ଆମେରିକାର ‘ଡୁମ୍ସଡେ ପ୍ଲେନ୍‌’ ଅର୍ଡରକୁ ନେଇ ଚର୍ଚ୍ଚା, ପରମାଣୁ ଆକ୍ରମଣରୁ ରକ୍ଷା କରିବ ଏହି ବିମାନ, ଜାଣନ୍ତୁ କେତେ ଭୟଙ୍କର

Published By : Prameya-News7 Bureau | April 29, 2024 IST

ନୂଆଦିଲ୍ଲୀ: ଆମେରିକୀୟ ବାୟୁ ସେନା ଦ୍ବାରା ‘ଡୁମ୍ସଡେ’ ବିମାନ ଅର୍ଡରକୁ ନେଇ ଏବେ ବେଶ୍‌ ଚର୍ଚ୍ଚା । ଆମେରିକାର  ଏହି ଘୋଷଣା ପରେ ଅନେକ ଦେଶ ସତର୍କ ମଧ୍ୟ ହୋଇଛନ୍ତି। ଏହି ବିମାନ ପାଇଁ କମ୍ପାନି ସିଏରା ନେଭାଡା କର୍ପୋରେସନ ସହ ଆମେରିକା ପ୍ରାୟ ୧୩ ବିଲିୟନ ଡଲାର ଡିଲ୍‌ କରିଥିବା ନେଇ ମଧ୍ୟ ଜଣାପଡ଼ିଛି। ତେବେ ଆସନ୍ତୁ ଜାଣିବା ଏହି ବିମାନରେ ଏଭଳି କ’ଣ ବିଶେଷତ୍ବ। ଯାହାକୁ ନେଇ ଚର୍ଚ୍ଚା।  

ପ୍ରକୃତରେ ଏହା କୌଣସି ସାଧାରଣ ବିମାନ ତୁଳନାରେ ଢ଼େର ଗୁଣା ସୁରକ୍ଷିତ। ଏହାର କ୍ଷମତା ହେଉଛି ଏହି ବିମାନ ପରମାଣୁ ଆକ୍ରମଣକୁ ସହ୍ୟ କରିବାରେ ସକ୍ଷମ। ଆଉ ରେଡିଏସନର ପ୍ରଭାବକୁ ମଧ୍ୟ ରୋକିପାରେ। ଏହା ଉଦ୍ଦେଶ୍ୟ ହେଉଛି, ପରମାଣୁ ଆକ୍ରମଣ ସ୍ଥିତିରେ ଏହି ବିମାନ ସୁନିଶ୍ଚିତ କରିବ ଯେ ଆମେରିକା ରାଷ୍ଟ୍ରପତି ଏବଂ ବରିଷ୍ଠ ସୈନ୍ୟ ଅଧିକାରୀ ଏଥିରେ ବସି ନିଜର ଦାୟିତ୍ବ ତୁଲାଇପାରିବେ।

ବିଶେଷତ୍ବ

ଡୁମ୍ସଡେ ବିମାନର ପ୍ରକୃତ ନାଁ ବିମାନ ସର୍ଭାଇଭାଲ ଏୟାରବର୍ଣ୍ଣ ଅପରେସନ ସେଣ୍ଟର (SAOC) ରହିଛି। ଆମେରିକାର ସିଏରା ନେଭାଡା କମ୍ପାନୀ ଏହି ବିମାନକୁ ପ୍ରସ୍ତୁତ କରିବ। ଏହାକୁ ପ୍ରସ୍ତୁତ କରିବା ପାଇଁ କମ୍ପାନି ୨୦୩୬ ଡେଡଲାଇନ ଦିଆଯାଇଛି। ଆମେରିକା ଏଭଳି କେତୋଟି ବିମାନ ଅର୍ଡର ଦେଇଛି ତାହା ଜଣାପଡ଼ିନାହିଁ। ତଥାପି କୁହାଯାଉଛି ୫-୭ ବିମାନ ମିଳିପାରେ।

ଏହି ବିମାନରେ ସ୍ବତନ୍ତ୍ର ଆନାଲଗ ସିଷ୍ଟମ ରହିଛି ଯାହା ଇଲେକ୍ଟ୍ରୋନିକ୍ସ ସିଷ୍ଟମ ଫେଲ୍‌ ହେବା ପରେ ବି କାମ କରିବ। ଏଥିରେ ସ୍ବତନ୍ତ୍ର ପ୍ରକାରର ଫୁଏଲିଂ ବ୍ୟବସ୍ଥା ରହିଛି। ଏହାଦ୍ବାରା ଆକାଶରେ ମଧ୍ୟ ବିମାନ ରିଫୁଏଲିଂ କରାଯାଇପାରିବ। ଏହି ବିମାନ ଉପରେ ସାଟେଲାଇଟ ଆଣ୍ଟିନା ଲଗାଯାଇଛି। ଯାହା ଜରୁରୀ ପରିସ୍ଥିତିରେ ଜାହାଜ ଯୁଦ୍ଧ ଜାହାଜ ଏବଂ ବୁଡ଼ା ଜାହାଜ ସହ ଯୋଗାଯୋଗ କରିପାରିବ।ପ୍ରକୃତରେ ଏହି ବିମାନରେ ଆଧୁନିକ ଡିଜିଟାଲ ଉପକରଣ ସ୍ଥାନରେ ଆନାଲଗ ସିଷ୍ଟମର ବ୍ୟବହାର କରାଯାଇଛି। ଫଳରେ ବିମାନ ପରମାଣୁ ବିସ୍ଫୋରଣରୁ ବାହାରୁଥିବା ବିଦ୍ୟୁତ ଚୁମ୍ବକୀୟ ତରଙ୍ଗର ଯୋଗାଯୋଗରେ ଆସିବା ପରେ ମଧ୍ୟ କାମ କରିଥାଏ। 

ବିମାନରେ କୌଣସି ଝରକା ମଧ୍ୟ ନଥାଏ। ଏଥିରେ ଏକ ସ୍ବତନ୍ତ୍ର ପ୍ରକାରର କବଚ ରହିଛି। ଯାହା ପରମାଣୁ ଯୁଦ୍ଧ ସମୟରେ ଯାତ୍ରୀଙ୍କ ଉପରେ ରେଡିଏସନ ବା ବିକିରଣର ପ୍ରଭାବ ହେବାକୁ ଦେଇନଥାଏ। ଏହି ବିମାନକୁ ସବୁବେଳେ ପ୍ରସ୍ତୁତ ରଖାଯାଏ। ସମୟ-ସମୟରେ ଏହାର ପରୀକ୍ଷଣ ମଧ୍ୟ କରାଯାଇଥାଏ।

ଆମେରିକା-ରୁଷ ପାଖରେ ରହିଛି ୪ଟି ଲେଖାଏଁ ଡୁମ୍ସଡେ 

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଆମେରିକା ବାୟୁସେନା ପାଖରେ ଏଭଳି ୪ଟି ବିମାନ ରହିଛି। ଯାହା ଯୁଦ୍ଧ ପାଇଁ ସବୁବେଳେ ପ୍ରସ୍ତୁତ ରଖାଯାଇଥାଏ। ସେହିଭଳି ରୁଷ ପାଖରେ ମଧ୍ୟ ୪ଟି ଡୁମ୍ସଡେ ବିମାନ ରହିଛି। ଏହା ୧୯୮୫ରୁ ସେବାରେ ଅଛନ୍ତି। ରୁଷ ଡୁମ୍ସଡେ ବିମାନ ପରମାଣୁ ଯୁଦ୍ଧପୋତ ସହ ଯୋଗାଯୋଗରେ ରହିଥାନ୍ତି। ଏତିକି ନୁହେଁ, ଏହା ଶତ୍ରୁଙ୍କ ଉପରେ ମିଶାଇଲ ଆକ୍ରମଣ ମଧ୍ୟ କରିପାରେ।

ଡୁମ୍ସଡେ ବିମାନ ଅର୍ଥାତ୍‌ SAOCକୁ ଦୁଇଟି କାରଣରୁ ସାମିଲ କରାଯାଉଛି। ପ୍ରଥମ, ପରମାଣୁ ଆକ୍ରମଣରୁ ସୁରକ୍ଷା। ଦ୍ବିତୀୟ କାରଣ ପୁରୁଣା E-4B ନାଇଟଓ୍ବାଚ ଏୟାରକ୍ରାଫ୍ଟର ସ୍ଥାନ ନେବା। ଏହି ବିମାନକୁ ୧୯୭୦ରେ ସାମିଲ କରାଯାଇଥିଲା। ଏବେ ଏହାକୁ ୨୦୩୦ ସୁଦ୍ଧା ଅବସର ଦିଆଯିବ। କାରଣ ଏହାର ରକ୍ଷଣାବେକ୍ଷଣରେ ସମ୍ଭବ ହେଉନାହିଁ। ଆଉ ଏଥିପାଇଁ ଆମେରିକା ବାୟୁସେନା ଏବେ ନୂଆ ଡୁମ୍ସଡେ ବିମାନକୁ ସାମିଲ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.