ନୂଆଦିଲ୍ଲୀ ୧୮।୧୦: ଘରର ସହାୟିକା ପ୍ରାୟତଃ ଚିକ୍‌ଚିକ୍‌ କରିଥାନ୍ତି । ଠିକ୍ ସମୟରେ ଆସନ୍ତିନି ଆଉ ଶୀଘ୍ର ଚାଲିଯାଆନ୍ତି । ସେମାନେ ଛୁଟି ନେଇଯାଆନ୍ତି । ଆଉ ସହାୟିକା ନ ଆସିବାରୁ ଲୋକଙ୍କୁ ସବୁ କାମ ନିଜେ କରିବାକୁ ପଡ଼େ । ସମସ୍ତେ ଚିନ୍ତା କରୁଥିବେ ଏପରି ଏକ ସହାୟିକା ମିଳନ୍ତା କି ଯିଏ ନା ଚିକଚିକ୍‌ କରନ୍ତା ନା ଛୁଟି ନିଅନ୍ତା । ଏମିତିକି କାମ କରି ମଧ୍ୟ ଥକନ୍ତାନି । ଏବେ ଏହି ଭାବନା ସତ ହେବାକୁ ଯାଉଛି ।

ଆଜ୍ଞା ହଁ ଏହା କୌଣସି ସ୍ୱପ୍ନ ନୁହେଁ, ବରଂ ବାସ୍ତବତା ଆଡ଼କୁ ଏକ ବଡ଼ ପଦକ୍ଷେପ। ସାଧାରଣତଃ ସମସ୍ତେ ରୋବଟ୍ ରେଷ୍ଟୁରାଣ୍ଟରେ କାମ କରୁଥିବାର ଦେଖିଥିବେ କିମ୍ବା ଶୁଣିଥିବେ । କିନ୍ତୁ ବିଶ୍ବରେ ଏମିତି ଏକ ରୋବଟ୍ ଅଛି ଯିଏ ଘରର ସବୁ କାମ କରୁଛି ଏବଂ ଥରକରେ ନିଜକୁ ନିଜେ ଚାର୍ଜ କରି ୫ ଘଣ୍ଟା ପର୍ଯ୍ୟନ୍ତ କାମ କରିପାରୁଛି ।

ବାସ୍ତବରେ ଏହା ଏକ ହ୍ୟୁମାନୋଇଡ୍‌ ରୋବଟ୍‌ । ଏହାକୁ କାଲିଫର୍ନିଆର ‘ଫିଗର ଏଆଇ’ ନାମକ ଏକ ଷ୍ଟାର୍ଟଅପ୍ କମ୍ପାନି ତିଆରି କରିଛି । ରୋବଟ୍‌ଟିର ନାଁ ହେଉଛି ‘ଫିଗର ୦୩’ । ଏହି ରୋବୋଟ୍‌ ମଣିଷ ପରି ଦେଖାଯାଏ ଏବଂ ଘରର ଦୈନନ୍ଦିନ କାମ କରିପାରିବ । ‘ଫିଗର ୦୩’କୁ ଘର ଭିତର ଏବଂ ବାହାରେ ବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି ।

‘ଫିଗର ୦୩’ ଗଛରେ ପାଣି ଦେବାଠାରୁ ଆରମ୍ଭ କରି ଘର ସଫା କରିବା, ଖାଦ୍ୟ ପରଷିବା, ବାସନ ଧୋଇବା ଏବଂ ପୋଷାକପତ୍ର ସଫା କରି ତାକୁ ଭାଙ୍ଗିଭୁଙ୍ଗି ସାଇତି ରଖିବା ଭଳି ବିଭିନ୍ନ କାର୍ଯ୍ୟ କରିପାରୁଛି । ‘ଫିଗର ୦୩’ ପଛରେ ଥିବା ମସ୍ତିଷ୍କ ହେଉଛି Helix ନାମକ ଏକ AI ସିଷ୍ଟମ୍ । ଯାହା Figure AI ଦ୍ୱାରା ବିକଶିତ ହୋଇଛି । ପୂର୍ବରୁ କମ୍ପାନୀ OpenAI ମଡେଲ୍ ବ୍ୟବହାର କରୁଥିଲା ।

କିନ୍ତୁ ଏବେ ଏହା ନିଜସ୍ୱ ସିଷ୍ଟମ୍ ଗ୍ରହଣ କରିଛି । Helixରେ ରୋବୋଟ୍ ମଣିଷଙ୍କୁ ଦେଖି ସିଖିଥାଏ ଏବଂ ବିନା ସ୍କ୍ରିପ୍ଟରେ ରିଅଲ ଟାଇମରେ କାମ କରେ । ଏହା କୌଣସି ସ୍ଥିର ପାର୍ଟନ ନୁହେଁ, ବରଂ ନିଜେ ଚିନ୍ତା କରେ ଏବଂ ନିଷ୍ପତ୍ତି ନିଏ । ୬୧ କେଜି ଓଜନ ଓ ୫ ଫୁଟ ୮ ଇଞ୍ଚ ଉଚ୍ଚର ଏହି ରୋବଟ୍‌ ଏକ ୱାୟାରଲେସ୍ ଷ୍ଟାଣ୍ଡରେ ଛିଡ଼ା ହୋଇ ନିଜକୁ ଚାର୍ଜ କରିପାରିବ ଏବଂ ଥରେ ଚାର୍ଜ ହେଲେ ତାହା ୫ ଘଣ୍ଟା ଯାଏ କାମ କରିପାରିବ ।

ଏଥିରେ ଲାଗିଥିବା ନରମ ଆଙ୍ଗୁଠି ଗୁଡ଼ିକ ବିଭିନ୍ନ ଆକୃତି ଓ ଆକାରର ବସ୍ତୁକୁ ଧରିବାରେ ସାହାଯ୍ୟ କରେ । ଏହାର ଆଙ୍ଗୁଠି ଟିପରେ ଲାଗିଥିବା ସେନ୍‌ସର ପେପରକ୍ଲିପ୍ ପରି । ମାତ୍ର ତିନି ଗ୍ରାମ ହେଲେ ବି ଓଜନ ଦାର୍ ଜିନିଷ ମଧ୍ୟ ଅନୁଭବ କରିପାରିବ । କମ୍ପାନି ଏପର୍ଯ୍ୟନ୍ତ ଏହାର ବଜାର ମୂଲ୍ୟ ଧାର୍ଯ୍ୟ କରି ନାହିଁ । ତେବେ ଆସନ୍ତା ବର୍ଷ ତାହାର ବିକ୍ରି ଆରମ୍ଭ ହେବ ବୋଲି କୁହାଯାଉଛି ।