LIVE TV

ନୂଆ ଏଆଇ କମ୍ପାନି ଗଠନ କଲେ ରିଲାଏନ୍ସ- ଫେସବୁକ୍, ହେବ କୋଟି କୋଟି ଟଙ୍କାର ନିବେଶ

NEWS7
Reliance-Facebook to formed new AI company REIL

ନୂଆଦିଲ୍ଲୀ: ଦେଶରେ କୃତ୍ରିମ ବୁଦ୍ଧିମତ୍ତା ବା AI କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛି ମୁକେଶ ଅମ୍ବାନୀଙ୍କ ନେତୃତ୍ବାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) । କମ୍ପାନି ଫେସବୁକ୍ ସହ ଏକ ଯୌଥ ଉଦ୍ୟୋଗର ଘୋଷଣା କରିଛି। ଯାହାର ନାଁ ରହିଛି ରିଲାଏନ୍ସ ଏଣ୍ଟରପ୍ରାଇଜ୍ ଇଣ୍ଟେଲିଜେନ୍ସ ଲିମିଟେଡ୍ (REIL) । ଏହି ଉଦ୍ୟୋଗ AI ସେବାଗୁଡ଼ିକର ବିକାଶ, ଏହାର ମାର୍କେଟିଂ ଏବଂ ଏହାର ବିକ୍ରି ଉପରେ କାମ କରିବେ। ନୂଆ ଉଦ୍ୟୋଗରେ ରିଲାଏନ୍ସର ୭୦ ପ୍ରତିଶତ ଏବଂ ଫେସବୁକ୍ ୩୦ ପ୍ରତିଶତ ଅଂଶଧନ ରହିବ। ଶନିବାର ଷ୍ଟକ୍ ଏକ୍ସଚେଞ୍ଜ ଫାଇଲିଂରେ RIL ଏନେଇ ସୂଚନା ଦେଇଛି।

ଯୌଥ ଉଦ୍ୟୋଗର ଚୁକ୍ତି ଅନୁସାରେ, ପ୍ରାଥମିକ ଭାବରେ ରିଲାଏନ୍ସ ଇଣ୍ଟେଲିଜେନ୍ସ ଏବଂ ଫେସବୁକ୍ ମିଳିତ ଭାବରେ ୮୫୫ କୋଟି ଟଙ୍କା ବା ପ୍ରାୟ ୧.୮ ବିଲିୟନ ଡଲାର ପୁଞ୍ଜି ନିବେଶ କରିବେ। କମ୍ପାନୀ ସ୍ପଷ୍ଟ କରିଛି ଯେ, REIL ଗଠନ ପାଇଁ କୌଣସି ସରକାରୀ କିମ୍ବା ନିୟାମକ ଅନୁମୋଦନ ଆବଶ୍ୟକ ପଡ଼ିନଥିଲା। ଯାହା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି।

ଏଣ୍ଟରପ୍ରାଇଜ୍ AI ଉପରେ ଧ୍ୟାନ

ପ୍ରକୃତରେ REIL ବିଶେଷ କରି ବଡ଼ ବ୍ୟବସାୟ ପାଇଁ କଷ୍ଟମାଇଜ୍ଡ AI ସେବା ବିକାଶ ଉପରେ ଧ୍ୟାନ ଦେବ। ଯେଉଁଥିରେ ଡାଟା ଆନାଲିଟିକ୍ସ, ଅଟୋମେସନ, ପ୍ରୋଡକ୍ଟିଭ ମଡେଲିଂ ଏବଂ ସ୍ମାର୍ଟ ନିଷ୍ପତ୍ତି ସମର୍ଥନ ସିଷ୍ଟମ ରହିବ। ବିଶେଷଜ୍ଞଙ୍କ ଅନୁସାରେ, ଏହି ସହଭାଗିତା ଭାରତୀୟ ଶିଳ୍ପଗୁଡ଼ିକୁ ବିଶ୍ୱସ୍ତରୀୟ AI ପ୍ରଯୁକ୍ତିବିଦ୍ୟା ପ୍ରଦାନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।

ରିଲାଏନ୍ସର ଡିଜିଟାଲ ବିସ୍ତାର

ଏହି ପଦକ୍ଷେପ ରିଲାଏନ୍ସର, ଡିଜିଟାଲ୍ ଏବଂ ପ୍ରଯୁକ୍ତିବିଦ୍ୟା ସମ୍ପ୍ରସାରଣ ରଣନୀତିର ଏକ ଅଂଶ। ଜିଓ ମାଧ୍ୟମରେ ପ୍ରଥମେ ଟେଲିକମ୍ କ୍ଷେତ୍ରରେ ବିପ୍ଳବ ଆଣିଥିବା ଏହି କମ୍ପାନି ଏବେ ଏଆଇ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂରେ ନେତୃତ୍ୱ ନେବାକୁ ଲକ୍ଷ୍ୟ ରଖିଛି। ମେଟା ସହିତ ଏହି ସହଭାଗିତା ରିଲାଏନ୍ସକୁ ବିଶ୍ୱ ଏଆଇ ଇକୋସିଷ୍ଟମରେ ଏକ ଦୃଢ଼ ସ୍ଥିତି ଦେବ। ୨୦୨୦ରେ ଫେସବୁକ୍, ଜିଓ ପ୍ଲାଟଫର୍ମରେ ୫.୭ ବିଲିୟନ ଡଲାର ବା ପ୍ରାୟ ୪୩,୫୭୪ କୋଟି ଟଙ୍କା ନିବେଶ କରିଥିଲା, ଯାହା ଏହାକୁ ସବୁଠାରୁ ବଡ଼ ସଂଖ୍ୟାଲଘୁ ଅଂଶୀଦାର କରିଥିଲା। ଜୁନ୍ ୨୦୨୦ରେ ଭାରତୀୟ ପ୍ରତିଯୋଗିତା କମିଶନ ଦ୍ୱାରା ଅନୁମୋଦିତ ଏହି ନିବେଶ, ଫେସବୁକକୁ, ଜିଓ ପ୍ଲାଟଫର୍ମରେ ୯.୯୯%  ଅଂଶୀଦାର ଦେଇଥିଲା।