News7 Logo

ଗୋଟିଏ କ୍ୟାମ୍ପସ୍‌ରେ ଚାଲିଛି ଦୁଇଟି ସ୍କୁଲ, ଛାତ୍ରଛାତ୍ରୀଙ୍କ ଅନୁପାତରେ ନାହାନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ

NEWS7
Bhadrak

ଭଦ୍ରକ ୨: ପିଲା ସଂଖ୍ୟା ୮୪୭ । ଶିକ୍ଷକ ଦରକାର ୨୨ ହେଲେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ । ଗ୍ରାମବାସୀ ଓ ଅଭିଭାବକ ସ୍କୁଲରେ ତାଲା ପକାଇବା ପରେ ମିଳିଛି ପ୍ରତିଶ୍ରୁତି କିନ୍ତୁ ଗୋଟିଏ ଶିକ୍ଷକ ମଧ୍ୟ ସ୍କୁଲରେ ଯୋଗଦେଇ ନାହାନ୍ତି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ଅଧିନ କାଁପଡ଼ା ପଞ୍ଚାୟତ ବାସୁଳି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ଅଚଳାବସ୍ଥା ।

ସୂଚନାଯୋଗ୍ୟ ଯେ, ଗୋଟିଏ କ୍ୟାମ୍ପସରେ ଚାଲିଛି ଦୁଇ ଗୋଟି ସ୍କୁଲ । ମୋଟ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହେଉଛି ୮୪୭ । ସ୍କୁଲରେ ୨୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବଶ୍ୟକ । କିନ୍ତୁ ମାତ୍ର ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିବା ବେଳେ ପୁଣି ଜଣେ ଶିକ୍ଷୟିତ୍ରୀଙ୍କୁ ବଦଳି କରାଯାଇଛି । ବଦଳି ନିର୍ଦ୍ଦେଶ ପରେ ସ୍ଥାନୀୟ ଲୋକଙ୍କ ସହ ଅଭିଭାବକ ମାନେ ସ୍କୁଲ ଗେଟ୍‌ରେ ତାଲା ପକାଇଥିଲେ । ତେବେ ପୁନଃ ଜଣେ ଶିକ୍ଷୟିତ୍ରୀ ଓ ପରବର୍ତ୍ତୀ ସମୟରେ ଜଣଙ୍କୁ ନିଯୁକ୍ତି ନେଇ ପ୍ରତିଶ୍ରୁତି ମିଳିଥିବା କହିନ୍ତି ଅଭିଭାବକ । କିନ୍ତୁ ଜଣେ ମଧ୍ୟ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ ବିଦ୍ୟାଳୟରେ ଯୋଗଦେଇ ନଥିବା ସ୍ଥାନୀୟ ବାସିନ୍ଦା କହିନ୍ତି ।

ଏତିକିରେ ସରିନାହିଁ ସମସ୍ୟା । ଏହି ସ୍କୁଲରେ ବର୍ଷ ହେବ ଜଣେ ସ୍ଥାୟୀ ପ୍ରଧାନଶିକ୍ଷକ ମଧ୍ୟ ନାହାନ୍ତି । ପିଅନ, ସଂସ୍କୃତ ଶିକ୍ଷକ ଓ ଇଂରାଜୀ ଶିକ୍ଷକ ମଧ୍ୟ ନାହାନ୍ତି । ତେବେ ସ୍କୁଲ ଗେଟ୍‌ରେ ତାଲା ପକାଇବା ପରେ ବ୍ଲକ ଶିକ୍ଷାଧିକାରୀ ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି ଦେଇଛନ୍ତି । କିନ୍ତୁ ସ୍କୁଲ କମିଟି ସଭାପତି କହିଛନ୍ତି ଯେ, ସ୍କୁଲରେ ଶିକ୍ଷକ ଅଭାବକୁ ନେଇ ସ୍ଥାନୀୟ ବାସୁଳୀ କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଜଣେ ଅସ୍ଥାୟୀ ଶିକ୍ଷକଙ୍କୁ ପାଠ ପଢ଼ାଇବା ପାଇଁ ବ୍ୟବସ୍ଥା କରିନ୍ତି । ତେବେ ଆନ୍ଦୋଳନକୁ କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି ଯଦି ଶିକ୍ଷକ ନିଯୁକ୍ତ ନ ହୁଅନ୍ତି ତେବେ ପୁଣି ସ୍କୁଲକୁ ବନ୍ଦ କରାଯିବ । ତେବେ ତିହିଡି ବ୍ଲକ୍ ଶିକ୍ଷାଧିକାରୀ ଛୁଟିରେ ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।