ନୂଆଦିଲ୍ଲୀ: ଦ ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ପ୍ରକାଶ ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଦିନକୁ ଦିନ ଜୋର ଧରିବାରେ ଲାଗିଛି। ଏହି ବିବାଦ ଶାନ୍ତ ନ ପଡୁଣୁ ଏବେ ନିର୍ବାଚନ ଆୟୋଗ ଭିତରେ ଆଉ ଜଣେ ଅଧିକାରୀଙ୍କ କାର୍ଯ୍ୟଶୈଳୀ ତଥା ପରିଚାଳନାକୁ ନେଇ ବିବାଦ ଦେଖା ଦେଇଛି। ହିନ୍ଦୁସ୍ଥାନ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜୁଲାଇ ମାସରେ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂ ସନ୍ଧୁ ଓ ବିବେକ ଯୋଶୀ କ୍ୟାବିନେଟ୍ ସଚିବ ଟିଭି ସୋମନାଥନଙ୍କୁ ଅଲଗା ଅଲଗା ଚିଠି ଲେଖି ବରିଷ୍ଠ ଉପ ନିର୍ବାଚନ ଆୟୁକ୍ତ(ଡିଇସି) ମନୀଷ ଗର୍ଗଙ୍କ କାର୍ଯ୍ୟଶୈଳୀକୁ ନେଇ ଆପତ୍ତି ଉଠାଇଛନ୍ତି।

ନିର୍ବାଚନ ଆୟୋଗର ଆଇଟି ମହାନିର୍ଦ୍ଦେଶକ(ଡିଜି-ଆଇଟି) ସୀମା ଖନ୍ନାଙ୍କ ଫାଇଲର ସମୀକ୍ଷା ସହ ଏହି ମାମଲା ଜଡ଼ିତ। ମନୀଷ ଗର୍ଗ ଏକ ଆଦେଶ ଜାରି କରି ଡିଜି(ଆଇଟି)ଙ୍କ ଫାଇଲଗୁଡିକୁ ଉପ ନିର୍ବାଚନ ଆୟୁକ୍ତ ସଞ୍ଜୟ କୁମାରଙ୍କ ନିକଟକୁ ପଠାଇବାର ବ୍ୟବସ୍ଥାକୁ ସମାପ୍ତ କରି ଦେଇଥିଲେ। ଦୁଇ ନିର୍ବାଚନ ଆୟୁକ୍ତ ନିଜ ଚିଠିରେ ଲେଖିଛନ୍ତି ଯେ, ସଞ୍ଜୟ କୁମାର ଜଣେ ଅନୁଭବୀ ଅଧିକାରୀ ଏବଂ ତାଙ୍କର ନିର୍ବାଚନ ପ୍ରକ୍ରିୟା ଉପରେ ଗଭୀର ଅଭିଜ୍ଞତା ରହିଛି। ଏମିତିରେ ଆଇଟି ବିଭାଗ ଉପରୁ ତାଙ୍କର ଦାୟିତ୍ଵ ହଟାଇବା ନିୟମର ଉଲ୍ଲଂଘନ।

Also Read: ନୋଟରେ ପ୍ରଥମେ ନଥିଲା ଗାନ୍ଧୀଙ୍କ ଛବି, ପୂର୍ବରୁ ଅନ୍ୟ ଫଟୋ ପାଇଁ ଦିଆଯାଇଥିଲା ବିକଳ୍ପ

ନିର୍ବାଚନ ଆୟୋଗର ସଫେଇ

ବିବାଦ ବଢିବା ପରେ ଗତ ସପ୍ତାହରେ ନିର୍ବାଚନ ଆୟୋଗ ଏକ ସ୍ପଷ୍ଟୀକରଣ ରଖିଛନ୍ତି। ଆୟୋଗଙ୍କ କହିବା କଥା ଏହା କୌଣସି ନୀତିଗତ ବିବାଦ କିମ୍ବା ଆଇଟି ବିଭାଗର କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ନୁହେଁ, ବରଂ ଏହା କେବଳ ଡେପୁଟେସନରେ ଆସିଥିବା ଜଣେ ଅଧିକାରୀଙ୍କ କାର୍ଯ୍ୟପରିସର ମଧ୍ୟରେ ସୀମିତ ଥିଲା। ଆୟୋଗଙ୍କ ଅନୁସାରେ ସମ୍ପୃକ୍ତ ଆଦେଶଟି ସମ୍ପୂର୍ଣ୍ଣ ଭାବେ କେବେ ମଧ୍ୟ ଲାଗୁ ହୋଇନଥିଲା ଏବଂ ଆଇଟି ବିଭାଗ ଉପରେ ଉପ-ନିର୍ବାଚନ କମିଶନରଙ୍କ ନଜର ପୂର୍ବପରି ବଜାୟ ରହିଥିଲା। ।

ଗତ ଅଗଷ୍ଟ ମାସରେ ସଞ୍ଜୟ କୁମାର ନିଜର ମୂଳ କ୍ୟାଡରକୁ ଫେରିବା ପରେ, ବର୍ତ୍ତମାନ ମନୀଷ ଗର୍ଗ ହିଁ ଏହି ଦାୟିତ୍ୱ ତୁଲାଉଛନ୍ତି। ଏବେ ଡିଜି (ଆଇଟି)ଙ୍କ ସମସ୍ତ ଫାଇଲ୍ ମନୀଷ ଗର୍ଗଙ୍କ ଜରିଆରେ ହିଁ ସିଧାସଳଖ ନିର୍ବାଚନ କମିଶନରଙ୍କ ନିକଟକୁ ଯାଉଛି। ଅପରପକ୍ଷରେ, କ୍ୟାବିନେଟ ସଚିବ ଟି.ଭି. ସୋମନାଥନ ଏହି ଚିଠିଗୁଡ଼ିକୁ କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ (DoPT)କୁ ପଠାଇ ଦେଇଛନ୍ତି। ତେବେ ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ସ୍ୱାଧୀନତା ବଜାୟ ରଖିବା ପାଇଁ ସରକାର ଏହି ମାମଲାରେ ସିଧାସଳଖ ହସ୍ତକ୍ଷେପ କରିବାକୁ ଏଡ଼ାଇ ଚାଲୁଥିବା ଜଣାପଡ଼ିଛି।

Also Read: ବିବାଦରେ ଫସି ଚାଲିଛି ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ, ଏବେ ଯୁବତୀ ଓ ୧୭ ବର୍ଷର ଯୁବକ ଗାଏବ