ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗାରେ ବଡ଼ ଷଡ଼ଯନ୍ତ୍ର ମାମଲାରେ ଜବାହାରଲାଲ ନେହରୁ ୟୁନିଭର୍ସିଟି(ଜେଏନୟୁ)ର ଦୁଇ ପୂର୍ବତନ ଛାତ୍ର ଉମର ଖାଲିଦ ଓ ଶର୍ଜୀଲ ଇମାମଙ୍କୁ ମିଳିବନି ଜାମିନ। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଦୁଇ ଜଣଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି। ଖାଲିଦ ଏବଂ ଇମାମଙ୍କ ବ୍ୟତୀତ, ବିଚାରପତି ନବୀନ ଚାୱଲା ଏବଂ ଶାଲିନ୍ଦର କୌରଙ୍କ ଖଣ୍ଡପୀଠ ମହମ୍ମଦ ସଲିମ ଖାନ, ଶିଫା ଉର ରେହମାନ, ଅତହର ଖାନ, ମୀରାନ ହାଇଦର, ଶାଦାବ ଅହମଦ ଅବଦୁଲ ଖାଲିଦ ସୈଫି ଏବଂ ଗୁଲଫିଶା ଫାତିମାଙ୍କ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି।

ଇମାମ ଏବଂ ଖାଲିଦଙ୍କ ଜାମିନ ଆବେଦନ ୨୦୨୨ ମସିହାରୁ ବିଚାରାଧୀନ ଅଛି। ଏବେ ହାଇକୋର୍ଟ ଜାମିନ ଦେବାକୁ ମନା କରିବା ପରେ ଖାଲିଦ ଓ ଇମାମଙ୍କୁ ପକ୍ଷରୁ ତର୍କ ରଖୁଥିବା ଓକିଲ କହିଛନ୍ତି ଯେ ଏହି ନିର୍ଦ୍ଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବେ। ଏହା ପୂର୍ବରୁ ସମାନ ମାମଲାରେ ସମ୍ପୃକ୍ତ ଥିବା ତସ୍ଲୀମ ଅହମଦଙ୍କୁ ମଧ୍ୟ ହାଇକୋର୍ଟର ଭିନ୍ନ ଏକ ଖଣ୍ଡପୀଠ ଜାମିନ ଦେବାକୁ ମନା କରିଦେଇଥିଲେ।

ସୂଚନା ଥାଉକି, କେନ୍ଦ୍ର ସରକାରଙ୍କର ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ୨୦୨୦ ଉତ୍ତର ଦିଲ୍ଲୀରେ ବଡ଼ ଧରଣର ହିଂସାକାଣ୍ଡ ହୋଇଥିଲା। ଏହି ଦଙ୍ଗା ପଛରେ ଖାଲିଦ ଓ ଇମାମ ଦୁହେଁ ବଡ଼ ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି। ଦଙ୍ଗାରେ ୫୦ରୁ ଅଧିକଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଥିଲେ।   

ଦିଲ୍ଲୀ ପୋଲିସ ଖାଲିଦ, ଇମାମ ଏବଂ କିଛି ଅନ୍ୟ ଆନ୍ଦୋଳନକାରୀଙ୍କୁ ହିଂସାର "ମାଷ୍ଟରମାଇଣ୍ଡ" ବୋଲି କହିଛି। ଆନ୍ଦୋଳନକାରୀମାନଙ୍କୁ ବେଆଇନ କାର୍ଯ୍ୟକଳାପ (ନିବାରଣ) ଆଇନ ଅନୁଯାୟୀ ଅଭିଯୁକ୍ତ କରାଯାଇଛି। ସେପ୍ଟେମ୍ବର ୨୦୨୦ ରେ ଗିରଫ ହୋଇଥିବା ଖାଲିଦ ସେବେଠାରୁ ଜେଲରେ ଅଛନ୍ତି। ଗତ ବର୍ଷ, ଡିସେମ୍ବରରେ, ଖାଲିଦଙ୍କୁ ତାଙ୍କ ପରିବାରର ଏକ ବିବାହରେ ଯୋଗଦେବା ପାଇଁ ୭ ଦିନ ପଇଁ ସଂକ୍ଷିପ୍ତ ଅନ୍ତରୀଣ ଜାମିନ ଦିଆଯାଇଥିଲା।

ଶୁଣାଣି ସମୟରେ, ଆନ୍ଦୋଳନକାରୀମାନେ ଯୁକ୍ତି ଦେଇଥିଲେ ଯେ ସେମାନେ ୪ ବର୍ଷରୁ ଅଧିକ ସମୟ ହାଜତରେ ବିତାଇ ସାରିଛନ୍ତି। ଜାମିନ ବିଚାରର ବହୁତ ମନ୍ଥର ଗତିରେ ହେଉଛି। ଏହାପରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ପ୍ରତିନିଧିତ୍ୱ କରୁଥିବା ସରକାରୀ ଓକିଲ ସେମାନଙ୍କ ଜାମିନକୁ ବିରୋଧ କରିଥିଲେ, ଯୁକ୍ତି ଦେଇଥିଲେ ଯେ ଦଙ୍ଗା ପୂର୍ବରୁ ଏକ ଭୟଙ୍କର ଉଦ୍ଦେଶ୍ୟ ସହିତ ଯୋଜନା କରାଯାଇଥିଲା ଏବଂ ଏହା ଏକ "ସୁଚିନ୍ତିତ ଷଡ଼ଯନ୍ତ୍ର" ଥିଲା। ଦେଶକୁ ବଦମାନ କରିବାକୁ ଚେଷ୍ଟା କରାଯାଇଥିଲା। ଯଦି ତୁମେ ଦେଶ ବିରୋଧରେ କିଛି କରୁଛ, ତାହାଲେ ନିର୍ଦ୍ଦୋଷ ହେବା ପର୍ଯ୍ୟନ୍ତ ଜେଲ୍‌ରେ ରହିବ ଭଲ।