News7 Logo

ମହିଳା ଆଇପିଏସ୍ ଅଧିକାରୀଙ୍କୁ ଧକମ ଦେଇ ବିବାଦରେ ଅଜିତ୍ ପାୱାର, ଏକ୍ସରେ ଦେଲେ ସ୍ପଷ୍ଟୀକରଣ

NEWS7
ajit pawar

ନୂଆଦିଲ୍ଲୀ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ସହ ଜଡ଼ିତ ଏକ ଭିଡିଓ ଭାଇରାଲ୍ ହେବା ପରେ ବିବାଦ ବଢିବାରେ ଲାଗିଛି । ଏନସିପି ମୁଖ୍ୟ ଅଜିତ୍ ପାୱାରଙ୍କ ଏକ ଭିଡିଓ ସାମନାକୁ ଆସିଛି, ଯେଉଁଥିରେ ସେ ଜଣେ ମହିଳା ଆଇପିଏସ୍ ଅଧିକାରୀଙ୍କ ସହ କଥା ହେଉଛନ୍ତି । ଭିଡିଓରେ ସେ ଅଧିକାରୀଙ୍କୁ ନମ୍ୱର ମାଗି ଭିଡିଓ କଲରେ କଥା ହେବାକୁ କହୁଥିବା ଶୁଣିବାକୁ ମିଳୁଛି । ଆଇପିଏସ୍ ଅଧିକାରୀ ବେଆଇନ ମାଟି ଖନନ ବନ୍ଦ କରିବା ପାଇଁ ଯାଇଥିଲେ, କିନ୍ତୁ ଅଜିତ୍ ପାୱାର କାର୍ଯ୍ୟାନୁଷ୍ଠାନ ନନେବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ ।

ବିବାଦ ବଢିବା ପରେ ଅଜିତ୍ ପାୱାର ଏକ୍ସରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ ଲେଖିଛନ୍ତି, 'ସୋଲାପୁରରେ ପୋଲିସ ଅଧିକାରୀଙ୍କ ସହ ମୋର କଥାବର୍ତ୍ତାର କିଛି ଭିଡିଓ ମୋର ନଜରକୁ ଆସିଛି । ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆଇନ ପ୍ରକ୍ରିୟାରେ ହସ୍ତକ୍ଷେପ କରିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା, ବରଂ ତ୍ରୁଣମୂଳ ସ୍ତରରେ ଶାନ୍ତି ସୁନିଶ୍ଚିତ କରିବା ଓ ସ୍ଥିତି ଯେପରି ନଗିବିଡ଼ି ତାହା ଲକ୍ଷ୍ୟ ଥିଲା ।'

ଅଜିତ୍ ପାୱାର ଲେଖିଛନ୍ତି, 'ମୁଁ ପୋଲିସ ଫୋର୍ସ ଓ ଏହାର ଅଧିକାରୀ, ଯେଉଁଥିରେ ମହିଳା ଅଧିକାରୀ ମଧ୍ୟ ଅଛନ୍ତି, ସମସ୍ତଙ୍କୁ ସମ୍ମାନ କରୁଛି । ମୁଁ ଆଇନର ଶାସନକୁ ସବୁଠୁ ଉପରେ ରଖୁଛି । ବାଲି ଚାଲାଣ ଓ ଅବୈଧ ଗତିବିଧି ବିରୋଧରେ ଆଇନ ଅନୁସାରେ କଠୋରତା ସହ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଦୃଢତାର ସହ ପ୍ରତିବଦ୍ଧ ଅଟେ ।'

ଭାଇରାଲ ଭିଡିଓରେ, ଅଜିତ୍ ପାୱାର ମହିଳା ଆଇପିଏସ ଅଧିକାରୀ ଅଞ୍ଜନା କୃଷ୍ଣଙ୍କୁ ଫୋନରେ ପାଟି କରୁଥିବା ନଜର ଆସୁଛନ୍ତି । ଏହି ଫୋନ୍ କଲ୍ ଜଣେ ଏନସିପି କର୍ମୀଙ୍କ ଫୋନରୁ କରାଯାଇଥିଲା । ଆଇପିଏସ ଅଧିକାରୀ ପ୍ରଥମେ ପାୱାରଙ୍କ ସ୍ୱରକୁ ଚିହ୍ନି ପାରୁ ନାହାନ୍ତି, ଏହା ପରେ ଉପମୁଖ୍ୟମନ୍ତ୍ରୀ ଏକ ଭିଡିଓ କଲ୍ କରି ଆକ୍ସନ ବନ୍ଦ କରିବାକୁ କୁହନ୍ତି । ସେ ତାଙ୍କୁ ଚିହ୍ନିଛନ୍ତି କି ନାହିଁ ବୋଲି ଅଧିକାରୀଙ୍କୁ କଡ଼ା ସ୍ୱରରେ ପ୍ରଶ୍ନ କରୁଛନ୍ତି ।