ମୁମ୍ଵାଇ ୧୮।୦୮; ଦକ୍ଷିଣ ଭାରତୀୟ ସିନେମା ଜଗତର ସୁପରହିଟ୍ ସଙ୍ଗୀତକାର ଅନିରୁଦ୍ଧ ରବିଚନ୍ଦ୍ର। ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର କୌଣସି ବ୍ଲକବଷ୍ଟର ଗୀତ ପାଇଁ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ! IPL ଦଳ 'ସନରାଇଜର୍ସ ହାଇଦ୍ରାବାଦ'ର ସିଇଓ ତଥା ସନ୍ ଗ୍ରୁପ୍ ଅଧ୍ୟକ୍ଷ କଳାନିଧି ମାରାନଙ୍କ ଝିଅ କାବ୍ୟା ମାରାନ ଏବଂ ଅନିରୁଦ୍ଧଙ୍କ ମଧ୍ୟରେ ଥିବା ପ୍ରେମ ସମ୍ପର୍କକୁ ନେଇ ବହୁ ଦିନରୁ ଗୁଜବ ଚାଲିଥିଲା। ହେଲେ ବର୍ତ୍ତମାନ ଏହି ଚର୍ଚ୍ଚା ଏକ ନୂଆ ମୋଡ଼ ନେଇଛି।

ଖବର ମିଳୁଛି ଯେ, ଏହି ହାଇ-ପ୍ରୋଫାଇଲ୍ ଯୋଡ଼ି ଖୁବ୍ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଅନିରୁଦ୍ଧ ଏବଂ କାବ୍ୟା ଗ୍ରୀସରେ ଏକ ଆକର୍ଷଣୀୟ ଡେଷ୍ଟିନେସନ୍ ୱେଡିଂ ପ୍ଲାନ୍ କରୁଛନ୍ତି। କୁହାଯାଉଛି କି ଦୁହେଁ ୨୦୨୬ ନଭେମ୍ବର ୧୧ ତାରିଖରେ ବିବାହ କରିବେ। ତାହା ପୁଣି କେବଳ ଘର ଲୋକ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ । ଏହା ଏକ ପ୍ରାଇଭେଟ ୱେଡିଂ ହେବ । ଅନିରୁଦ୍ଧଙ୍କ ଦାଦା, ଅଭିନେତା ୱାଇ.ଜି. ମହେନ୍ଦ୍ରନ୍ ଏକ ସାକ୍ଷାତକାରରେ ଅନିରୁଦ୍ଧ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ଦେବା ପରେ ଅନଲାଇନ୍ରେ ଏହି ଖବର ନିଆଁ ଭଳି ବ୍ୟାପିଯାଇଥିଲା।

ହେଲେ ଏ ପର୍ଯ୍ୟନ୍ତ ନା ଅନିରୁଦ୍ଧ, ନା କାବ୍ୟା ମାରାନ କେହି ବି ଏହି ଡେଟିଂ କିମ୍ବା ବିବାହ ଗୁଜବ ଉପରେ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି। ହେଲେ ନିର୍ଦ୍ଦିଷ୍ଟ ତାରିଖ ଓ ସ୍ଥାନର ଖବରକୁ ଉଭୟଙ୍କ ପ୍ରଶଂସକମାନେ ଏବେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି।

ଏହା ଉଲ୍ଲେଖନୀୟ ଯେ କାବ୍ୟା ମାରାନ ହେଉଛନ୍ତି ସନ୍ ଗ୍ରୁପର ଅଧ୍ୟକ୍ଷ କଳାନିଥି ମାରାନଙ୍କ ଝିଅ। ସେ ଆଇପିଏଲ୍ ଫ୍ରାଞ୍ଚାଇଜ୍ ସନରାଇଜର୍ସ ହାଇଦ୍ରାବାଦର ସିଇଓ ମଧ୍ୟ। ତାଙ୍କର ବ୍ୟବସାୟିକ ଉଦ୍ୟମ ବ୍ୟତୀତ, ସେ ପ୍ରାୟତଃ ଆଇପିଏଲ୍ ସମୟରେ ତାଙ୍କ ଦଳକୁ ସମର୍ଥନ କରୁଥିବାର ନଜର ଆସନ୍ତି ଏବଂ ତାଙ୍କର ସାର୍ବଜନୀନ ଉପସ୍ଥିତି ପ୍ରାୟତଃ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟି ଆକର୍ଷଣ କରିଥାଏ। ଏହି ସମୟରେ, ଅନିରୁଦ୍ଧ ରବିଚନ୍ଦ୍ର ବର୍ତ୍ତମାନ ଭାରତର ଟପ୍ ମ୍ୟୁଜିକ କମ୍ପୋଜରଙ୍କ ମଧ୍ୟରୁ ଜଣେ। ତାଙ୍କ ସଂଗୀତକୁ ଅନେକ ହିଟ୍ ତାମିଲ ଚଳଚ୍ଚିତ୍ରର ସଫଳତା ପାଇଁ ଶ୍ରେୟ ଦିଆଯାଇଛି, ଏବଂ ସେ ଆଗାମୀ ପ୍ରକଳ୍ପଗୁଡ଼ିକ ସହିତ ଜଡିତ ଅଛନ୍ତି।