ନୂଆଦିଲ୍ଲୀ: ହ୍ୱାଟ୍ସଆପ୍‌ର ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖାଯାଉଥିବା ଦେଶୀ ଆପ୍‌ ଆରାଟ୍ଟାଇକୁ ଭାରତରେ ବହୁତ ସଫଳତା ମିଳିଛି। ଗତ ଦୁଇ ମାସ ହେଲା ଲୋକେ ଏହି ଆପ୍‌କୁ ବହୁ ସଂଖ୍ୟାରେ ଡାଉନଲୋଡ କରିଛନ୍ତି। ତେବେ ମେସେଜିଂ ଆପ୍‌ଗୁଡ଼ିକ କେବଳ ଗୋଟିଏ ପ୍ଲାଟ୍‌ଫର୍ମରେ ମେସେଜ୍ ସୁବିଧା ନ କରି ଅନ୍ୟ ଆପ୍‌କୁ ବି ମେସେଜ୍ କରିବା ଦରକାର ବୋଲି ଆରାଟ୍ଟାଇ ସଂସ୍ଥାପକ ଶ୍ରୀଧର ଭେମ୍ବୁ ପ୍ରସ୍ତାବ ଦେଇଥିଲେ। ଭେମ୍ବୁଙ୍କ ପ୍ରସ୍ତାବ ଉପରେ ଏବେ ହ୍ୱାଟ୍ସଆପ୍ କାମ କରିବା ଆରମ୍ଭ କରିଦେଇଛି।
WaBetaInfoର ରିପୋର୍ଟ ଅନୁଯାୟୀ,ହ୍ୱାଟ୍ସଆପ୍ ଏକ ଏପରି ଫିଚର ପରୀକ୍ଷଣ କରୁଛି ଯାହା ବ୍ୟବହାରକାରୀଙ୍କୁ ଅନ୍ୟ ମେସେଜିଂ ପ୍ଲାଟଫର୍ମରେ ଲୋକମାନଙ୍କୁ ମେସେଜ୍ ପଠାଇବାକୁ ଅନୁମତି ଦେବ। ବର୍ତ୍ତମାନ ୟୁରୋପର ବିଟା ଭର୍ସନରେ ପରୀକ୍ଷଣ ଜାରି ରହିଛି। ଏହା ସଫଳ ହେଲେ ଆପଣ ହ୍ୱାଟ୍ସଆପ୍‌ରୁ ଆରାଟ୍ଟାଇ ଆପ୍‌ରେ ମେସେଜ୍ କରିପାରିବେ। ଆପଣ ଆରାଟ୍ଟାଇ ଆପ୍ ଇନଷ୍ଟଲ ନ କରି ବି ଏହାର ୟୁଜରଙ୍କ ସହ ହ୍ୱାଟ୍ସଆପ୍‌ରୁ ଚାଟ୍ କରିପାରିବେ।

ଚଳିତ ବର୍ଷ ସେପ୍ଟେମ୍ବରରେ ଜୋହୋ ପ୍ରତିଷ୍ଠାତା ଶ୍ରୀଧର ଭେମ୍ବୁ ଆପ୍ ମଧ୍ୟରେ ମେସେଜିଂ ପ୍ରୋଟୋକଲର ଷ୍ଟାଣ୍ଡାର୍ଡଡାଇଜେସନର ପ୍ରସ୍ତାବ ଦେଇଥଲେ। ଠିକ ଯେମିତି ଆଜି ୟୁପିଆଇ ମାଧ୍ୟମରେ ଅନ୍ୟ ଆପ୍‌ରେ ପେମେଣ୍ଟ କରି ହେଉଛି ସେହିପରି। ଭେମ୍ବୁ ଲେଖିଥିଲେ "ଏହି ସିଷ୍ଟମଗୁଡ଼ିକ ୟୁପିଆଇ ଏବଂ ଇମେଲ୍ ପରି ଆନ୍ତଃକ୍ରିୟାଶୀଳ(ଇଣ୍ଟରଅପରେବଲ) ହେବା ଆବଶ୍ୟକ। ଆମେ କେବେ ଏକ ଏକଚାଟିଆ ଅଧିକାର(ମନୋପୋଲି) ରଖିବାକୁ ଚାହୁଁନାହୁଁ।"

ଯଜିଓ ଭେମ୍ବୁଙ୍କର ଏହି ପ୍ରସ୍ତାବକୁ ହ୍ୱାଟ୍ସଆପ୍‌ ଖାରଜ କରିଦେଇଥିଲା। ହେଲେ ବର୍ତ୍ତମାନ ୟୁରୋପର ବର୍ତ୍ତମାନର ନିୟମ ଯୋଗୁ କମ୍ପାନୀ ଚୁପଚାପ ଭେମ୍ବୁଙ୍କ ପ୍ରସ୍ତାବ ଉପରେ କାମ ଜାରି ରଖିଛି ବୋଲି ମିଡିଆରେ ଖବର ପ୍ରକାଶ ପାଇଛି।

ୟୁରୋପିୟନ ୟୁନିୟନ ଡିଜିଟାଲ୍ ବଜାର ଆଇନ ବଡ଼ ଟେକ୍ କମ୍ପାନୀଗୁଡ଼ିକର ଏକାଧିକାରକୁ ରୋକିବା ପାଇଁ ତିଆରି ହୋଇଛି। ତେଣୁ WhatsApp ଭଳି ବଡ଼ ମେସେଜିଂ ପ୍ଲାଟଫର୍ମଗୁଡ଼ିକୁ ଅନ୍ୟ ମେସେଜିଂ ଆପ୍ ପାଇଁ ଖୋଲା ଯୋଗାଯୋଗ ଚ୍ୟାନେଲ ରଖିବାକୁ ବାଧ୍ୟତାମୂଳକ କରାଯାଇଛି।
ବର୍ତ୍ତମାନ, ଏହି ଫିଚର୍ସ କେବଳ ଗୋଟିଏ ଥାର୍ଡ ପାର୍ଟି ଆପ୍‌ BirdyChatରେ ଚାଲୁଛି। ରିପୋର୍ଟ ଅନୁଯାୟୀ, ଆପ୍ ଡେଭଲପରମାନଙ୍କୁ ଏଥିରେ ସାମିଲ ହେବା ପାଇଁ ହ୍ୱାଟ୍ସଆପ୍‌କୁ ଏକ ଅନୁରୋଧ ଦାଖଲ କରିବାକୁ ପଡିବ। ବ୍ୟବହାରକାରୀଙ୍କ ଗୋପନୀୟତା ସୁନିଶ୍ଚିତ କରିବା ପାଇଁ ଆପ୍ ଗୁଡିକ ହ୍ୱାଟ୍ସଆପ୍‌ର ଏନକ୍ରିପ୍ସନ ଆବଶ୍ୟକତାକୁ ମଧ୍ୟ ପୂରଣ କରିବାକୁ ପଡିବ। ହ୍ୱାଟସଆପ ପରି, ଆରଟାଇରେ ଏପର୍ଯ୍ୟନ୍ତ ଚାଟ୍ ପାଇଁ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ ସପୋର୍ଟ ନାହିଁ। ତେବେ ଏହା ଖୁବ୍‌ଶୀଘ୍ର ହୋଇଯିବ ବୋଲି କମ୍ପାନୀ କହିଛି।

ତେବେ ବର୍ତ୍ତମାନ ୟୋରୋପରେ କଡ଼ା ନିୟମ ଯୋଗୁ ଏବି ସୁବିଧା କେବଳ ୟୁରୋପରେ ହିଁ ରହିଛି। ଅନ୍ୟ ଦେଶରେ ଏହା ଲାଗୁ ହେବ କି ନା ସେ ନେଇ ହ୍ୱାଟ୍ସଆପ୍ କୌଣସି ମନ୍ତବ୍ୟ ଦେଇ ନାହିଁ। ଏହି ସୁବିଧା ଭାରତରେ ଆସିବା ଆଶା କ୍ଷୀଣ।

.