News7 Logo

ଶିକ୍ଷକ ଅଭାବକୁ ନେଇ ସ୍କୁଲ ଗେଟ୍‌ରେ ପଡିଲା ତାଲା, ଧାରଣାରେ ବସିଲେ ପିଲା

NEWS7
Keonjhar

ତେଲକୋଇ ୧୬୯: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ଚନ୍ଦ୍ରଶେଖରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସ୍କୁଲ ଗେଟ୍‌ରେ ତାଲା ପଡିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମିଶି ସ୍କୁଲ ଗେଟ୍ରେ ତାଲା ପକାଇ ଧାରଣାରେ ବସିଛନ୍ତି ।

ସୂଚନାଯୋଗ୍ୟ ଯେ, ସ୍କୁଲରେ ୮୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ଶିକ୍ଷକ ସଂଖ୍ୟା ୩ ରହିଛି । ଶିଶୁ ବାଟିକାରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯ଟି କ୍ଲାସ୍‌ରେ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ତିନି ଜଣ ଶିକ୍ଷକ ପାଠ ପଢ଼ାଇବା ସମ୍ଭବ ହେଉନାହିଁ । ଫଳରେ ଛାତ୍ରଛାତ୍ରୀ ସ୍କୁଲକୁ ବସି ଘରକୁ ଫେରୁଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସେହି ସ୍କୁଲରେ ପୂର୍ବରୁ ୫ ଜଣ ଶିକ୍ଷକ ପାଠ ପଢ଼ାଉଥିବା ବେଳେ ଜଣେ ଶିକ୍ଷକ ଅବସର ନେଇଥିଲେ । ତାଙ୍କ ପରେ ଆଉ ଜଣେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ବଦଳି କରିଥିଲେ । ଫଳରେ ସ୍କୁଲରେ ପାଠପଢ଼ାରେ ଅସୁବିଧା ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଗ୍ରାମବାସୀ ଓ ସ୍କୁଲ କମିଟ ତେଲକୋଇ ବ୍ଲକ୍‌ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ପରେ କୌଣସି ସମାଧାନ ନହେବାରୁ ସ୍କୁଲ ଗେଟ୍‌ରେ ତାଲା ପକାଇ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି ।