LIVE TV

ନକ୍ସଲଙ୍କୁ ଅମିତ ଶାହଙ୍କ ଶେଷ ଚେତାବନୀ, କହିଲେ- ଆଉ କଥାବାର୍ତ୍ତା ନାହିଁ, ଅସ୍ତ୍ରତ୍ୟାଗ କରିବାକୁ ପଡିବ

NEWS7
gfx

ଜଗଦ୍ଦଲପୁର ୪।୧୦: ଛତିଶଗଡ଼ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ନକ୍ସଲଙ୍କୁ ଶେଷ ଚେତାବନୀ ଦେଇଛନ୍ତି। ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ନକ୍ସଲଙ୍କୁ ଏବେ ଅସ୍ତ୍ର ତ୍ୟାଗ କରିବାକୁ ହିଁ ପଡିବ ବୋଲି କହିଛନ୍ତି। ଦେଶରୁ ନକ୍ସଲ ବିପଦକୁ ଦୂର କରିବା ପାଇଁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଏହି ସମୟ ମଧ୍ୟରେ ଯେଉଁମାନେ ଅସ୍ତ୍ରତ୍ୟାଗ କରି ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆଗ୍ରହୀ ହେବେ ସରକାର ସେମାନଙ୍କ ଥଇଥାନ କରିବେ, ତେବେ ଯେଉଁମାନେ ଅସ୍ତ୍ରଉଠାଇବେ ସେମାନଙ୍କୁ ନିଶେଷ କରିଦିଆଯିବ ବୋଲି ଗୃହମନ୍ତ୍ରୀ କହିଛନ୍ତି।

ଛତିଶଗଡ଼ ଗସ୍ତକାଳରେ ଅମିତ ଶହ ଶନିବାର ବସ୍ତରରେ ଦନ୍ତେଶ୍ୱରୀଙ୍କ ଦର୍ଶନ କରିଛନ୍ତି। ଏହା ପରେ ସେ ବସ୍ତର ଜିଲ୍ଲା ମୁଖ୍ୟାଳୟ ଜଗଦ୍ଦଲପୁରରେ ‘ବସ୍ତର ଦଶହରା ଲୋକୋତ୍ସବ’ ଓ ସ୍ୱଦେଶୀ ମେଳାକୁ ଉଦଘାଟନ କରି ଆୟୋଜିତ ସମାବେଶକୁ ସମ୍ବୋଧିତ କରିଥିଲେ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ନକ୍ସଲଙ୍କ ସହ କୌଣସି ପ୍ରକାର କଥାବାର୍ତ୍ତାକୁ ଅସ୍ୱୀକାର କରିଦେଇଛନ୍ତି। ସେ କହିଛନ୍ତି ଯେ ନକ୍ସଲଙ୍କ ସହିତ କଥାବାର୍ତ୍ତାର କୌଣସି ସମ୍ଭାବନା ନାହିଁ।

ସେ କହିଛନ୍ତି ଯେ କିଛି ଲୋକେ ନକ୍ସଲଙ୍କ ସହ ଆଲୋଚନା ଆହ୍ୱାନ ଦେଇଛନ୍ତି। ତେବେ ମୁଁ ପୁଣିଥରେ ସ୍ପଷ୍ଟ କରିଦେଉଛି ଛତିଶଗଡ଼ ଓ କେନ୍ଦ୍ର ସରକାର ଉଭୟ ବସ୍ତର ଓ ସବୁ ନକ୍ସଲ ପ୍ରଭାବିତ ଅଞ୍ଚଳର ବିକାଶ ନିମନ୍ତେ ସଂକଳ୍ପବଦ୍ଧ। ଏଣୁ ଏଥିରେ ନକ୍ସଲଙ୍କ ସାଙ୍ଗରେ ଆଉ କଥାବାର୍ତ୍ତାର ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ସେ ପଚାରିଛନ୍ତି। ଏଣୁ ନକ୍ସଲଙ୍କ ଲାଗି ଏକ ଆର୍ଷଣୀୟ ଥାଇଥାନ ନୀତି ଲାଗୁ କରାଯାଇଛି। ଏଣୁ ଆଗକୁ ଆସନ୍ତୁ ଓ ଅସ୍ତ୍ର ତ୍ୟାଗ କରନ୍ତୁ।

ସେହିପରି ବସ୍ତରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଅମିତ ଶାହ କହିଛନ୍ତି ଯେ ନରେନ୍ଦ୍ର ମୋଦି ସରକାର ଛତିଶଗଡ଼ର ବିକାଶ ନିମନ୍ତେ ୧୦ ବର୍ଷରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ମଞ୍ଜୁର କରିଛନ୍ତି। ଏଣୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୁଁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ ୩୧ ମାର୍ଚ୍ଚ ୨୦୨୬ ପରେ ନକ୍ସଲ ଆପଣଙ୍କ ବିକାଶ କାମକୁ ରୋକି ପାରିବେ ନାହିଁ। କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ନକ୍ସଲବାଦ ଦ୍ୱାରା ଭ୍ରମିତ ଲୋକଙ୍କୁ ହିଂସା ଛାଡି ମୁଖ୍ୟଧାରାରେ ସାମିଲ ହେବା ପାଇଁ ପରାମର୍ଶ ଦିଅନ୍ତୁ ବୋଲି କହିଛନ୍ତି।