ଆଜି 'ମିଷ୍ଟର ପରଫେକ୍ସନିଷ୍ଟ' ଅମୀର ଖାନଙ୍କ ପାଇଁ ସ୍ପେଶାଲ ଦିନ । ସେ ତୃତୀୟ ଥର ପାଇଁ ବର ସାଜିବାକୁ ଯାଉଛନ୍ତି। ଅମୀର ତାଙ୍କ ପ୍ରେମିକା ଗୌରୀ ସ୍ପ୍ରେଟଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହେବେ। ଏହା ସହ ତାଙ୍କ ସମ୍ପର୍କର ନୂତନ ଅଧ୍ୟାୟ ଆରମ୍ଭ କରିବେ। ଏହି ବିବାହ ଘରେ ସରଳ ଢଙ୍ଗରେ ଅନୁଷ୍ଠିତ ହେବ। କିନ୍ତୁ ଏହି ସେଲିବ୍ରେସନ ପୂର୍ବରୁ, ଆସନ୍ତୁ ଜାଣିବା ଅମୀର ଖାନଙ୍କ ତୃତୀୟ କନିଆ ଗୌରୀ ସ୍ପ୍ରେଟ କିଏ ଏବଂ ସେ କ'ଣ କରନ୍ତି?

ଅମୀର ଖାନ ଜଣେ ବଲିଉଡ ସୁପରଷ୍ଟାର। ତାଙ୍କ ଭାବିପତ୍ନୀ ଗୌରୀ ସ୍ପ୍ରେଟ ଲାଇମଲାଇଟରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ଗୌରୀଙ୍କ ବିଷୟରେ ଅଧିକ ସୂଚନା ସାର୍ବଜନୀନ ଭାବରେ ଉପଲବ୍ଧ ନଥିଲେ ମଧ୍ୟ, ତାଙ୍କ ମାଆ ତାମିଲିଆନ୍ ଏବଂ ତାଙ୍କ ବାପା ଆଇରିଶ୍।

ଗୌରୀଙ୍କ ଜେଜେବାପା ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ। ସେ ମଧ୍ୟ ଉଚ୍ଚ ଶିକ୍ଷିତ, ଲଣ୍ଡନର ଆର୍ଟ ବିଶ୍ୱବିଦ୍ୟାଳୟରୁ ଫ୍ୟାଶନ୍, ଷ୍ଟାଇଲିଂ ଏବଂ ଫଟୋଗ୍ରାଫିରେ FDA ଡିଗ୍ରୀ ହାସଲ କରିଛନ୍ତି।

ଗୌରୀ ଜଣେ ବୃତ୍ତିଗତରେ ହେୟାର ଡ୍ରେସର। ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିବାକୁ ଗଲେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଛନ୍ତି। କିନ୍ତୁ ତାଙ୍କ ବିଷୟରେ କୌଣସି ଅଧିକ ବିବରଣୀ ନାହିଁ। ତାଙ୍କର ପ୍ରଥମ ବିବାହରୁ ଏକ ପୁଅ ଅଛି । ଯିଏ ତାଙ୍କ ସହିତ ରୁହନ୍ତି।

ବୃତ୍ତିଗତ ଭାବରେ, ଗୌରୀ ଅମୀର ଖାନଙ୍କ ପ୍ରଡକ୍ସନ ହାଉସ୍ରେ କାମ କରନ୍ତି । ଅମୀର ୨୦୨୫ ମସିହାରେ ତାଙ୍କର ୬୦ତମ ଜନ୍ମଦିନରେ ଗୌରୀଙ୍କ ସହିତ ତାଙ୍କର ସମ୍ପର୍କକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ। ସେହି ସମୟରେ, ସେ ସମ୍ପର୍କକୁ ନିଶ୍ଚିତ କରିଥିଲେ ଏବଂ ପ୍ରକାଶ କରିଥିଲେ ଯେ ସେମାନେ ୨୫ ବର୍ଷ ଧରି ପରସ୍ପରକୁ ଜାଣିଥିଲେ ଏବଂ ପ୍ରାୟ ଦେଢ଼ ବର୍ଷ ପୂର୍ବରୁ ପୁଣି ଥରେ ଯୋଗାଯୋଗକୁ ଆସିଥିଲେ ।

ବର୍ତ୍ତମାନ ଅମୀର ଗୌରୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ସେମାନେ ତାଙ୍କ ଘରେ ରେଜେଷ୍ଟ୍ରି ମ୍ୟାରେଜ କରିବେ। ଯେଉଁଥିରେ ପ୍ରାୟ ୧୫୦ ଜଣ ଅତିଥି ଉପସ୍ଥିତ ରହିବେ। ଏହି ଉତ୍ସବରେ ଉଭୟ ପରିବାର, ନିକଟତମ ବନ୍ଧୁ ଏବଂ ଚଳଚ୍ଚିତ୍ର ଶିଳ୍ପର କିଛି ବଛା ବଛା ବ୍ୟକ୍ତିତ୍ୱ ଯୋଗଦେବେ।

ଏହା ଅମୀର ଖାନଙ୍କ ତୃତୀୟ ବିବାହ। ଅଭିନେତାଙ୍କ ପ୍ରଥମ ବିବାହ ୧୯୮୬ ମସିହାରେ ରୀନା ଦତ୍ତାଙ୍କ ସହିତ ହୋଇଥିଲା, କିନ୍ତୁ କିଛି ବର୍ଷ ପରେ ଏହି ଦମ୍ପତିଙ୍କ ଛାଡପତ୍ର ହୋଇଥିଲା। ଏହି ବିବାହରୁ ତାଙ୍କର ଦୁଇଟି ସନ୍ତାନ ଅଛି: ଗୋଟିଏ ଝିଅ ଇରା ଖାନ ଏବଂ ଗୋଟିଏ ପୁଅ ଜୁନୈଦ ଖାନ।

ରୀନାଙ୍କଠାରୁ ଛାଡପତ୍ର ପରେ, ଅମୀର କିରଣ ରାଓଙ୍କୁ ବିବାହ କରିଥିଲେ। ହେଲେ ଏହି ବିବାହ ମଧ୍ୟ କିଛି ବର୍ଷ ପରେ ଶେଷ ହୋଇଯାଇଥିଲା। ଏହି ବିବାହରୁ ତାଙ୍କର ଏକ ପୁଅ ମଧ୍ୟ ଅଛି। ଉଲ୍ଲେଖନୀୟ ଯେ, ଛାଡପତ୍ର ପରେ ମଧ୍ୟ ଅମୀର ତାଙ୍କର ଉଭୟ ପୂର୍ବତନ ପତ୍ନୀଙ୍କ ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରଖିଛନ୍ତି।

ଏବେ, ଅମୀର ତାଙ୍କର ଗର୍ଲଫ୍ରେଣ୍ଡ ଗୌରୀ ସ୍ପ୍ରେଟଙ୍କୁ ବିବାହ କରିବାକୁ ଯାଉଛନ୍ତି। ସବୁଠାରୁ ବଡ କଥା ତାଙ୍କର ତିନି ସନ୍ତାନ ତାଙ୍କ ବିବାହରେ ଯୋଗଦେବେ।