ଭୁବନେଶ୍ୱର: ପିଲାଙ୍କ ଭବିଷ୍ୟତ ସହ ଖେଳ। ଟଙ୍କା ଦିଅ ବିଏଡ୍ ସାର୍ଟିଫିକେଟ୍ ନିଅ। ଆଶାୟୀଙ୍କ ଠାରୁ ନେଉଥିଲେ ଲକ୍ଷାଧିକ ଟଙ୍କା। ଥରେ ନେଇଗଲା ପରେ ଆଉ ଧରାଛୁଆଁ ଦେଉନଥିଲେ। ୩୦୦ରୁ ଅଧିକ ଆଶାୟୀ ଠକେଇର ଶିକାର। କେନ୍ଦୁଝର ସମେତ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାରେ ବଡ଼ଧରଣର ସ୍କାମର ପର୍ଦ୍ଦାଫାସ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ନିକଟରେ ଅଫିସ୍ ଖୋଲି ଠକେଇ ଜାଲ ବୁଣିଥିବା ଅଭିଯୁକ୍ତ ଚିତ୍ତରଞ୍ଜନ ବାରିକ ଏବଂ ରୀମା ଦାସ ଗିରଫ କରିଛି ପୋଲିସ୍। ଖୋଲିଛି କାରନାମା।

ଚିତ୍ତରଞ୍ଜନ ଏବଂ ରୀମା ଆନ୍ଧ୍ରପ୍ରଦେଶର ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ବିଏଡ୍ ସାର୍ଟିଫିକେଟ କରାଇ ଦେବାକୁ କହି ବୁର୍ଲାରେ ‘ୱାନ ୱାର୍ଲଡ ଏକାଡେମୀ’ ନାମକ ସଂସ୍ଥା ଖୋଲିଥିଲେ । ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଏବଂ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ବିଏଡ୍ ସାର୍ଟିଫିକେଟ ଆଶାରେ ଦାବି ମୁତାବକ ଅର୍ଥ ପୈଠ କରିଥିଲେ । ହେଲେ କେତେଜଣ ଆଶାୟୀ ସଂସ୍ଥାର କାରବାରକୁ ନେଇ ସନ୍ଦେହ ପ୍ରକଟ କରିଥିଲେ । କାରଣ ଦୁଇ ଅଭିଯୁକ୍ତ ବିଭିନ୍ନ ଆଳରେ ହଇରାଣ କରୁଥିଲେ । ବାରମ୍ବାର ଅର୍ଥ ହାତେଇ ନେଇ ସାର୍ଟିଫିକେଟ୍ ନ ଦେଇ ଠକି ଚାଲିଥିଲେ । ଏ ନେଇ ଗତ ୨୩ ତାରିଖ ଝାରସୁଗୁଡ଼ା ସାଇବର ଥାନାରେ ଓରିଏଣ୍ଟ ଥାନା ଅଞ୍ଚଳର ପ୍ରୀତିରାଣୀ ପଣ୍ଡା ଅଭିଯୋଗ କରିଥିଲେ। ବ୍ରଜରାଜନଗର ଥାନାଞ୍ଚଳର ଆକାଂକ୍ଷାମୟୀ ସୁନା ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲେ ।

ପ୍ରୀତିରାଣୀ ଅଭିଯୋଗରେ ଦର୍ଶାଇଥିଲେ, ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ଡିଷ୍ଟାନ୍ସ ବିଏଡରେ ନାମ ଲେଖାଇବାକୁ ବୁର୍ଲାର ଏଜେଣ୍ଟ ରୀମା ଦାସଙ୍କ ସହ ସେ ଯୋଗାଯୋଗ କରିଥିଲେ। ରୀମାଙ୍କ କହିବା ଅନୁଯାୟୀ, ପ୍ରବେଶ ଫି' ବାବଦକୁ ୫୦ ହଜାର ଟଙ୍କା ଫୋନ୍ ପେ’ରେ ୨୦୨୫ ଜୁଲାଇରେ ପୈଠ କରିଥିଲେ । ପରେ ଆଉ ୫ ହଜାର ଟଙ୍କା ଦେଇଥିଲେ । ୫୫ ହଜାର ଟଙ୍କାର ପ୍ରାପ୍ତି ସ୍ୱୀକାର ରସିଦ ତାଙ୍କୁ ପ୍ରଦାନ କରାଯାଇଥିଲା । ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ନାମ ଲେଖା ସମ୍ପୂର୍ଣ୍ଣ ହୋଇଥିବା ଏଜେଣ୍ଟ କହିଥିଲେ । ମାତ୍ର ପରୀକ୍ଷା ଦେଇଯିବା ସମୟରେ ଆଡମିସନ ହୋଇ ପାରି ନ ଥିବା ଅଭିଯୁକ୍ତ କହିଥିଲେ । ପ୍ରବେଶ ଫି’ ବାବଦ ଅର୍ଥ ଫେରାଇବାକୁ କହିବାରୁ ଭୂତାଇଥିଲେ ।

also read- ସୂର୍ଯ୍ୟମନ୍ଦିରରୁ ବାହାରିଲା ବିଷାକ୍ତ ସାପ, ପାର୍କରେ ବୁଲୁଥିବା ମହିଳାଙ୍କୁ ଦଂଶିଲା…

ବିଏଡ୍ ପ୍ରମାଣପତ୍ର ନାମରେ ବଡ଼ଧରଣର ଠକେଇ ହୋଇଥିବା ଜାଣିବା ପରେ ପ୍ରୀତିରାଣୀ ଝାରସୁଗୁଡ଼ା ସାଇବର ଥାନାରେ ଏତଲା ଦେଇଥିଲେ। ଏହାକୁ ଗମ୍ଭୀରତାର ସହ ନେଇଥିଲେ ଏସ୍ପି ଗୁଣ୍ଡଲା ରାଘବେନ୍ଦ୍ର ରେଡ୍ଡୀ। ଏସ୍ପିଙ୍କ ନିର୍ଦ୍ଦେଶରେ ଝାରସୁଗୁଡ଼ା ସାଇବର ଥାନା ଇନ୍ସପେକ୍ଟର ଦେବଦତ୍ତ ବସ୍ତିଆଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଇଥିଲା । ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଥାନାର ୩ ଜଣ, ଓରିଏଣ୍ଟ, ଲଖନପୁର, ବେଲପାହାଡ଼ ଏବଂ ବ୍ରଜରାଜନଗର ଥାନାଞ୍ଚଳର ଜଣେ ଲେଖାଏଁ ପ୍ରାର୍ଥୀ ଏଭଳି ଠକେଇର ଶିକାର ହୋଇଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିଲା । ପରେ ଏହି ତାଲିକା ଲମ୍ବିଥିଲା । ପଶ୍ଚିମ ଓଡ଼ିଶାର ୩୦୦ରୁ ଊଦ୍ଧ୍ୱର୍ ଆଶାୟୀ ସ୍କାମ୍ରେ ଫସିଛନ୍ତି । ରାଜ୍ୟର ଆଉ କେଉଁ କେଉଁ ଜିଲ୍ଲାକୁ ଏହାର ଚେର ଲମ୍ବିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି ।