LIVE TV

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଖୋରଙ୍କ ଉତ୍ପାତ : ଖୁଲମଖୁଲା ନିଶା ସେବନ କରି ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର

NEWS7
Puri News

ପୁରୀ ୧୦୧୦: ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଖୋରଙ୍କ ଉତ୍ପାତ । ଖୁଲମଖୁଲା ନିଶା ସେବନ କରି ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଦୁର୍ବ୍ୟବହାର । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଦୃଶ୍ୟ ପୁରୀ ଶ୍ରୀମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା । ଜଣେ ଅଣ ସେବାୟତ ନିଶା ସେବନ କରି ଟଳମଳ ଅବସ୍ଥାରେ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ନିଜର ଭାରସାମ୍ୟ ରଖି ନପାରି ତଳେ ମଧ୍ୟ ପଡ଼ି ଯାଉଥିଲେ । ମହାପ୍ରଭୁଙ୍କର ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କୁ ଅଶ୍ଳୀଳ ଭାଷାରେ ଦୁର୍ବ୍ୟବହାର କରୁଛନ୍ତି । ଯାହାକୁ ନେଇ ଶ୍ରଦ୍ଧାଳୁ ମାନେ ଭୟଭୀତ ହୋଇ ପଡିଛନ୍ତି । ଶ୍ରୀମନ୍ଦିର ଉତ୍ତର ଦ୍ବାର ନିକଟରେ ଏହି ଘଟଣା ଦେଖିବାକୁ ମିଳିଥିଲା । ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ଏନେଇ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏକ ଆଧ୍ୟାତ୍ମିକ ବାତାବରଣ ରଖିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ଏଭଳି କିଛି ନିଶାଖୋର ବ୍ୟକ୍ତି ନିଶା ସେବନ କରି ଅନେକ ସମୟରେ ଉତ୍ପାତ କରୁଛନ୍ତି । ଫଳରେ ଶ୍ରୀମନ୍ଦିରର ଆଧ୍ୟାତ୍ମିକ ପରିବେଶକୁ ଏଭଳି ବ୍ୟକ୍ତି ବିଶେଷ ମାନେ ନଷ୍ଟ କରୁଛନ୍ତି । ଏଣୁ ତୁରନ୍ତ ପୋଲିସ ପ୍ରଶାସନ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରି ଏଭଳି ନିଶାଖୋରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ଜଗନ୍ନାଥ ପ୍ରେମୀ ଦାବି କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଏଭଳି ଅଭାବନୀୟ ଦୃଶ୍ୟକୁ ନେଇ ଶ୍ରୀମନ୍ଦିର ଆସୁଥିବା ଭକ୍ତମାନେ ମଧ୍ୟ ଏକ ଖରାପ ଅନୁଭୂତି ନେଇ ଫେରୁଛନ୍ତି ।

ସେପଟେ​​​​​​​ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଜଣେ ନିଶାଖୋର ଅଣସେବାୟତଙ୍କ ଉତ୍ପାତ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ପୁରୀ ଏସ୍‌ପିଙ୍କ ସହିତ ଏକ ବୈଠକ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଯେଭଳି କୌଣସି ଅଘଟଣ କିମ୍ବା ନିଶାଖୋରଙ୍କ ଉତ୍ପାତ ନରୁହେ ସେନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଟିମ୍ ବୁଲୁଛନ୍ତି ।‌ ଏଥିସହ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ମଧ୍ୟ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ବିଭିନ୍ନ ସମୟରେ ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମଧ୍ୟ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ବୁଲିବା ସହ କଡ଼ା ନଜର ରଖିଛନ୍ତି । ଶ୍ରୀମନ୍ଦିର ଦର୍ଶନରେ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଜିଲ୍ଲା ପ୍ରଶାସନ ବିଶେଷ ଗୁରୁତ୍ବ ଦେଇ ଆସୁଛି । ଯେଉଁମାନେ ନିଶା ସେବନ କରି ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରୁଥିବେ ପ୍ରଶାସନ ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି।