ନୂଆଦିଲ୍ଲୀ: ଭେନେଜୁଏଲା ଭୂକମ୍ପରେ ଆର୍ଜେଣ୍ଟିନାର ପ୍ରସିଦ୍ଧ ଫୁଟବଲ୍ ଖେଳାଳି ଲୁକାସ୍ ଟ୍ରେଜୋ (Lucas Trejo)ଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ତାଙ୍କ ପତ୍ନୀ ଏବଂ ଦୁଇ ସନ୍ତାନଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ଭେନେଜୁଏଲାର ପ୍ରଥମ ଶ୍ରେଣୀ ଫୁଟବଲ୍ କ୍ଲବ୍ 'ଡିପୋର୍ଟିଭୋ ଲା ଗୁଆଇରା' ପକ୍ଷରୁ ଏହି ଦୁଃଖଦ ଖବର ମିଳିଛି । ଭେନେଜୁଏଲାର ୟାରାକୁଇ ଅଞ୍ଚଳରେ  ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ତୀବ୍ର ଭୂକମ୍ପ ଯୋଗୁଁ ଆର୍ଜେଣ୍ଟିନା ଡିଫେଣ୍ଡର ଲୁକାସ୍ ଟ୍ରେଜୋଙ୍କ ପରିବାର ରହୁଥିବା ଆପାର୍ଟମେଣ୍ଟ ବିଲ୍ଡିଂଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା।

ବିଲ୍ଡିଂ ଭାଙ୍ଗିବା ପରେ ତାଙ୍କ ପତ୍ନୀ ୟାନିନା ମାରାନେଲା ଏବଂ ଦୁଇ ସନ୍ତାନ ଆରୋନ ଓ ଆଇନହୋଆ ଟ୍ରେଜୋ ନିଖୋଜ ଥିବା ନେଇ ସୂଚନା ମିଳିଥିଲା। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ସେମାନଙ୍କୁ ଖୋଜାଖୋଜି କରିଥିଲେ। ତେବେ ବହୁ ସଂଘର୍ଷ ପରେ ଲୁକାସଙ୍କ ପତ୍ନୀ ଓ ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଏହି ଖବର ମିଳିବା ପରେ ଫୁଟବଲ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

ଫୁଟବଲ୍ କ୍ଲବ୍ 'ଡିପୋର୍ଟିଭୋ ଲା ଗୁଆଇରା' ଏବଂ କ୍ରୀଡ଼ାପ୍ରେମୀମାନେ ଲୁକାସ୍ ଟ୍ରେଜୋଙ୍କର ଏହି ଅପୂରଣୀୟ କ୍ଷତି ପାଇଁ ଗଭୀର ସମବେଦନା ଜଣାଇଛନ୍ତି। ସୋସିଆଲ ମିଡିଆରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଫୁଟବଲ୍ ପ୍ରଶଂସକମାନେ ଏହି କଠିନ ସମୟରେ ଲୁକାସ୍‌ଙ୍କୁ ଧୈର୍ଯ୍ୟ ରଖିବା ପାଇଁ ନିବେଦନ କରିଛନ୍ତି।

ସେପଟେ ନିଜ ପରିବାର ନିଖୋଜ ଥିବା ସମୟରେ ଲୁକାସ୍ ଟ୍ରେଜୋ ଇନଷ୍ଟାଗ୍ରାମରେ ଲେଖିଥିଲେ, ‘ପ୍ଲାୟା ଗ୍ରାଣ୍ଡେରେ ଥିବା ଆମ ବିଲ୍ଡିଂଟି ଭୁଶୁଡ଼ି ପଡ଼ିଛି। ମୋ ପରିବାର ବିଷୟରେ ମୁଁ କିଛି ବି ଜାଣିପାରୁ ନାହିଁ। ଦୟାକରି ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଏହି ମେସେଜ୍‌କୁ ସେୟାର କରନ୍ତୁ, ଯଦି କେହି ସେମାନଙ୍କୁ କେଉଁଠି ଦେଖିଛନ୍ତି ତେବେ ଜଣାନ୍ତୁ।’