ବେଙ୍ଗାଲୁରୁ: ମହିଳା କର୍ମଚାରୀଙ୍କ କଲ୍ୟାଣ ସୁନିଶ୍ଚିତ କରିବା ଏବଂ କର୍ମକ୍ଷେତ୍ରରେ ସମାବେଶକୁ ପ୍ରୋତ୍ସାହିତ କରିବା ପାଇଁ କର୍ଣ୍ଣାଟକ ସରକାର ଗୁରୁବାର "ମାସିକ ଋତୁସ୍ରାବ ଛୁଟି ନୀତି ୨୦୨୫"କୁ ଅନୁମୋଦନ କରିଛନ୍ତି।

ଏହି ନୀତି ଅନୁଯାୟୀ, ମହିଳାମାନେ ମାସିକ ଋତୁସ୍ରାବ ସମୟରେ ପ୍ରତି ମାସରେ ଗୋଟିଏ ଦିନ ଲେଖାଏ ଛୁଟି ପାଇବେ। ଏଥିରେ ସେମାନଙ୍କ ଦରମା କଟିବ ନାହିଁ। ଏହି ନୂଆ ନୀତି ରାଜ୍ୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ପୋଷାକ ଶିଳ୍ପ, ବହୁରାଷ୍ଟ୍ରୀୟ କମ୍ପାନୀ, ଆଇଟି ଫାର୍ମ ଏବଂ ଅନ୍ୟାନ୍ୟ ଘରୋଇ କ୍ଷେତ୍ର ସଂଗଠନରେ କାମ କରୁଥିବା ମହିଳାମାନଙ୍କ ପାଇଁ ପ୍ରଯୁଜ୍ୟ ହେବ। ଗୁରୁବାର ଠାରୁ ଏହି ନୀତି କାର୍ଯ୍ୟକାରୀ ହୋଇଛି।

୨୦୨୪ ମସିହାର ଆସିଥିବା ଏହି ନୀତିରେ ପ୍ରଥମେ ପ୍ରତିବର୍ଷ ୬ଟି ଋତୁସ୍ରାବଜନିତ ଛୁଟି ପ୍ରଦାନ କରିବାର ପ୍ରସ୍ତାବ ରହିଥିଲା। ହେଲେ ନୂଆ ନୀତିରେ ଏଥିରେ ପରିବର୍ତ୍ତନ କରାଯାଇ ବାର୍ଷିକ ୧୨ ଦିନର ଦରମା ଛୁଟି ପ୍ରଦାନ କରାଯାଇଛି।

ଏନେଇ କର୍ଣ୍ଣାଟକର ଶ୍ରମ ମନ୍ତ୍ରୀ ସନ୍ତୋଷ ଲାଡ କହିଛନ୍ତି "ଆମେ ମହିଳାମାନଙ୍କ ପାଇଁ ଋତୁସ୍ରାବ ଛୁଟିକୁ ମଞ୍ଜୁର କରିଛୁ। ଏହା ଆମେ ଆଣିଥିବା ସବୁଠାରୁ ପ୍ରଗତିଶୀଳ ନୂଆ ଆଇନ। ମହିଳାମାନେ ବର୍ଷରେ ସର୍ବାଧିକ ୧୨ଟି ଛୁଟି ନେଇପାରିବେ। ମାସରେ ଥରେ କିମ୍ବା ସମସ୍ତ ଛୁଟି ଥରେ ହେଉ, ସେମାନଙ୍କ ଋତୁସ୍ରାବ ଚକ୍ର ଅନୁସାରେ ସେମାନେ ସୁବିଧା ଅନୁସାରେ ନେଇପାରିବେ। ଏହା ଏକ ପ୍ରଗତିଶୀଳ ସରକାରଙ୍କ ଉପଲବ୍ଧି, ଯାହା ମହିଳାମାନଙ୍କ କଲ୍ୟାଣ ବିଷୟରେ ଚିନ୍ତା କରେ ଓ ସେମାନେ ନିର୍ବାହ କରିବାକୁ ଥିବା ଭୂମିକା ବିଷୟରେ ବିଚାର କରେ।"

ତେବେ ଏଭଳି ନୀତି କେବଳ କର୍ଣ୍ଣାଟକରେ ନୁହେଁ, ଭାରତରେ ଏକାଧିକ ରାଜ୍ୟରେ ଲାଗୁ ହୋଇଛି। ଓଡ଼ିଶା ସରକାର ଋତୁସ୍ରାବ ଜନିତ ଛୁଟି ମଧ୍ୟ ଦେଉଛନ୍ତି। ହେଲେ ଆମ ରାଜ୍ୟରେ ଏହି ଛୁଟି କେବଳ ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ ହୋଇପାରିଛି। ସେହିଭଳି କେରଳ ଶିଳ୍ପ ତାଲିମ ପ୍ରତିଷ୍ଠାନ (ITI) ର ମହିଳା ପ୍ରଶିକ୍ଷାର୍ଥୀଙ୍କ ପାଇଁ ପ୍ରତି ମାସରେ ଦୁଇ ଦିନ ମାସିକ ଋତୁସ୍ରାବ ଛୁଟି ଦିଆଯାଉଛି। ସେହିପରି ବିହାରରେ ମଧ୍ୟ କେବଳ ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ୧୨ ଦିନର ବାର୍ଷିକ ମାସିକ ଋତୁସ୍ରାବ ଛୁଟି ପ୍ରଦାନ କରାଯାଉଛି।