News7 Logo

ଆଗ୍ରାରେ ବଡ଼ ଦୁର୍ଘଟଣା : ମନ୍ଦିରର ମଞ୍ଚରେ ଅଧିକ ଲୋକେ ଚଢିବାରୁ ଭାଙ୍ଗିଗଲା ରେଲିଂ , ଯମୁନାରେ ଖସି ପଡ଼ିଲେ

NEWS7
-

ନୂଆଦିଲ୍ଲୀ – ଉତ୍ତର ପ୍ରଦେଶରେ ବଡ଼ ଦୁର୍ଘଟଣା ଘଟିଛି। କମଲା ନଗରର କଲକେଶ୍ୱର ଅଞ୍ଚଳରେ ଯମୁନା ନଦୀ ନିକଟରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ସୋମବାର ସନ୍ଧ୍ୟାରେ ପ୍ରବଳ ଜନସମାଗମ ହୋଇଥିଲା। ମନ୍ଦିରର ମଞ୍ଚରେ ଭିଡ଼ ଜମି ଥିଲା। ଭିଡ଼ର ଓଜନ ବୃଦ୍ଧି ଯୋଗୁଁ ମଞ୍ଚର ଏକ ଅଂଶ ହଠାତ୍ ରେଲିଂ ସହ ଯମୁନା ନଦୀରେ ଖସି ପଡ଼ିଲା। ଯାହା ଫଳରେ ଅନେକ ଲୋକ ଭଗ୍ନାବଶେଷ ସହ ତଳେ ପଡ଼ି ଗଲେ। ସେଠାରେ ଗଣ୍ଡଗୋଳ ସୃଷ୍ଟି ହେଲା। ଅନେକ ଲୋକ ଭାସି ଯାଇଛନ୍ତି ବୋଲି ଗୁଜବ ବ୍ୟାପି ଗଲା। ଅନେକ ଥାନାର ଫୋର୍ସ ଓ ଜିଲ୍ଲାଧିକାରୀ ଘଟଣାସ୍ଥଳରେ ପହଞ୍ଚି ଗଲେ। ବିଳମ୍ୱିତ ରାତି ଯାଏ ସର୍ଚ୍ଚ ଅପରେସନ ଜାରି ଥିଲା। ହେଲେ ଏବେସୁଦ୍ଧା କାହା ସହ କୌଣସି ଅପ୍ରୀତିକର ଘଟଣା ନିଶ୍ଚିତ ହୋଇ ନାହିଁ।

ଘଟଣାଟି ସନ୍ଧ୍ୟା ପ୍ରାୟ ସାଢେ ୬ଟା ସମୟରେ ଘଟିଥିଲା। ମହାଲକ୍ଷ୍ମୀ ମନ୍ଦିର ଯମୁନା ନଦୀ ନିକଟରେ ଅବସ୍ଥିତ। ଆଠ ବର୍ଷ ପୂର୍ବେ ନବୀକରଣ ସମୟରେ ମନ୍ଦିରର ପଛପଟେ ନିର୍ମିତ ମଞ୍ଚକୁ ବଢାଯାଇ ଥିଲା। ତଳେ ଦୃଢ ସ୍ତମ୍ଭ ଲଗାଯାଇ ଥିଲା। ମଞ୍ଚ ଉପରେ ବେଞ୍ଚ ଲଗାଯାଇ ଥିଲା। ଲୋକମାନେ ସନ୍ଧ୍ୟା ସମୟରେ ଯମୁନାକୁ ଦେଖିବା ପାଇଁ ଏଠାକୁ ଆସୁ ଥିଲେ। ଆଜିକାଲି ଯମୁନା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଯମୁନାରେ ପାଣି ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକେ ଆସୁଛନ୍ତି।

ଯମୁନାର ନିକଟବର୍ତ୍ତୀ ଅଞ୍ଚଳରେ ବନ୍ୟା ବିପଦ ରହିଛି। ଏହା ସତ୍ତ୍ୱେ ମନ୍ଦିରରେ ସୁରକ୍ଷାର କୌଣସି ବନ୍ଦୋବସ୍ତ କରାଯାଇ ନଥିଲା।ସନ୍ଧ୍ୟା ସାଢେ ଛଅଟା ସମୟରେ ଆଳତୀ ହେଉଥିଲା। ପାଖାପାଖି ତିନି ଡର୍ଜନ ଲୋକ ମଞ୍ଚ ଉପରେ ଉପସ୍ଥିତ ଥିଲେ। ମନ୍ଦିରରେ ରହୁଥିବା ଗୁଡ୍ଡି ଦେବୀ କହିଛନ୍ତି ଯେ ଖୁବ୍‌ ଜୋରରେ ଶବ୍ଦ ହେଲା। ସମସ୍ତେ ବାହାର ଆଡ଼କୁ ଦୌଡ଼ିଲେ। ସେ ଦେଖିଲେ ଯେ, ପ୍ଲାଟଫର୍ମ (ମଞ୍ଚ)ରେ ଥିବା ଲୋକ ଦୌଡ଼ୁଛନ୍ତି। ପଚରା ଯିବାରୁ ଲୋକେ କହିଥିଲେ ଯେ, ପ୍ଲାଟଫର୍ମର ପଛ ଭାଗ ଯମୁନାରେ ଖସି ପଡ଼ିଛି। ଅନେକ ଲୋକ ପୋତି ହୋଇ ଯାଇଛନ୍ତି। ଭାସି ଯାଇଛନ୍ତି। ଏହା ଶୁଣିବା କ୍ଷଣି ମନ୍ଦିରରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ। ପୁଲିସକୁ ସୂଚନା ଦିଆଗଲା।

ଏହି ଖବର ବାଲକେଶ୍ୱର ଅଞ୍ଚଳରେ ନିଆଁ ପରି ବ୍ୟାପିଗଲା। ସମସ୍ତେ ଜାଣିବାକୁ ଚେଷ୍ଟା କରିବାକୁ ଲାଗିଲେ ଯେ, କୌଣସି ଜୀବନହାନି ହୋଇଛି କି ନାହିଁ । ରାତି ୧୦ଟା ଯାଏ ଜଣେ ବି ବ୍ୟକ୍ତି ପୁଲିସ ସାମ୍ନାରେ ଏହା କହିବାକୁ ଆସି ନାହିଁ ଯେ, ତାଙ୍କର ପରିଚିତ ନିଖୋଜ ଅଛନ୍ତି। ପୁଲିସ୍‌ ଏହା ବିଶ୍ୱାସ କରିଛି ଯେ, ଯିଏ ବି ତଳେ ଖସି ପଡ଼ିଥିଲେ ସେ ରକ୍ଷା ପାଇଁ ବାହାରକୁ ଆସିଯାଇଛନ୍ତି। ସମସ୍ତେ ସୁରକ୍ଷିତ ଅଛନ୍ତି। ହେଲେ ସର୍ଚ୍ଚ ଅପରେସନ ଜାରି ରହିଛି।