ସମ୍ବଲପୁର: ଝାଡ଼ୁଦାର ଚାକିରି ପାଇଁ ମିଛ ନିଯୁକ୍ତିପତ୍ରରେ ମିଛ ଚାକିରି ମାମଲା। ଠକଙ୍କ ପାଇଁ କାମ କରିଥିବା ସ୍ବର୍ଣ୍ଣପ୍ରଭାଙ୍କ ମୃତ୍ୟୁ। ମହିଳା ଜଣକ ଶତାଧିକ ଲୋକଙ୍କ ଠାରୁ ଟଙ୍କା ଆଣି ଅଭିଯୁକ୍ତଙ୍କ ଦେଇଥିଲେ। ହେଲେ ଘଟଣା ଜଣାପଡ଼ିବାରେ ସ୍ବର୍ଣ୍ଣପ୍ରଭା ମାନସିକ ଚାପରେ ରହିଥିଲେ। ଆଉ ଶେଷରେ ବିଷ ପିଇଦେଇଥିଲେ। ହେସୋମବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ସୂଚନାଥାଉକି, ଘଟଣାରେ ଗିରଫ କ୍ଷେତରାଜପୁର ବଡ଼ବଜାର ଅଞ୍ଚଳର ସମ୍ରାଟ ରାୟ ଓରଫ୍‌ ରାହୁଲ୍‌ ଏବଂ ବୁର୍ଲା ସାତୁପାଲିର ପଦ୍ମାବତୀ ତାଣ୍ଡି ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଜିଲ୍ଲାର ପ୍ରାୟ ୨୦୦୦ ହଜାର ଚାକିରି ଆଶାୟୀଙ୍କଠାରୁ ୨ କୋଟି ଟଙ୍କା ଚଳୁ କରିଥିଲେ । ଏଥିପାଇଁ ସେମାନେ ଅନେକ ଏଜେଣ୍ଟଙ୍କୁ କାମ ରଖିଥିଲେ। ବଡ଼ କଥା ଏହି ଏଜେଣ୍ଟମାନେ ମଧ୍ୟ ମଧ୍ୟ ମିଛ ଚାକିରିର ଟେର୍‌ ପାଉ ନ ଥିଲେ ।

ତେବେ ଘଟଣା ଜଣାପଡ଼ିବା ପରେ ଏହି ବଣ୍ଟି- ବବଲି ଯୋଡ଼ିକୁ ଗିରଫ କରିଛି ସମ୍ବଲପୁର ପୁଲିସ୍‌ । ସେମାନଙ୍କ ଠାରୁ ୬୨ ଲକ୍ଷ ଟଙ୍କା, ୨ଟି ମୋବାଇଲ୍‌, ୨ଟି ଚାରି ଚକିଆ ଗାଡ଼ି, ମାଳମାଳ ଆଧାରକାର୍ଡ, ବ୍ୟାଙ୍କ ଖାତା ଏବଂ ଫଟୋ ଜବତ କରାଯାଇଛି। ଏମାନେ ନିଯୁକ୍ତି ମେଳା ଆୟୋଜନ କରୁଥିଲେ । ଏଥିରେ ଶହ ଶହ ଲୋକ ସାମିଲ ହେଉଥିଲେ । ପରେ ସେହି ଅଞ୍ଚଳରେ ସଫେଇ କାମରେ ନିୟୋଜିତ କରୁଥିଲେ । ହେଲେ ସମସ୍ତଙ୍କୁ ବେତନ ଦେଉ ନ ଥିଲେ । ୨୦୨୪ ଅକ୍ଟୋବରରୁ ଆର୍‌ମ୍ୟାକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନି ଖୋଲିଥିଲେ । ଏହି କମ୍ପାନିରେ ଚାକିରି ଦେବାକୁ ନେଇ କେତେଜଣ ଲୋକଙ୍କୁ ଏଜେଣ୍ଟ କରି ଆଶାୟୀଙ୍କଠାରୁ ଟଙ୍କା ଅସୁଲ କରୁଥିଲେ ।