ବାଲେଶ୍ୱର ୨୪।୫: ବାଲେଶ୍ୱର ଜିଲ୍ଲା ସଦର ଥାନା କଞ୍ଚନିବାଗ ଅଞ୍ଚଳରେ ନାବାଳିକାଙ୍କୁ ଜୋର ଜବରଦସ୍ତି ବିବାହ କରାଇବା ଉଦ୍ୟମ ଘଟଣା ସାମ୍ନାକୁ ଆସିଛି । ୧୭ ବର୍ଷର ଜଣେ ନାବାଳିକାଙ୍କୁ ପରିବାର ଲୋକେ ଜବରଦସ୍ତି ବିବାହ କରାଇବାକୁ ଉଦ୍ୟମ କରୁଥିଲେ । ତେବେ ନାବାଳିକା ଏହି ବିବାହରେ ଅରାଜି ଥିବା ସତ୍ତ୍ୱେ ପରିବାର ଲୋକେ ଜଣେ ଯୁବକଙ୍କ ସହ ବିବାହ କରାଇବାକୁ ଚାପ ପକାଉଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଜାଣିବା ପରେ ବିବାହ ପାଇଁ ଆସିଥିବା ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କ ବାପା ଏବଂ ବିବାହ ପାଇଁ ଆସିଥିବା ଜିତେନ୍ଦ୍ର ବାରିକ ନାମକ ଯୁବକଙ୍କୁ ଥାନାକୁ ନେଇ ତଦନ୍ତ ଆରମ୍ଭ କରୁଛି ।

ଅଭିଯୋଗ ଅନୁସାରେ, ଉକ୍ତ ଯୁବକ ନାବାଳିକାଙ୍କ ମା’ଙ୍କ ଧରମ ଭାଇ ହୋଇଥିବା ବେଳେ ମା’ ଓ ବାପା ମିଶି ଜବରଦସ୍ତି ବିବାହ ପାଇଁ ବାଧ୍ୟ କରୁଥିଲେ । ନାବାଳିକା ରାଜି ନହେବାରୁ ତାଙ୍କୁ ମାଡ଼ ମରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।