ଭଦ୍ରକ: ଦୁଇ ଜଣଙ୍କ ଝଗଡ଼ାରେ ବଳି ପଡ଼ିଲେ ତୃତୀୟ ଯୁବକ । ତୃତୀୟ ଯୁବକଙ୍କୁ ଗିରଫ କଲା ପୋଲିସ। ହେଲେ ନିର୍ଦ୍ଦୋଷରେ ଗିରଫ କରାଯାଇଥିବା ଅଭିଯୋଗ ଆଣି ଜେଲ ସାମ୍‌ନାରେ ବିରୋଧ କରିଛନ୍ତି ପରିବାରଲୋକେ। ଏମିତିକି ଗିରଫ ଯୁବକଙ୍କୁ କୋର୍ଟ ଚାଲାଣବେଳେ ହଟ୍ଟଗୋଳ କରିବା ସହ ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ମଧ୍ୟ ହୋହାଲ୍ଲା କରିଛନ୍ତି ପରିବାରଲୋକେ ଏବଂ ଗ୍ରାମବାସୀ।

ସୂଚନା ଅନୁସାରେ, ଭଦ୍ରକ ସହରରେ ଦୁଇ ଯୁବ ନେତାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ମାରପିଟ ହୋଇଥିଲା। ଏହି ଘଟଣାରେ ଭଦ୍ରକ ସହରାଞ୍ଚଳ ଥାନାରେ ଏତଲା ହୋଇଥିଲା। ହେଲେ ଦୁଇ ଯୁବ ନେତା ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ହୋଇଥିବାରୁ ପୋଲିସ ସେହି ଦୁଇ ଜଣଙ୍କୁ ଗିରଫ କରୁନଥିବା ଅଭିଯୋଗ ହୋଇଛି ।

ଏମିତି କି ଏହି ଝଗଡ଼ାବେଳେ ନିକଟରେ ଠିଆ ହୋଇଥିବା ଯୁବକଙ୍କୁ ପୂର୍ବରୁ ପୋଲିସ ଅଟକ ରଖି ଛାଡ଼ିଥିଲା ଏବଂ ପୁଣି ଉଠାଇ ଆଣି ଗିରଫ କରି କୋର୍ଟ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏମିତିରେ ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରି ଜେଲକୁ ପଠାଉଥିବାବେଳେ ଯୁବକଙ୍କ ପରିବାର ଏବଂ ଗ୍ରାମବାସୀମାନେ ଜେଲ ସମ୍ମୁଖରେ ହୋହାଲ୍ଲା କରିଥିଲେ। ପରେ ଯୁବକ ଜଣକ ଜେଲ ଯିବା ପରେ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ସହରାଞ୍ଚଳ ଥାନା ସମ୍ମୁଖରେ ଯୁବକଙ୍କୁ ରାଜନୈତିକ ଉଦ୍ଦେଶ୍ୟରେ ଗିରଫ ନେଇ ଘେରାଉ କରିଥିଲେ।

ତେବେ ମାରପିଟ୍ ଘଟଣାରେ ସଂପୃକ୍ତ ଦୁଇ ଯୁବ ନେତାଙ୍କୁ ଗିରଫ ଦାବିରେ ଉତ୍ତେଜନା ଦେଖାଦେଇଛି। ପୋଲିସ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ମଧ୍ୟ ଘଟଣାରେ ଗିରଫ ଯୁବକଙ୍କ ସଂପୃକ୍ତି ଥିବା କହିଛି।