LIVE TV

ବଙ୍ଗୋପସାଗରରେ ଆସିପାରେ ପୁଣି ଏକ ଲଘୁଚାପ, ପ୍ରବଳ ବର୍ଷାର ଆଶଙ୍କା

NEWS7
weat

ଭୁବନେଶ୍ୱର ୦୪।୧୦ : ଆସନ୍ତା ୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଛନ୍ତି।

ଆଇଏମ୍‌ଡି ଜିଏଫ୍‌ଏସ୍‌ ମଡେଲ କହୁଛି, ୫ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଉତ୍ତର-ଉତ୍ତର ପଶ୍ଚିମ ମୁହାଁ ହୋଇ ଉତ୍ତର ବଙ୍ଗୋପସାଗର ଆଡ଼କୁ ମୁହାଁଇବ। ୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏନ୍‌ସିଇପି-ଜିଏଫ୍‌ଏସ୍‌ ମଡେଲ ମଧ୍ୟ ଏହି ଆକଳନକୁ ଦୋହରାଇଛି । ତେବେ ୧୦ ତାରିଖ ବେଳକୁ ଏହି ଲଘୁଚାପ ହେବ ବୋଲ ଭାରତ ଫୋରକାଷ୍ଟ ସିଷ୍ଟମ୍‌ ଓ ଏନସିୟୁଏମ୍‌ ସେମାନଙ୍କ ମଡେଲ ଆଧାରରେ ପୂର୍ବାନୁମାନ କରିଛନ୍ତି।

ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପୂର୍ବ ଓ ଉତ୍ତର ପୂର୍ବ ଭାରତରେ ୯ତାରିଖରୁ ବିସ୍ତୃତ ଅଞ୍ଚଳରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ନିଜ ବିସ୍ତାରିତ ଆକଳନରେ ଦର୍ଶାଇଛି। ଆସନ୍ତା ୯ରୁ ୧୫ ତାରିଖ ଯାଏ ପୂର୍ବ ଭାରତରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ ବୋଲି ଏଥିରେ ଆକଳନ କରାଯାଇଛି।

ସେପଟେ ଦକ୍ଷିଣ ଓଡ଼ିଶା ଉପରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ରାଜ୍ୟର ଅନେକ ସ୍ଥାନରେ ବାଦଲଫଟା ବର୍ଷା ହୋଇଛି । ଗୁରୁବାର ସକାଳ ସାଢ଼େ ୮ଟାରୁ ଶୁକ୍ରବାର ସକାଳ ସୁଦ୍ଧା କଳାହାଣ୍ଡିର ଟି ରାମପୁରରେ ସର୍ବାଧିକ ୩୫୨ମିମି ବର୍ଷା ରେକର୍ଡ ହୋଇଛି । ଗଜପତି ଆର୍‌ ଉଦୟଗିରିରେ ୨୯୧ ମିମି, ଗୁମ୍ମାରେ ୨୧୧ ଓ କଳାହାଣ୍ଡି ଜୁନାଗଡ଼ରେ ୨୧୦ମିମି ବର୍ଷା ଢାଳିଛି । ନୂଆପଡ଼ା କୋମନାରେ ୧୯୭ମିମି, ଗଜପତି ଗୋଷାଣୀରେ ୧୭୪, ନୂଆଗଡ଼ରେ ୧୬୫, କନ୍ଧମାଳ କୋଟଗଡ଼ରେ ୧୫୧, ଗଜପତି ମହେନ୍ଦ୍ରଗଡ଼ରେ ୧୪୬, କୋରାପୁଟ ଲମତାପୁଟରେ ୧୪୧, କନ୍ଧମାଳ ଦାରିଙ୍ଗିବାଡ଼ିରେ ୧୩୭, କଳାହାଣ୍ଡି ନର୍ଲାରେ ୧୩୬, କୋରାପୁଟ ସିମିଳୁଗୁଡ଼ାରେ ୧୩୧ ମିମି ବର୍ଷା ହୋଇଛି ।

ଅବପାତ କ୍ରମଶଃ ଦୁର୍ବଳ ହେଉଥିବାରୁ ରାଜ୍ୟରେ ବର୍ଷା କମିବ। ଶନିବାର ନବରଙ୍ଗପୁର ଓ ନୂଆପଡ଼ାର ବିକ୍ଷିପ୍ତ ସ୍ଥାନରେ ଅଧିକ ବର୍ଷା ହୋଇପାରେ। ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୫ରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ଅଛି।

ସେପଟେ ଉତ୍ତର ପୂର୍ବ ଆରବସାଗରରେ ବାତ୍ୟା ଶକ୍ତିସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟାରେ ଏହା ଆହୁରି ଘନୀଭୂତ ହୋଇ ଭୀଷଣ ବାତ୍ୟା ରୂପ ନେଇପାରେ। ଓଡ଼ିଶା ଉପରେ ଏହାର ପ୍ରଭାବ ରହିବନି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି