯାଇଥିଲା। ଗିରଫ ରୋହନକୁ ଜେରା ବେଳେ ମିଳିଥିବା ଗୁପ୍ତ ସୂଚନା ଓ ବୟାନ ଆଧାରରେ NIA ଏହି ରେଡ୍ କରିଛି। ଭୁବନେଶ୍ୱରର ଯେଉଁ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି, ସେଗୁଡ଼ିକ ସହ ଅଭିଯୁକ୍ତର ସିଧାସଳଖ କନେକ୍ସନ ଥିବା ସନ୍ଦେହ କରାଯାଉଛି।

ବୋମା ବିସ୍ଫୋରଣ ପଛର ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏଥିରେ କାହାର କାହାର ସମ୍ପୃକ୍ତି ରହିଛି, ସେ ନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି NIA। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଚଢ଼ାଉ ସମୟରେ ବିସ୍ଫୋରଣ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହାତଗତ ହୋଇଛି। ଏହି ଆଧାରରେ ଆଗାମୀ ଦିନରେ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।

ତଦନ୍ତ ପରିସରଭୁକ୍ତ ସ୍ଥାନୀୟ ଅଞ୍ଚଳ:ଏୟାରଫିଲ୍ଡ ଥାନା ଅଞ୍ଚଳରେ ଘଟିଥିବା ଏହି ବୋମା ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। NIAର ଏହି ଚଢ଼ଉ ପରେ ରାଜଧାନୀରେ ଆତଙ୍କବାଦୀ କିମ୍ବା ବେଆଇନ ଗତିବିଧି ଚଳାଉଥିବା ଅନ୍ୟ ଅପରାଧୀଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।

ଏହି ନେଟୱର୍କ ଓଡ଼ିଶା ବାହାରକୁ କେତେ ଦୂର ବ୍ୟାପିଛି ଏବଂ ଏଥିରେ ଆଉ କେଉଁମାନଙ୍କର ସହଯୋଗ ରହିଛି, ସେ ନେଇ NIAର ସ୍ପେଶାଲ ଟିମ୍ ଏବେ ତଦନ୍ତ ଜାରି ରଖିଛି।