ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସଂଗୀତ ନିର୍ଦ୍ଦେଶକ ଓ ଚଳଚ୍ଚିତ୍ର ନିର୍ମାତା ପଲାଶ ମୁଚ୍ଚଲ ଏବଂ ଭାରତୀୟ କ୍ରିକେଟ୍ ତାରକା ସ୍ମୃତି ମନ୍ଧାନା। ଉଭୟଙ୍କ ସମ୍ପର୍କ ବିଷୟରେ ଆନୁଷ୍ଠାନିକ ଭାବରେ ଘୋଷଣା କରିବା ସହ ଖୁବ୍ ଶୀଘ୍ର ଉଭୟ ବିବାହ କରିବାକୁ ଯାଉଥିବା କହିଛନ୍ତି ପଲାଶ।

ICC ମହିଳା ଓ୍ବାନଡେ ବିଶ୍ୱକପ୍ ୨୦୨୫ରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ମୁକାବିଲା ପୂର୍ବରୁ, ଶୁକ୍ରବାର ଇନ୍ଦୋରର ଷ୍ଟେଟ୍ ପ୍ରେସ୍ କ୍ଲବରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ପଲାଶ ଏହି ସୂଚନା ଦେଇଛନ୍ତି।

ଇନ୍ଦୋରର ବାସିନ୍ଦା ମୁଚ୍ଚଲଙ୍କୁ ଭାରତୀୟ ଉପ-ଅଧିନାୟକଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ପଚରାଯିବାରୁ ସେ ହସି ହସି ଉତ୍ତର ଦେଇଥିଲେ ଏବଂ କହିଥିଲେ, "ସେ ଖୁବ୍ ଶୀଘ୍ର ଇନ୍ଦୋରର ବୋହୂ ହେବେ... ମୁଁ କେବଳ ଏତିକି କହିବାକୁ ଚାହୁଁଛି।"

ସୂଚନାଯୋଗ୍ୟ, ସ୍ମୃତି ଏବଂ ପଲାଶଙ୍କ ମଧ୍ୟରେ ସମ୍ପର୍କକୁ ନେଇ ବେଶ୍ ଆଲୋଚନା ଚାଲିଥିଲା। ଉଭୟଙ୍କ ଫ୍ୟାନ୍‌ମାନେ ସେମାନଙ୍କ ଫଟୋ ଏବଂ ସୋସିଆଲ ମିଡିଆରେ ଉଭୟଙ୍କୁ ଏକାଠି ଦେଖିଥାନ୍ତି। ତଥାପି, ଏପର୍ଯ୍ୟନ୍ତ ଉଭୟ ସାର୍ବଜନୀନ ଭାବରେ ସେମାନଙ୍କ ସମ୍ପର୍କକୁ ସ୍ୱୀକାର କରିନଥିଲେ।

ଟିମ୍ ଇଣ୍ଡିଆ ପାଇଁ ପଲାଶଙ୍କ ଶୁଭେଚ୍ଛା

ପଲାଶ ଭାରତୀୟ ମହିଳା କ୍ରିକେଟ ଦଳକୁ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ‘‘ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଏବଂ ସ୍ମୃତି (ମନ୍ଧନା)ଙ୍କ ପ୍ରତି ମୋର ଶୁଭେଚ୍ଛା। ଆମେ ସବୁବେଳେ ଚାହୁଁଛୁ ଯେ ଭାରତୀୟ କ୍ରିକେଟ ଦଳ ପ୍ରତ୍ୟେକ ମ୍ୟାଚ୍ ଜିତି ଦେଶ ପାଇଁ ଗୌରବ ଆଣୁ।’’

ପଲାଶ ମୁଚ୍ଚଲ ନିଜ ଭଉଣୀ ପଲକ ମୁଚ୍ଚଲଙ୍କ ସହ ଗୀତ ରଚନା ପାଇଁ ବେଶ ପରିଚିତ। ‘ଡିସକିଆଁ’ ଏବଂ ‘ଭୂତନାଥ ରିଟର୍ଣ୍ଣସ୍’ ଭଳି ଅନେକ ବଲିଉଡ୍ ପ୍ରୋଜେକ୍ଟରେ ସେ କାମ କରିଛନ୍ତି। ବର୍ତ୍ତମାନ ସେ ଚଳଚ୍ଚିତ୍ର ‘‘ରାଜୁ ବାଜେୱାଲା’’ର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ଅବିକା ଗୋର ଏବଂ ଚନ୍ଦନ ରୟ ମୁଖ୍ୟ ଭୂମିକାରେ ଅଛନ୍ତି।