ନୂଆଦିଲ୍ଲୀ, ୬/୧୧ : ଭାରତରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ‘ସାଇଲେଣ୍ଟ କିଲର’ ସାଜି ପ୍ରତି ମିନିଟରେ ୪ ଜଣଙ୍କ ମୁଣ୍ଡ ନେଉଛି। ଦିନକୁ ଦିନ ଏହି ସ୍ଥିତି ଉଦବେଗଜନକ ହେବାରେ ଲାଗିଛି । ଏଥିପାଇଁ ଦେଶକୁ ମାନବୀୟ ତଥା ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ୁଛି।

‘ଷ୍ଟେଟ୍ ଅଫ୍ ଦି ଗ୍ଲୋଗଲ୍ ଏୟାର ରିପୋର୍ଟ ୨୦୨୫’ରୁ ଏହି ଚିତ୍ର ସାମ୍ନାକୁ ଆସିଛି। ରିପୋର୍ଟ ଦର୍ଶାଇଛି ଯେ ଭାରତରେ ବାୟୁ ପ୍ରଦୂଷଣ ଯୋଗୁ ପ୍ରତି ମିନିଟରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ଘଟୁଛି। ଏହାର ଅର୍ଥ ଦିନକୁ ୫,୫୦୦ରୁ ଅଧିକ ଏବଂ ବର୍ଷକୁ ୨୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏବେ ଦିଲ୍ଲୀ ଏବଂ ଉତ୍ତର ଭାରତର ଅନେକ ଅଞ୍ଚଳ ଶୀତକାଳୀନ ପ୍ରଦୂଷଣ ଋତୁରେ ପ୍ରବେଶ କରୁଥିବାରୁ ଏହି ସମସ୍ୟା ଆହୁରି ଉତ୍କଟ ରୂପ ଧାରଣ କରିପାରେ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ନଭେମ୍ବର ୪ରେ ଜାତୀୟ ରାଜଧାନୀର ବାୟୁ ଗୁଣବତ୍ତା ସୂଚୀ (ଏକ୍ୟୁଆଇ) ୩୭୭ ପହଞ୍ଚିଥିଲା, ଯହା ଏହାକୁ ‘ଅତ୍ୟନ୍ତ ଖରାପ ଶ୍ରେଣୀରେ ରଖିଛି। ଗତ ୧୦ ମାସ ମଧ୍ୟରେ ଏହା ସବୁଠାରୁ ଅଧିକ।

ରିପୋର୍ଟ ସ୍ପଷ୍ଟ କରିଛି ଯେ କେବଳ ଶୀତଦିନ ଆସିଲେ ଯେ ପ୍ରଦୂଷଣ ଓ ମୃତ୍ୟୁ ବଢ଼ିବ, ତାହା ନୁହେଁ । ଏହା କିଛି ସପ୍ତାହର କଥା ନୁହେଁ, ବରଂ ବାୟୁ ପ୍ରଦୂଷଣ ଏକ ବର୍ଷବ୍ୟାପୀ ସ୍ବାସ୍ଥ୍ୟ ସଙ୍କଟ। ଏହାର ପରିଣାମ ଶ୍ଵାସକ୍ରିୟା ଏବଂ ହୃଦରୋଗଠାରୁ ଆରମ୍ଭ କରି ପରମାୟୁ ହ୍ରାସ ପର୍ଯ୍ୟନ୍ତ ବିସ୍ତୃତ।

ଆହୁରି ମଧ୍ୟ ପୂର୍ବରୁ ଶ୍ଵାସକ୍ରିୟା ଜନିତ ରୋଗରେ ପୀଡ଼ିତ ଲୋକଙ୍କ ମଧ୍ୟରେ ବି ଏହା ସୀମିତ ନୁହେଁ। ସୂକ୍ଷ୍ମ କଣିକା ପଦାର୍ଥ, ବିଶେଷକରି ପିଏମ୍-୨.୫ ଫୁସଫୁସର ଗଭୀରତାକୁ ପ୍ରବେଶ କରି ରକ୍ତପ୍ରବାହରେ ମିଶିପାରେ। ଦୀର୍ଘକାଳୀନ ଭାବେ ଏହା ଦ୍ବାରା ହୃଦରୋଗ, ଷ୍ଟ୍ରୋକ୍, ଫୁସ୍ଫୁସ୍ କର୍କଟ, କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍ ଏବଂ ଅନ୍ୟାନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଶିଶୁ, ବୃଦ୍ଧବୃଦ୍ଧା ଓ ପୂର୍ବରୁ ଅସୁସ୍ଥ ଥିବା ଲୋକମାନେ ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଥାନ୍ତି।

ଦିଲ୍ଲୀର ବାୟୁ ଗୁଣବତ୍ତା ହ୍ରାସ ଏବେ ଚିନ୍ତାଜନକ ପାଲଟିଛି। ଗତ ୪ ତାରିଖରେ ସହରର ହାରାହାରି ଏକ୍ୟୁଆଇ ୩୭୭କୁ ବୃଦ୍ଧି ପାଇ ‘ଅତ୍ୟନ୍ତ ଖରାପ’ ଶ୍ରେଣୀରେ ରହିଥିଲା। ସିପିସିବି ତଥ୍ୟକୁ ଆଧାର କରି ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜଧାନୀର ୫୯ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୨୨ଟିରେ ‘ଗମ୍ଭୀର’ ବାୟୁ ଗୁଣବତ୍ତା ରେକର୍ଡ କରାଯାଇଛି। ଏହାଛଡ଼ା ନୋଏଡ଼ା, ଗ୍ରେଟର ନୋଏଡ଼ା ଏବଂ ଗୁରୁଗ୍ରାମ ସମେତ ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ମଧ୍ୟ ଉଚ୍ଚ ପ୍ରଦୂଷଣ ସ୍ତର ରେକର୍ଡ କରାଯାଇଛି। ବଡ଼ କଥା ହେଉଛି ଏହି ସମସ୍ୟା କେବଳ ଜାତୀୟ ରାଜଧାନୀ ମଧ୍ୟରେ ସୀମିତ ନୁହେଁ।

Also Read :- ପୁଣି ବିପଦ : ୧୧ରେ ବଙ୍ଗୋପ ସାଗରରେ ଘୂର୍ଣ୍ଣିବଳୟ, ୧୫ ତାରିଖରେ ଅବପାତ !

‘ଆଇକ୍ୟୁଏୟାର’ ବିଶ୍ଵ ବାୟୁ ଗୁଣବତ୍ତା ରିପୋର୍ଟ ୨୦୨୫ ଅନୁଯାୟୀ, ଭାରତ ବିଶ୍ବର ଷଷ୍ଠ ସବୁଠାରୁ ପ୍ରଦୂଷିତ ଦେଶ ଥିଲା। ବିଶ୍ବର ସବୁଠାରୁ ପ୍ରଦୂଷିତ ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ ଷଷ୍ଠ ସ୍ଥାନରେ ଥିବା ବେଳେ ନୂଆଦିଲ୍ଲୀ ସବୁଠାରୁ ପ୍ରଦୂଷିତ ରାଜଧାନୀ ରହିଥିଲା। ବାୟୁ ପ୍ରଦୂଷଣର ପରିଣାମ ଅର୍ଥ ବ୍ୟବସ୍ଥାରେ ମଧ୍ଯ ଅନୁଭୂତ ହେଉଛି। ଲୋକମାନେ ଅସୁସ୍ଥ ହେବାର ଅର୍ଥ ବାରମ୍ବାର ହସ୍ପିଟାଲ ଯିବା, ଅଧିକ ଚିକିତ୍ସା ଖର୍ଚ୍ଚ, ଶ୍ରମ ଦିବସ ନଷ୍ଟ ଏବଂ ଉତ୍ପାଦନ ହ୍ରାସ। ଦୀର୍ଘକାଳୀନ ପ୍ରଦୂଷଣ ଯୋଗୁ ଜୀବନକାଳ ହ୍ରାସ ଘଟିପାରେ। ଶିଶୁମାନଙ୍କ ସ୍ବାସ୍ଥ୍ୟ ଓ ବିକାଶକୁ ପ୍ରଭାବିତ କରିପାରେ। ସେଣ୍ଟର ଫର୍ ରିସର୍ଚ୍ଚ ଅନ୍ ଏନର୍ଜି ଆଣ୍ଡ କ୍ଲିନ୍ ଏୟାର (ସିଆଇଏ) ର ବିଶ୍ଳେଷଣ ଅନୁଯାୟୀ, ବାୟୁ ପ୍ରଦୂଷଣ ଯୋଗୁ ନୂଆଦିଲ୍ଲୀକୁ ତାହାର ବାର୍ଷିକ ଜିଡିପିର ୫.୮ ପ୍ରତିଶତ କ୍ଷତି ସହିବାକୁ ପଡ଼ିଥିଲା ।