ଆଠଗଡ଼ ୨୮।୧୧: ବହୁ ଚର୍ଚ୍ଚିତ ମଣ୍ଟୁ ବାରିକ ହତ୍ୟା ଘଟଣାର ୩୦ ମାସ ପରେ ତିଗିରିଆ ପୋଲିସ ହାତରେ ଆଉ ତିନି ଅଭିଯୁକ୍ତ । କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ମଣ୍ଟୁ ବାରିକ ହତ୍ୟା ଘଟଣାର ଆଉ ୩ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ l ପୂର୍ବରୁ ହତ୍ୟାକାଣ୍ଡରେ ସମ୍ପୃକ୍ତ ୬ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ସୁଦ୍ଧା ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଲା । ବିଶେଷ ସୂତ୍ରରୁ ଖବର ପାଇ ଗୁରୁବାର ଅଭିଯୁକ୍ତ ମାନଙ୍କୁ ଏହି ଥାନା ଅଞ୍ଚଳରୁ ପୋଲିସ ଚଢାଉ କରି ଗିରଫ କରିଥିଲା । ଅଭିଯୁକ୍ତ ମାନେ ହେଲେ ଗୋକର୍ଣ୍ଣଖାଲ ଗ୍ରାମର ଦୀପକ ପ୍ରଧାନ, ଶ୍ରୀପତି ପ୍ରଧାନ ଓ ନନ୍ଦ ବେହେରା । ସମସ୍ତ ଅଭିଯୁକ୍ତ ଘଟଣା ଦିନଠାରୁ ଫେରାର ଥିଲେ । ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ ଇପସିତା ପ୍ରିୟଦର୍ଶନୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ୨୦୨୩ ମସିହା ଏପ୍ରିଲ ୧୯ ତାରିଖ ପୂର୍ବାହ୍ନରେ ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ବିଶ୍ଵନାଥ ବାରିକ ଓରଫ ମଣ୍ଟୁକୁ ପୂର୍ବ ଶତ୍ରୁତାରୁ ବିଭିନ୍ନ ଧାରୁଆ ଅସ୍ତ୍ରରେ ହାଣିବା ସହ ବାଡିରେ ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିଲl । ହତ୍ୟାକାଣ୍ଡ ପରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ଖୁଣ୍ଟୁଣୀ-ନରସିଂହପୁର ୬୫ନଂ ରାଜ୍ୟ ରାଜପଥ ଉପରେ ଶବ ରଖି ରାସ୍ତା ଅବରୋଧ କରି ନ୍ୟାୟ ସହିତ ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କରିଥିଲେ ଓ ଏନେଇ ପରିବାର ଲୋକେ ତିଗିରିଆ ଥାନରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ଘଟଣା ତଦନ୍ତ ଜାରି ରଖିଛି l ଆହୁରି ମଧ୍ୟ ଏହି ଘଟଣାର ୧୭ ମାସ ପରେ ପୋଲିସର ତଦନ୍ତକୁ ଆକ୍ଷେପ କରିବା ସହିତ ନ୍ୟାୟ ନପାଇ ମଣ୍ଟୁର ମା’ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ।